ସରକାରୀ ଅର୍ଥ ତୋଷାରପାତ ମାମଲା: ଡାବୁଗାଁ ବିଧାୟକ କହିଲେ- ଧର୍ମର ବିଜୟ ହୋଇଛି

ପୁଣି ହାଇକୋର୍ଟ ଯିବି: ସଦନ

ଜୟପୁର: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ୨୦୦୬ରୁ ୨୦୦୯ ମସିହା ମଧ୍ୟରେ ‌ହୋଇଥିବା ସରକାରୀ ଅର୍ଥ ତୋଷାରପାତ ମାମଲାର ବିଚାର କରି ଅଭିଯୁକ୍ତ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ତାଙ୍କ ନାଁରେ କରାଯାଇଥିବା ଆପତ୍ତି ଅଭିଯୋଗର ପ୍ରମାଣ ସଠିକ ଭାବେ କୋର୍ଟରେ ଦାଖଲ ହୋଇ ନ ପାରିବାରୁ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିବା କହିଛନ୍ତି ରନ୍ଧାରୀଙ୍କ ଆଇନଜୀବୀ ଆନନ୍ଦ ରଥ।

ପ୍ରକାଶଯୋଗ୍ୟ, ଅଭିଯୁକ୍ତ ଡାବୁଗାଁ ବିଧାୟକ ଶ୍ରୀ ରନ୍ଧାରୀ, ଗତ ୨୦୦୬ମସିହାରୁ ୨୦୦୯ମସିହା ପର୍ଯ୍ୟନ୍ତ ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଥିଲେ। ସେ ସମୟରେ ସେ ବ୍ଲକର ଷ୍ଟୋର ଦାୟିତ୍ବରେ ରହିଥିଲେ। ଏ ସମୟରେ ଫୁଡ଼ ଫୋର ୱାର୍କସ ଅନୁଦାନରେ ଆସିଥିବା ୬ଲକ୍ଷ ୨୬ହଜାର ୬୯୬ଟଙ୍କାର ସିମେଣ୍ଟ ଓ ଲୁହା ଛଡର ସରକାରୀ ଅର୍ଥ ତୋଷାରପାତ୍ ହୋଇଥିବା ଜଣାପଡ଼ିଥିଲା। ଏହି ମାମଲାକୁ ନେଇ ପୂର୍ବତନ କୋଡିଙ୍ଗା ବିଧାୟକ ସଦନ ନାୟକ ଭିଜିଲାନସ୍ କୋର୍ଟ ଓ ମାନ୍ୟବର ହାଇକୋର୍ଟର ବି ଦ୍ବାରସ୍ଥ ହୋଇଥିଲେ। ପୁଣିଥରେ ୨୦୧୩ମସିହାରେ ହାଇକୋର୍ଟରେ ଆପତ୍ତି ଅଭିଯୋଗ ମାମଲା ଦାୟର କରିଥିଲେ ପୂର୍ବତନ ବିଧାୟକ ଶ୍ରୀ ନାୟକ। ଏହି ମାମଲାର ଶୁଣାଣି କରିବାକୁ ହାଇକୋର୍ଟ ତଳ କୋର୍ଟ ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ କୋର୍ଟକୁ ନିର୍ଦେଶ ଦେଇଥିଲେ। ପୂର୍ବତନ ବିଧାୟକ ଶ୍ରୀ ନାୟକ ନିଜେ ଓ ଅନ୍ୟ ୩ସାକ୍ଷ୍ୟ ଏବଂ ବିଧାୟକ ୨ଟି ସାକ୍ଷ୍ୟ ପ୍ରଦାନ କରିଥିଲେ। ଆଜି ଏହି ମାମଲାର ଶୁଣାଣି କରି ଆପତ୍ତି ଅଭିଯୋଗର ସଠିକ ପ୍ରମାଣ କୋର୍ଟରେ ଦାଖଲ କରି ନ ପାରିବାରୁ ମାମଲାରେ ନିର୍ଦୋଶରେ ଖଲାସ କରିଛନ୍ତି ସ୍ବତନ୍ତ୍ର ଭିଜିଲାନସ୍ ଜଜ୍।

ଧର୍ମ, ସତ୍ୟର ବିଜୟ ହୋଇଛି।  ସେମାନେ ନିଜେ ଟଙ୍କା ଜମା କରି ମୋତେ ବଦନାମ କରିବାକୁ ଚେଷ୍ଟା କରିଛନ୍ତି। ୧୦ବର୍ଷ ତଳେ ଭୋଟରେ ହରାଇଥିଲି ଏବେ କୋର୍ଟରେ ହରାଇଲି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଡାବୁଗାଁ ବିଧାୟକ ଶ୍ରୀ ରନ୍ଧାରୀ। ଅନ୍ୟପକ୍ଷରେ ମାମଲାର ଆଭିଯୋଗକାରୀ ପୂର୍ବତନ ବିଧାୟକ ସଦନ ନାୟକ ପୁଣି ଥରେ ହାଇକୋର୍ଟରେ ମାମଲା ରୁଜୁ କରିବେ ବୋଲି କହିଛନ୍ତି।

 

 

 

ସମ୍ବନ୍ଧିତ ଖବର