ଲୋକସେବା ଭବନରେ କର୍ମଚାରୀଙ୍କ ମେଳି : ମହଙ୍ଗା ଭତ୍ତାକୁ ନେଇ ଅସନ୍ତୋଷ, ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ଦାବିପତ୍ର

ଭୁବନେଶ୍ବର : ମହଙ୍ଗା ଭତ୍ତାକୁ ନେଇ ରାଜ୍ୟରେ ସରକାରୀ କର୍ମଚାରୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଆଜି ତାହାର ପ୍ରତିଫଳନ ଦେଖିବାକୁ ମିଳିଛି ରାଜ୍ୟ ଶାସନର କେନ୍ଦ୍ର ବିନ୍ଦୁ ଲୋକସେବା ଭବନରେ। ହଜାର ହଜାର ସଂଖ୍ୟାରେ କର୍ମଚାରୀ ମେଳି ହୋଇ ସରକାରଙ୍କ ନିଷ୍ପତ୍ତିର ପ୍ରତିବାଦ କରିଛନ୍ତି। ସରକାର ତାଙ୍କ ନିଷ୍ପତ୍ତିର ପୁନର୍ବିଚାର ନ କଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି। ସୋମବାର ଦିନ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯିବ।

କେନ୍ଦ୍ର ସରକାର କେନ୍ଦ୍ର କର୍ମଚାରୀଙ୍କ ପାଇଁ ୨୦୧୯ ଜୁଲାଇରୁ ୫% ମହଙ୍ଗା ଭତ୍ତା ୨୦୧୯ ଅକ୍ଟୋବରରେ ଘୋଷଣା କଲେ। କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ଗତ ବର୍ଷ ଜୁଲାଇ ମାସରୁ ଏହି ୫% ମହଙ୍ଗା ଭତ୍ତା ପାଉଛନ୍ତି। ଜାନୁଆରି ପହିଲାରୁ ଆଉ ୫% ମହଙ୍ଗା ଭତ୍ତା ଯେ କୌଣସି ମୂହୁର୍ତ୍ତରେ କେନ୍ଦ୍ର ସରକାର ଘୋଷଣା କରିପାରନ୍ତି।

ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଅର୍ଥ ବିଭାଗ ଏକ ବିଜ୍ଞପ୍ତି ଜରିଆରେ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ପାଇଁ ୫% ମହଙ୍ଗା ଭତ୍ତା ଦେବାକୁ ଘୋଷଣା କରିଛନ୍ତି। କିନ୍ତୁ ୨୦୧୯ ଜୁଲାଇରୁ ନ ଦେଇ ଚଳିତ ବର୍ଷ ଜାନୁଆରି ମାସରୁ ଦେବାକୁ କୁହାଯାଇଛି। ଗତ ବର୍ଷର ୬ ମାସର ବକେୟା ଭତ୍ତା ସଂକ୍ରାନ୍ତରେ ଏହି ବିଜ୍ଞପ୍ତିରେ କିଛି କୁହାଯାଇ ନାହିଁ। ଫଳରେ କର୍ମଚାରୀଙ୍କ ମହଲରେ ଅସନ୍ତୋଷ ଜୋର୍‌ଦାର ହୋଇଛି।

ଆଜି ଅପରାହ୍ନ ପ୍ରାୟ ୧ଟା ୩୦ରେ ଲୋକସେବା ଭବନର ବିଭିନ୍ନ ବର୍ଗର କର୍ମଚାରୀମାନେ ପଞ୍ଚାୟତିରାଜ ବିଭାଗ ନିକଟରେ ଏକାଠି ହୋଇଥିଲେ। ସରକାର ଏପରି ନିଷ୍ପତ୍ତି କର୍ମଚାରୀମାନଙ୍କୁ ଆଘାତ ଦେଇଛି। ମହଙ୍ଗା ଭତ୍ତାର ୬୦% କେନ୍ଦ୍ର ସରକାର ବହନ କରୁଥିଲା ବେଳେ ରାଜ୍ୟ ସରକାର କାହିଁକି ଏଥିରେ ଟାଳଟୁଳ ନୀତି ଗ୍ରହଣ କରୁଛନ୍ତି ବୋଲି କର୍ମଚାରୀମାନେ ପ୍ରଶ୍ନ କରିଥିଲେ। ସରକାର ତାଙ୍କ ନିଷ୍ପତ୍ତିର ପୁନର୍ବିଚାର ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଚତୁର୍ଥ ଶ୍ରେଣୀ କର୍ମଚାରୀ, ଡ୍ରାଇଭର୍‌, ଡାଟା ଏଣ୍ଟ୍ରି ଅପରେଟର୍‌, ସଚିବାଳୟ ସେବା ବର୍ଗ, ଟାଇପିଷ୍ଟ, ଷ୍ଟେନୋଗ୍ରାଫର୍‌ ବର୍ଗର କର୍ମଚାରୀଙ୍କୁ ନେଇ ସଚିବାଳୟ ମହାସଂଘ ଗଠନ କରାଯିବ ଓ ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ। ସରକାର ଦାବି ନ ଶୁଣିଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟ ଦିବସର ମଧ୍ୟାହ୍ନ ବିରତି ସମୟରେ ଧାରଣା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।

ସମ୍ବନ୍ଧିତ ଖବର