ପୁରୀ ଠାରୁ ୬୮୦ କିଲୋମିଟର ଦୂରରେ ବାତ୍ୟା ‘ଫନି’: ଭୟଭୀତ ନ ହୋଇ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୋର୍‌ ୫: ୩୦ର ପାଣିପାଗ ପୂର୍ବାନୁମାନ ଆଧାରିତ ଭାରତୀୟ ପାଣିପାଗ ସଂସ୍ଥାନର ବୁଧବାର ସକାଳ ୮: ୩୦ ବୁଲେଟିନ୍‌ ଅନୁସାରେ, ଗତ ଛଅଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ପ୍ରାୟ ୧୦ କିଲୋମିଟର ବେଗରେ ସାମୁଦ୍ରିକ ବାତ୍ୟା ‘ଫୋନି’ ଉତ୍ତରପଶ୍ଚିମ ଦିଗକୁ ଗତି କରିବା ପରେ ପୁରୀର ଦକ୍ଷିଣ-ପଶ୍ଚିମ ଠାରୁ ପ୍ରାୟ ୬୮୦ କିଲୋମିଟର ଓ ବିଶାଖାପାଟଣା ଠାରୁ ପ୍ରାୟ ୪୩୦ କିଲୋମିଟର ମଧ୍ୟରେ କେନ୍ଦ୍ରୀଭୂତ ହୋଇଛି।

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଉତ୍ତରପଶ୍ଚିମ ଆଡ଼କୁ ଗତି କରିବାର ଯଥେଷ୍ଟ ସମ୍ଭାବନା ରହିଛି। ସେଠାରୁ ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ମୋଡ଼ ନେଇ ମେ ତିନି ତାରିଖ ଅପରାହ୍ଣ ସୁଦ୍ଧା ପୁରୀର ସାତପଡ଼ା ନିକଟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ସେତେବେଳକୁ ଏଥିରେ ଘଣ୍ଟାପ୍ରତି ପବନର ବେଗ ଥିବ ୧୭୫ରୁ ୧୮୫ କିଲୋମିଟର। ମଧ୍ୟେ ମଧ୍ୟେ ୨୦୫ କି. ମି. ବେଗରେ ପବନ ଦଲକା ଦେଇପାରେ। ଭୂପୃଷ୍ଠ ଉପରକୁ ଆସିବା ପରେ ବାତ୍ୟା ଖୋର୍ଦ୍ଧା, କଟକ, ଜୟପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲା ଦେଇ ପଶ୍ଚିମବଙ୍ଗରେ ପ୍ରବେଶ କରିବ।

ସମ୍ଭାବ୍ୟ ବାତ୍ୟା ନିମନ୍ତେ ଭୟଭୀତ ନ ହୋଇ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। ବାତ୍ୟାରେ ବିପନ୍ନ ହେବାର ସମ୍ଭାବନା ଥିବା ଲୋକମାନଙ୍କୁ ଯୁଦ୍ଧକାଳୀନ ରୀତିରେ ସ୍ଥାନାନ୍ତର କରାଇବାକୁ ନିର୍ଦେଶ ଦିଆ ଯାଇଛି। ରିଲିଫ୍‌ ଯୋଗାଇ ଦେବାକୁ ପ୍ରସ୍ତୁତ ରହିବାକୁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ଆସନ୍ନ ସାମୁଦ୍ରିକ ବାତ୍ୟାକୁ ମୁକାବିଲା କରିବାକୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର