୩ ଘଣ୍ଟା ପରେ ଗୋପାଳପୁର ଛୁଇଁବ ଝଡ଼ତୋଫାନ, ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର, ୨ ପ୍ଲାଟୁନ ଓଡ୍ରାଫ ଟିମ୍‌ ପ୍ରସ୍ତୁତ

ବାତ୍ୟା ମୁକାବିଲା କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

ପୁରୀ/ଛତ୍ରପୁର: ଆଉ ୩ ଘଣ୍ଟା ପରେ ଗୋପାଳପୁରକୁ ଝଡ଼ତୋଫାନ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି। ବର୍ତ୍ତମାନ ଏହା ଗୋପାଳପୁର ଠାରୁ ଏହା ୨୫୦ କିଲୋମିଟର ଦୂରରେ ରହିଛି। ବାତ୍ୟା ବେଳେ ଘଣ୍ଟା ପ୍ରତି ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବ ବୋଲି ଅନୁମାନ କରାଯାଉଛି। ୫ଟି ଉପକୂଳ ଜିଲ୍ଲାରେ ଏହାର ପ୍ରଭାବ ପଡ଼ିବ। ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼ ଓ .ଖୋର୍ଦ୍ଧା ଜିଲ୍ଲାରେ ଏ .ନେଇ ପ୍ରସ୍ତୁତି ଅାରମ୍ଭ ହୋଇଛି।   ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଉଥିବା ବେଳେ ୨ ପ୍ଲାଟୁନ ଓଡ୍ରାଫ ଟିମ୍‌ ପ୍ରସ୍ତୁତ ଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲଙ୍ଗେ ଗୁରୁବାର ବ୍ରହ୍ମପୁରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଝଡ଼ବାତ୍ୟା ନେଇ ଜିଲ୍ଲାର ଉପଜିଲ୍ଲାପାଳ, ବିଡିଓ ଓ ତହସିଲଦାରମାନେ ସତର୍କ ରହିବାକୁ ଜିଲ୍ଲାପାଳ ସୂଚନା ଦେଇଥିବା ବେଳେ ଏହି ସମୟରେ କୌଣସି ସରକାରୀ କର୍ମଚାରୀ ଛୁଟି ନେଇ ପାରିବେ ନାହିଁ ବୋଲି ସୂଚନା ଜାରି କରିଛନ୍ତି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା(ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼) ସମେତ ୯ଟି ରାଜ୍ୟକୁ ଝଡ଼ବାତ୍ୟା ସଂପର୍କୀତ ସତର୍କ ସୂଚନା ମିଳିବା ପରେ ପୁରୀ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଡିପ୍‌ ଡିପ୍ରେସନ ବାତ୍ୟାରେ ପରିଣତ ହେବା ପରେ ପ୍ରବଳରୁ ଅତିପ୍ରବଳ ବର୍ଷିବ ବୋଲି ଅନୁମାନ କରାଯାଉଛି।

ପୁରୀ ଜିଲ୍ଲାରେ ସମ୍ଭାବିତ ବାତ୍ୟାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଯେକୌଣସି ସମୟରେ ବାତ୍ୟା ମୁକାବିଲା କରିବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ କହିଛନ୍ତି। ଶୁଖିଲା ଖାଦ୍ୟର ବ୍ୟବସ୍ଥା କରାଯାଇଛି। ଗୋଟିଏ ଓଡ୍ରାଫ ଟିମ୍‌ ଓ ଗୋଟିଏ ଏନଡିଆରଏଫ ଟିମ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି। ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି। କାରଣ ଏହି ଝଡ଼ବାତ୍ୟା ସମୟରେ ସମୁଦ୍ର ଅଶାନ୍ତ ରହିବ। ପୁରୀର ଆକାଶ ମେଘାଛନ୍ନ ରହିଥିବା ବେଳେ ପବନ ବହିବା ଆରମ୍ଭ ହୋଇଯାଇଛି।

ଝଡ଼ବାତ୍ୟା ନେଇ ବ୍ୟସ୍ତ ନହେବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହା ସେତେବଡ଼ ବାତ୍ୟା ନୁହେଁ, କିନ୍ତୁ ଆମେ ସଜାଗ ରହିଛୁ। ସମୁଦ୍ର ଉପକୂଳବର୍ତ୍ତୀ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ହୋଇଛି। ବିଭିନ୍ନ ବିଭାଗକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

 

ସମ୍ବନ୍ଧିତ ଖବର