ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ : କେନ୍ଦୁଝରରେ ଘର ଛପର ଉଡ଼ିଗଲା, ଗଛ ଉପୁଡ଼ିଲା

ଅସ୍ତରଙ୍ଗରେ ଓଲଟିଲା ଟ୍ରାକ୍ଟର୍‌, ଉପୁଡ଼ିଲା ଗଛ

ଶଙ୍କରପୁର : ଆଜି ଦିନ ପ୍ରାୟ ସାଢ଼େ ଗୋଟାଏବେଳେ କେନ୍ଦୁଝର ସଦର ବ୍ଲକ୍‌ର ନେଲୁଙ୍ଗ ପଞ୍ଚାୟତରେ ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ଼। ଏହାର ପ୍ରଭାବରେ ପଞ୍ଚାୟତର ମଥୁରାମଣ୍ଡଳି, ବେଲପଶି ଓ ବେଲଦାଘାଟିରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ୧୦ରୁ ଊର୍ଦ୍ଧ୍ବ ଘରର ଛପର ଉଡ଼ାଇ ନେଇଛି। ୪୦ରୁ ଅଧିକ ଗଛ ଭାଙ୍ଗିଥିବା ବେଳେ କେତେକ ଗଛ ମୂଳରୁ ଉପୁଡ଼ି ଯାଇଛି। ବିଦ୍ୟୁତ୍‌ ଖୁଣ୍ଟଟି ଭୂଇଁରେ ଶୋଇପଡ଼ିଛି।

ଆଜି ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ହଠାତ ପ୍ରବଳ ବେଗରେ ଘୂର୍ଣ୍ଣିଝଡ଼ ମାଡ଼ି ଆସିଥିଲା। ଏତେ ଜୋରରେ ପବନ ହୋଇଥିଲା ଯେ ବେଲଦା ସଂରକ୍ଷିତ ଜଙ୍ଗଲରେ ୨୦ ରୁ ଊର୍ଦ୍ଧ୍ବ ଶାଳଗଛ, ବେଲପଶିରେ ୧୦ଟି ଗଛ, ମଥୁରାମଣ୍ଡଳୀରେ ୧୦ଟି ଗଛ ଧରାଶାୟୀ ହୋଇଥିଲା। ବେଲପଶିରେ ଗୋଟିଏ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଯାଇଥିଲା। ମଥୁରାମଣ୍ଡଳୀର ରେବତୀ ନାଏକ, ଲବଙ୍ଗ ନାଏକ, ଦାସିଆ ନାଏକ, ବାସନ୍ତୀ ନାଏକ, ବେଲପଶି ଗ୍ରାମର ଋଷି ମହାନ୍ତ, ଭାସ୍କର ମହାନ୍ତ, ଅଶୋକ ଦାସ, ଗୁରୁବାରୀ ମହାନ୍ତ, ମିତ୍ରଭାନୁ ମହାନ୍ତ, ଭାସ୍କର ନାଏକ, ବାବୁଲି ନାଏକ ଓ ବାସନ୍ତୀ ଦାସଙ୍କର ଘର ଛପର ଉଡ଼ିଯାଇଛି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ ହଠାତ ଘୂର୍ଣ୍ଣିଝଡ଼ ଆସିବାରୁ ସେମାନେ ଭୟଭୀତ ହୋଇପଡ଼ିଥିଲେ। ଯିଏ ଯେଉଁଠି ଥିଲେ ସୁରକ୍ଷିତ ରହିବା ପାଇଁ ଘର ଭିତରକୁ ଦୌଡ଼ି ଯାଇଥିଲେ। ପକ୍କା, କୋଠାଘରର କିଛି କ୍ଷତି ହୋଇନଥିଲା। କିନ୍ତୁ ଆଜବେଷ୍ଟସ, ଚାଳ ଛପର ଉଡ଼ିଯାଇଥିଲା। ଗଛ ପଡ଼ି ଟାଇଲ ଛପର ଘର ବି କ୍ଷତିଗ୍ରସ୍ତ ହୋଇଛି। ଘର ଭିତରେ ଥିବା ଲୋକମାନେ ଭଗବାନଙ୍କୁ ଡାକି ବସି ରହିଥିଲେ। ପ୍ରାୟ ୨୦ ମିନିଟ ଧରି ପ୍ରଳୟ ରଚିବା ପରେ ଝଡ଼ ଥମି ଯାଇଥିଲା।

ଭଙ୍ଗା ଆଜବେଷ୍ଟସ ଖଣ୍ଡ ପଡ଼ିବାରୁ ଜଣେ ବୃଦ୍ଧା ଆହତ ହୋଇଥିବା ଖବର ମିଳିଛି। ଆଉ ପ୍ରାୟ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି। ହେଲେ ଘର ଛପର ଉଡ଼ିଯାଇଥିବାରୁ ସେମାନେ ଚିନ୍ତିତ ଅଛନ୍ତି। ତୁରନ୍ତ ସରକାରୀ ସୁବିଧାସୁଯୋଗ ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତକାଲି ରାତିରେ ବର୍ଷା ହୋଇଥିଲା। ଆଜି ମଧ୍ୟାହ୍ନରେ ପାଗ ଶୁଖିଲା ଥିଲାବେଳେ ଅକସ୍ମାତ ଘୂର୍ଣ୍ଣିଝଡ଼ ଆସିଥିଲା।

ଅସ୍ତରଙ୍ଗରେ ଓଲଟିଲା ଟ୍ରାକ୍ଟର୍‌, ଉପୁଡ଼ିଲା ଗଛ
ଅସ୍ତରଙ୍ଗ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ନୂଆଗଡ଼ ଗ୍ରାମରେ ଆଜି ପୂର୍ବାହ୍ନରେ ଏକ ଘୂର୍ଣ୍ଣିଝଡ଼ ତିନି ମିନିଟ୍ ମଧ୍ୟରେ ତାଣ୍ଡବ ସୃଷ୍ଟି କରିଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇ ନ ଥିଲେ ମଧ୍ୟ ଘୂର୍ଣ୍ଣଝଡ଼ ହୋଇଥିବା ସ୍ଥାନ ଓ ସଂଲଗ୍ନ ଅଞ୍ଚଳରେ ଗଛ ଭାଙ୍ଗିବା ସହ କେତେକ ଘରର ଆଜବେଷ୍ଟସ୍‌ ଉଡ଼ିଯାଇଥିବା ଦେଖିବାକୁ ମିଳିଛି। ଏପରିକି ପ୍ରଚଣ୍ଡ ବେଗରେ ପବନ ବହିବାରୁ ଟ୍ରାକ୍ଟର ଓଲଟି ପଡ଼ିଛି।

ଆଜି ସକାଳୁ ଅସ୍ତରଙ୍ଗ ଅଞ୍ଚଳରେ ପାଗ ମେଘୁଆ ଥିଲା। ତେବେ ଦିନ ପ୍ରାୟ ୧୦ଟା ୨୦ରେ ହଠାତ୍‌ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ଏହି ସମୟରେ ଗୋଟିଏ ଦିଗରେ ଇନ୍ଦ୍ରଧନୁ ଦେଖିବାକୁ ମିଳିଥିବାବେଳେ ଅନ୍ୟ ଦିଗରେ ଦେବୀ ନଦୀର ଶାଖା ମଧୁପୁର-ବାରଦା ନଦୀ ଉପରୁ ହାତୀଶୁଣ୍ଢ ଆକାରର ପାଣି ବାୟୁମଣ୍ଡଳକୁ ଉଠିଥିବା ଲୋକେ ଦେଖିବାକୁ ପାଇଥିଲେ। ଆଉ ସୁ ସୁ ଶବ୍ଦ କରି ଘୂର୍ଣ୍ଣିଝଡ଼ ମାଡ଼ି ଆସିଥିଲା। ୩ ମିନିଟ୍‌ରୁ ସାମାନ୍ୟ ଅଧିକ ସମୟ ପାଇଁ ଏହି ଘୂର୍ଣ୍ଣିଝଡ଼ର ତାଣ୍ଡବ ଦେଖିବାକୁ ମିଳିଥିଲା। ନିମିଷକ ମଧ୍ୟରେ ଏହା ବଡ଼ ବଡ଼ ନଡ଼ାଗଦା, ଆଜବେଷ୍ଟସ୍‌ ଆଦି ଉଡ଼ାଇ ନେଇଥିଲା। ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ କିଛି ଗଛ ଉପୁଡ଼ି ପଡ଼ିଥିଲା। ନୂଆଗଡ଼ ଗ୍ରାମର ବସନ୍ତ ନାୟକଙ୍କ ଘର ଉପରେ ପ୍ରଥମେ ପ୍ରଭାବ ପଡ଼ିଥିଲା। ଘୂର୍ଣ୍ଣିଝଡ଼ର ତୀବ୍ରତା ଏତେ ଥିଲା ଯେ ବସନ୍ତଙ୍କ ଘର ନିକଟରେ ରାସ୍ତା କଡ଼ରେ ଥିବା ଏକ ଟ୍ରାକ୍ଟର୍‌ ଓଲଟି ପଡ଼ିଥିଲା। ସେହିପରି କିଛି ଲୋକଙ୍କ ବାଡ଼ିରେ ଥିବା ସମସ୍ତ ବଡ଼ ବଡ଼ ନଡ଼ା ଗଦା ଓଡ଼ାଇ ନେଇଥିବାବେଳେ କେତେକ ଆଜବେଷ୍ଟସ୍‌ ମଧ୍ୟ ଉଡ଼ିଯାଇଥିଲା। ଅଳ୍ପ ସମୟ ପାଇଁ ହେଲେ ବି ସମଗ୍ର ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ଲୋକେ ଭୟରେ ଘରର କବାଟ ଝରକା ବନ୍ଦ କରି ବେଶ୍ କିଛି ସମୟ ପଦାକୁ ବାହାରି ନ ଥିଲେ। ତେବେ ଘୂର୍ଣ୍ଣିଝଡ଼ରେ କେହି ମୃତାହତ ହୋଇ ନ ଥିଲେ। ଉଲ୍ଲେଖଯୋଗ୍ୟ ଯେ ଗତ ସେପ୍ଟେମ୍ବର ମାସରେ ଏଭଳି ଘୂର୍ଣ୍ଣିଝଡ଼ ହୋଇ ଅସ୍ତରଙ୍ଗ-କାକଟପୁର ରାସ୍ତାରେ ବହୁ ବଡ଼ ଗଛ ଉପୁଡ଼ି ପଡ଼ିଥିଲା। ସଂଧ୍ୟା ପ୍ରାୟ ୭ଟା ବେଳକୁ ଘଡ଼ଘଡ଼ି ସହ କୁଆପଥର ବର୍ଷା ପ୍ରାୟ ୧୫ ମିନିଟ୍‌ ଧରି ଲାଗି ରହିଥିଲା।

ସମ୍ବନ୍ଧିତ ଖବର