ଜୟପୁର : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ରେ ୨୦୦୬ ମସିହାରୁ ୨୦୦୯ ମସିହା ମଧ୍ୟରେ ହୋଇଥିବା ସରକାରୀ ଅର୍ଥ ତୋଷାରପାତ ମାମଲାର ବିଚାର କରି ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ରାଜେଶ ଏକ୍କା ଅଭିଯୁକ୍ତ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ତାଙ୍କ ନାଁରେ କରାଯାଇଥିବା ଆପତ୍ତି ଅଭିଯୋଗର ପ୍ରମାଣ ସଠିକ୍ ଭାବେ କୋର୍ଟରେ ଦାଖଲ ହୋଇ ନ ପାରିବାରୁ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ରନ୍ଧାରୀଙ୍କ ଆଇନଜୀବୀ ଆନନ୍ଦ ରଥ କହିଛନ୍ତି।
ଡାବୁଗାଁ ବିଧାୟକ ଶ୍ରୀ ରନ୍ଧାରୀ ଗତ ୨୦୦୬ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ବରିଷ୍ଠ କିରାଣି ଭାବେ କାର୍ଯ୍ୟରତ ଥିଲେ। ସେ ବ୍ଲକ୍ର ଷ୍ଟୋର ଦାୟିତ୍ବରେ ରହିଥିଲେ। ଏହିସମୟରେ ଫୁଡ୍ ଫର୍ ୱାର୍କସ ଅନୁଦାନରେ ଆସିଥିବା ୬ଲକ୍ଷ ୨୬ହଜାର ୬୯୬ଟଙ୍କାର ସିମେଣ୍ଟ ଓ ଲୁହାଛଡ଼ ବାବଦକୁ ସରକାରୀ ଅର୍ଥ ତୋଷାରପାତ ହୋଇଥିବା ଜଣାପଡ଼ିଥିଲା। ଏହି ମାମଲାକୁ ନେଇ ପୂର୍ବତନ କୋଡ଼ିଙ୍ଗା ବିଧାୟକ ସଦନ ନାୟକ ଭିଜିଲାନ୍ସ କୋର୍ଟ ଓ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପୁଣିଥରେ ୨୦୧୩ ମସିହାରେ ହାଇକୋର୍ଟରେ ଆପତ୍ତି ଅଭିଯୋଗ ମାମଲା ଦାୟର କରିଥିଲେ ପୂର୍ବତନ ବିଧାୟକ ଶ୍ରୀ ନାୟକ। ଏହି ମାମଲାର ଶୁଣାଣି କରିବାକୁ ହାଇକୋର୍ଟ ତଳକୋର୍ଟ ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବତନ ବିଧାୟକ ଶ୍ରୀ ନାୟକ ନିଜେ ଓ ଅନ୍ୟ ୩ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲାବେଳେ ବିଧାୟକ ୨ଟି ସାକ୍ଷ୍ୟ ପ୍ରଦାନ କରିଥିଲେ। ଆଜି ଏହି ମାମଲାର ଶୁଣାଣି କରି ଆପତ୍ତି ଅଭିଯୋଗର ସଠିକ୍ ପ୍ରମାଣ କୋର୍ଟରେ ଦାଖଲ କରି ନ ପାରିବାରୁ ବିଧାୟକ ଶ୍ରୀ ରନ୍ଧାରୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଭିଜିଲାନ୍ସ ଜଜ୍। ଅପରପକ୍ଷରେ ଧର୍ମ ଓ ସତ୍ୟର ବିଜୟ ହୋଇଛି। ସେମାନେ ନିଜେ ଟଙ୍କା ଜମା କରି ମୋତେ ବଦନାମ କରିବାକୁ ଚେଷ୍ଟା କରିଛନ୍ତି। ୧୦ ବର୍ଷ ତଳେ ଭୋଟରେ ହରାଇଥିଲି ଏବେ କୋର୍ଟରେ ହରାଇଲି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଡାବୁଗାଁ ବିଧାୟକ ଶ୍ରୀ ରନ୍ଧାରୀ। ଅନ୍ୟପକ୍ଷରେ ମାମଲାର ଆଭିଯୋଗକାରୀ ପୂର୍ବତନ ବିଧାୟକ ସଦନ ନାୟକ ପୁଣି ଥରେ ହାଇକୋର୍ଟରେ ମାମଲା ରୁଜୁ କରିବେ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/dabugoan.jpg)