ଡାକ୍ତର ଅବନ୍ତୀ ପଟ୍ଟନାୟକଙ୍କ ପରଲୋକ

କଟକ : ବିଶିଷ୍ଟ ଇଏନ୍‌ଟି ବିଶେଷଜ୍ଞ ଡାକ୍ତର ଅବନ୍ତୀ ପଟ୍ଟନାୟକ ଆଉ ନାହାନ୍ତି। ବୁଧବାର ପୂର୍ବାହ୍‌ଣରେ ଚାନ୍ଦିନୀଚୌକସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି। ସେ କିଛି ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୮୧ ବ‌ର୍ଷ ହୋଇଥିଲା। ଶେଷଶଯ୍ୟା ନିକଟରେ ସାନଭଉଣୀ ପ୍ରଫେସର ରୀତା ପଟ୍ଟନାୟକଙ୍କ ସମେତ ଆତ୍ମୀୟସ୍ବଜନ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଏ ସଂପର୍କରେ ଖବର ପାଇ ବଡ଼ ଭଉଣୀ ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକ, ‘ସମ୍ବାଦ’ର ସଂପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଆଇନଜୀବୀ ଅଶୋକ ମହାନ୍ତି, ଅନୁପମା ମହାନ୍ତି, ବରି‌ଷ୍ଠ ସାମ୍ବାଦିକ ଡକ୍ଟର ସତ୍ୟ ରାୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସ୍ବର୍ଗତ ଅବନ୍ତୀ ପଟ୍ଟନାୟକ ଗଞ୍ଜାମର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଗାନ୍ଧୀବାଦୀ ସ୍ବର୍ଗତ ନିରଞ୍ଜନ ପଟ୍ଟନାୟକଙ୍କର ତୃତୀୟ କନ୍ୟା ତଥା ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ସାନ ଭଉଣୀ। ଇଏନ୍‌ଟି ବିଶେଷଜ୍ଞ ଭାବେ ସାରା ରାଜ୍ୟରେ ଜଣାଶୁଣା ଥିଲେ। ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନାରେ ନିଷ୍ଠା ଓ ଦକ୍ଷତାର ସହିତ କାର୍ଯ୍ୟ କରି ସେ ସୁନାମ ଅର୍ଜନ କରିଥ‌ିଲେ। ପରେ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଉପନିର୍ଦ୍ଦେଶକ ଭାବେ ଅବସର ଗ୍ରହଣ କରିଥିଲେ। ବୁଧବାର ଅପରାହ୍‌ଣରେ ତାଙ୍କ ମରଶରୀରକୁ ‌ଶୋଭାଯାତ୍ରାରେ ଚାନ୍ଦିନୀଚୌକ ଅଞ୍ଚଳ ପରିକ୍ରମା କରାଯାଇ ସତୀଚଉରା ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ସାନଭଉଣୀ ପ୍ରଫେସର ରୀତା ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର