ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଜଓ୍ବାଦ୍, ଓଡ଼ିଶା ଉପରୁ ବିପଦ ଟଳିଲା

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଜଓ୍ବାଦ ଧୀରେ ଧୀରେ ଦୁର୍ବଳ ହେବା ଆରମ୍ଭ କରିଛି । ଆଜି ଅପରାହ୍ଣ ସାଢେ ୨ଟା ବେଳେ ଏହା ବିଶାଖାପାଟଣାଠାରୁ ୨୦୦ କିଲୋମିଟର ପୂର୍ବ, ଦକ୍ଷିଣ-ପୂର୍ବ ଦିଗରେ ତଥା ଗୋପାଳପୁରଠାରୁ ୩୧୦ କିଲୋମିଟର ପୂର୍ବ, ଦକ୍ଷିଣ-ପୂର୍ବ ଦିଗରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଥିଲା ।

ଆଜି ରାତି ସୁଦ୍ଧା ବାତ୍ୟା ଦୁର୍ବଳ ହେବା ସହ ଏକ ଡିପ୍ ଡିପ୍ରେସନରେ ପରିଣତ ହେବ ଓ ଉତ୍ତର ଦିଗରେ ଗତି କରିବ । ଏହା ଆସନ୍ତା କାଲି ଅର୍ଥାତ ରବିବାର ମଧ୍ୟାହ୍ଣ ସୁଦ୍ଧା ପୁରୀ ନିକଟବର୍ତ୍ତୀ ହେବ କିନ୍ତୁ ଏହା ଲାଣ୍ଡଫଲ ନ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ମଧ୍ୟ ଟ୍ବିଟ କରି ସୂଚନା ଦେଇଛନ୍ତି ଯେ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଓଡ଼ିଶାରେ ବାତ୍ୟା ଲାଣ୍ଡଫଲ କରିବାର ସମ୍ଭାବନା ନାହିଁ ।

ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ବି ସମାନ ପୂର୍ବାନୁମାନ କରିଛି ଯେ ବାତ୍ୟା ଓଡ଼ିଶାରେ ଲାଣ୍ଡଫଲ୍ ହୋଇନପାରେ । ଏକ ଡିପଡିପ୍ରେସନ ରୂପରେ ଏହା ପଶ୍ଚିମବଙ୍ଗ ଆଡ଼କୁ ଗତି କରି ଧୀରେ ଧୀରେ ଦୂର୍ବଳ ହୋଇଯିବ ।

ତେବେ ବାତ୍ୟା ଦୁର୍ବଳ ହୋଇଗଲେ ବି ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର