ବାତ୍ୟା ‘ବୁଲ୍‌ବୁଲ୍‌’ର ସ୍ଥିତି ଓ ସମ୍ଭାବ୍ୟ ଗତିପଥ ନେଇ ମିଳିଲା ତାଜା ସୂଚନା : ଓଡ଼ିଶା ଉପକୂଳ ଛୁଇଁବ ନାହିଁ

ଭୁବନେଶ୍ୱର: ଉଗ୍ରତର ହୋଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇବାର ସମ୍ଭାବନା ଥିବା ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌‘ ଓଡ଼ିଶା ଉପକୂଳ ବଙ୍ଗୋପସାଗର ଦେଇ ଗତି କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବୋଲି କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା। ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ କରି ସେ ସୂଚନା ଦେଇଛନ୍ତି। ଆଜି ସଂଧ୍ୟା ସୁଦ୍ଧା ବୁଲବୁଲର ସ୍ଥିତି ଓ ଗତି ଅଧିକ ସ୍ପଷ୍ଟ ହେବ।

ଆଗାମୀ ୨୪ ଘଣ୍ଟାରେ ତୀବ୍ର ସାମୁଦ୍ରିକ ବତାସ ପାଲଟିବାକୁ ଥିବା ‘ବୁଲ୍‌ବୁଲ୍‌’ ସମ୍ପ୍ରତି ପାରାଦୀପ ଠାରୁ ୭୩୦ କିଲୋମିଟର ଦୂର ବଙ୍ଗୋପସାଗର ମଧ୍ୟରେ କେନ୍ଦ୍ରୀଭୂତ ହୋଇ ଘଣ୍ଟାକୁ ୭ କିଲୋମିଟର ବେଗରେ ପଶ୍ଚିମବଙ୍ଗ ଓ ବାଲାଂଦେଶ ଆଡ଼କୁ ଗତିକରୁଥିବା କଥା ଆଜି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି। ଏହା ଓଡ଼ିଶାକୁ ନ ଆସିଲେ ବି ଏହାର ପ୍ରଭାବ ଅନୁଭୂତ ହେବ। ଏଥିଯୋଗୁଁ ୯ ଓ ୧୦ ତାରିଖ ଦିନ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ହେବା ସହ ଘଣ୍ଟା ପ୍ରତି ୪୦ ରୁ ୬୫ କିଲୋମିଟର ବେଗରେ ପବନ ପ୍ରବାହିତ ହେବ।

ପାଣିପାଗ ବିଭାଗ ତରଫରୁ ଜାରି ହୋଇଥିବା ଏହାର ସମ୍ଭାବ୍ୟ ଗତିପଥ ଚିତ୍ରରୁ ଜଣାପଡୁଛି ଯେ ନଭେମ୍ବର ୮ ତାରିଖ ସନ୍ଧ୍ୟା ୫: ୩୦ ବେଳକୁ ‘ବୁଲ୍‌ବୁଲ୍‌’ ଗୋପାଳପୁର ଠାରୁ ୩୪୭ କିଲୋମିଟର ଦୂରରେ ଥିବ। ୯ ତାରିଖ ଭୋର୍‌ ୫: ୩୦ ବେଳକୁ ଘଣ୍ଟା ପ୍ରତି ୫୨ ରୁ ୬୧ କିଲୋମିଟର୍‌ ବେଗରେ ପ୍ରବାହିତ ହୋଇ ଅସ୍ତରଙ୍ଗ ଠାରୁ ୧୭୧ କିଲୋମିଟର ଦୂରରେ ଥିବ। ସେଦିନ ସନ୍ଧ୍ୟା ୫: ୩୦ ବେଳକୁ ଘଣ୍ଟାକୁ ୬୨ରୁ ୭୪ କିଲୋମିଟର ବେଗରେ ପ୍ରବାହିତ ହୋଇ ପାରାଦୀପ ଠାରୁ ୧୩୮ କିଲୋମିଟର ଦୂରରେ ଥିବ।

ନଭେମ୍ବର ୧୦ ତାରିଖ ଭୋର୍‌ ୫: ୩୦ ବେଳକୁ ଘଣ୍ଟାକୁ ୬୨ ରୁ ୭୪ କିଲୋମିଟର୍‌ ବେଗରେ ପ୍ରବାହିତ ହେଉଥିବା ‘ବୁଲ୍‌ବୁଲ୍‌’ ଧାମରାଠାରୁ ୧୪୯ କିଲୋମିଟର ଦୂରରେ ଥିବ। ସେଦିନ ସନ୍ଧ୍ୟା ୫: ୩୦ ସୁଦ୍ଧା ବତାସ ଘଣ୍ଟାକୁ ୬୨ ରୁ ୭୪ କିଲୋମିଟର ବେଗରେ ପ୍ରବାହିତ ହୋଇ ଚାନ୍ଦିପୁର ଠାରୁ ୧୪୮ କିଲୋମିଟର ଦୂରରେ ଥିବ।

ସମ୍ବନ୍ଧିତ ଖବର