କଟକ ମାହାଙ୍ଗାରେ ବିଜେପିର ମହିଳା ସମାବେଶ : ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ

କଟକ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟ ବିଜେପି ପକ୍ଷରୁ କଟକ ଜିଲ୍ଲାର ମାହାଙ୍ଗାରେ ମହିଳା ସମାବେଶ କରାଯାଇଥିଲା । ଏଥିରେ ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଏବଂ ରାଜ୍ୟସ୍ତରୀୟ ନେତୃବୃନ୍ଦଙ୍କ ସହ ୫ ହଜାରରୁ ଅଧିକ ମହିଳା ସାମିଲ ହୋଇଥିଲେ। ରାଜ୍ୟରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର, ଆଇନ ଶୃଙ୍ଖଳା, ଅପରାଧ ଓ ଦୁର୍ନୀତି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା ରାଜ୍ୟ ବିଜେପି ।

ଓଡ଼ିଶା ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କହିଥିଲେ ଯେ, ଓଡ଼ିଶାର ସରକାର ଲୋକଙ୍କ ପାଇଁ ନୁହେଁ, ନିଜ ପାଇଁ କାମ କରୁଛନ୍ତି । ବିଜେଡି ଭଳି ବିଜେପି ମହିଳାଙ୍କୁ ଭୋଟ ଦେବା ମେସିନ ବୋଲି ଭାବେନି । ଯେଉଁଠି ମହିଳାଙ୍କୁ ସମ୍ମାନ ମିଳେ  ସେଠି ଉନ୍ନତି ହୁଏ । ପ୍ରଧାନମନ୍ତ୍ରୀ କହିଛନ୍ତି ଝିଅ ବିଳମ୍ବରେ ଘରକୁ ଫେରିଲେ ଅନେକ ପ୍ରଶ୍ନ ପଚାରାଯାଏ, କିନ୍ତୁ ଏ ପ୍ରଶ୍ନ  ପୁଅକୁ ବି ପଚାରିବା କଥା ।  ପୁଅମାନଙ୍କୁ ଏହି ପ୍ରଶ୍ନ କରାଯାଉ ନଥିବାରୁ ଆଜି ମହିଳାଙ୍କ ପ୍ରତି ଅତ୍ୟାଚାର ବଢୁଛି । ମୋଦୀଜୀ ତାଙ୍କ ପ୍ରଥମ ଭାଷଣରେ ପ୍ରତି ଘରେ ଶୌଚାଳୟ ନିର୍ମାଣ କରିବା କଥା କହିଥିଲେ, ହେଲେ ଏହାକୁ ଶୁଣି ଅନେକ ହସରେ ଉଡ଼ାଇ ଦେଇଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଏହି ଦୂରଦୃଷ୍ଟି କେବଳ ମହିଳାଙ୍କ ସୁରକ୍ଷା ଓ ସମ୍ମାନକୁ ପରିବର୍ଦ୍ଧିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା । ଓଡ଼ିଶାରେ ୭୪ ଲକ୍ଷ ଶୌଚାଳୟ ନିର୍ମାଣ ପାଇଁ କେନ୍ଦ୍ର ସରକାର ସହାୟତା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଥିଲେ ଯେ, ୨୦ ଲକ୍ଷ ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନାରେ ମାଗଣାରେ ରୋଷେଇ ଗ୍ୟାସ ଦିଆଯାଇଛି । ୨୦ ଲକ୍ଷ ଘର ପାଇଁ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ କେନ୍ଦ୍ର ସହାୟତା ଦେଇଛି । କିନ୍ତୁ ରାଜ୍ୟ ସରକାର କେବଳ ପୋଷ୍ଟର ମାରି ନିଜର ଆତ୍ମପ୍ରଚାର କରୁଛନ୍ତି । ଦେଶର ଅନେକ ସ୍ଥାନରେ ଝିଅ ଜନ୍ମ ହେବା ବୋଝ ବୋଲି ମନେକରାଯାଏ । କିନ୍ତୁ ପ୍ରଧାନମନ୍ତ୍ରୀ ଝିଅଙ୍କୁ ଲଷ୍ମୀ ବୋଲି ବିବେଚନା କରନ୍ତି । ଏ ନେଇ ‌ସେ ସୁକନ୍ୟା ସମୃଦ୍ଧି ଯୋଜନା ଆରମ୍ଭ କରିଥିବା ବେଳେ ଓଡ଼ିଶାରେ ୯.୫୦ ଲକ୍ଷ ଆକାଉଣ୍ଟ ଖୋଲାଯାଇଛି । ଜନଧନ ଯୋଜନାରେ ୩୫ ଲକ୍ଷ ଆକାଉଣ୍ଟ ଓଡ଼ିଶାରେ ଥିବା ବେଳେ କୋଭିଡ ସମୟରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଖାତାକୁ ହଜାରେ ଲେଖାଏଁ ଟଙ୍କା ସହାୟତା ଦେଇଥିଲେ ।

ଭ୍ରଷ୍ଟାଚାର କଥା ଉଠାଇବାରୁ ମାହାଙ୍ଗାରେ ଦୁଇ ଜଣ ବିଜେପି କର୍ମୀଙ୍କୁ ହତ୍ୟା କଲେ । ଯଦି ମହିଳାଙ୍କ ପାଇଁ ଏତେ ଦରଦ କାହିଁକି ସେମାନଙ୍କ ପତ୍ନୀଙ୍କୁ ବିଧବା କଲେ? ନବୀନ ବାବୁ ଓଡ଼ିଶାବାସୀଙ୍କୁ ନିଜର ସନ୍ତାନ କହୁଛନ୍ତି । ମୁଁ ନବୀନ ବାବୁଙ୍କୁ ପଚାରୁଛି ବିକାଶ ଜେନା, କୁଳମଣି ବରାଳ ଆଉ ପରୀ କ’ଣ ତାଙ୍କର ସନ୍ତାନ ନଥିଲେ ? ବିଜେପି ଏକ ମାତ୍ର ଦଳ ଯିଏ ସେବା ଉପରେ ବିଶ୍ୱାସ କରେ । ଅନ୍ୟ ସବୁ ରାଜନୈତିକ ଦଳ ଅଧିକାର ଜାହିର କରିବା ପାଇଁ ନିର୍ବାଚନ ଲଢ଼ନ୍ତି ଏବଂ କ୍ଷମତାକୁ ଆସିବାକୁ ଚାହାନ୍ତି। କିନ୍ତୁ ବିଜେପି ଲୋକଙ୍କ ସେବା କରିବାକୁ କ୍ଷମତା ଚାହୁଁଛି । ଆଗାମୀ ଦିନରେ ମାହାଙ୍ଗାବାସୀ ଶାରଦା ପ୍ରଧାନ ଓ ବିଜେପିକୁ ସହଯୋଗ କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର