ନବରଙ୍ଗପୁର : ବିଭିନ୍ନ ସ୍ଥାନରେ ଡାବୁଗାଁ ଅବକାରୀ ବିଭାଗର ଚଢ଼ାଉ, ୨ ଗିରଫ, ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ

ଡାବୁଗାଁ : ନବରଙ୍ଗପୁର ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ଵାଡ ଓ ଡାବୁଗାଁ ଅବକାରୀ ବିଭାଗ ଆଜି ବିଭିନ୍ନ ସ୍ଥାନରେ ଜୋରଦାର ଚଢ଼ାଉ କରି ଅବାଧରେ ଦେଶୀ ମଦ ବିକ୍ରି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିବା ସହ ବିଭିନ୍ନ ସ୍ଥାନରେ ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ କରିଛନ୍ତି। ଗିରଫ ଦୁଇ ଜଣ ହେଲେ ଡାବୁଗାଁ ନୁଆଗୁଡ଼ାର ଲଳିତା କଲାର (୫୦) ଓ ବାଲୁ ବିଶୋଇ।

ସୂଚନା ଅନୁଯାୟୀ ବର୍ତ୍ତମାନ କରୋନା ମହାମାରୀ ଯୋଗୁ ଲକ୍‌ଡାଉନ ଚାଲିଥିବାରୁ ସରକାର ଦେଶୀ ଓ ବିଦେଶୀ ମଦ ଦୋକାନ ଗୁଡ଼ିକୁ ମଦ ବିକ୍ରି ନିଷେଧ କରିଛନ୍ତି। ଏହାର ସୁଯୋଗ ନେଇ ମଦ ମାଫିଆମାନେ ବିଭିନ୍ନ ଜଙ୍ଗଲ ଓ ନଦୀ ତଟବର୍ତ୍ତୀ ସ୍ଥାନ ମାନଙ୍କରେ ଅବାଧରେ ଦେଶୀ ମହୁଲ ମଦ ରନ୍ଧା କାର୍ଯ୍ୟ ଜାରି ରଖିଛନ୍ତି। ବର୍ତମାନ ଗ୍ରାମାଞ୍ଚଳରେ ମହୁଲ ସୁବିଧାରେ ମିଳୁ ଥିବାରୁ ମଦ ମାଫିଆମାନଙ୍କୁ ମଦ ବେପାର ପାଇଁ ଭରପୁର ସୁଯୋଗ ସୃଷ୍ଟି ହୋଇଛି। ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କିଶୋର ପଟ୍ଟନାୟକ ଡାବୁଗାଁ ଅବକାରୀ ଅଞ୍ଚଳରେ କୌଣସି ସୂତ୍ରରୁ ଅବାଧରେ ଦେଶୀ ମହୁଲ ମଦ କାରବାର ଓ ରନ୍ଧା କାର୍ଯ୍ୟ ଚାଲୁଥିବା ନେଇ ଖବର ପାଇବା ପରେ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲା ଅବକାରୀ ସ୍କ୍ଵାଡ ଓ ଡାବୁଗାଁ ଅବକାରୀ ବିଭାଗ ପକ୍ଷରୁ ଡାବୁଗାଁ ଅବକାରୀ ଥାନା ଅଞ୍ଚଳ ଅନ୍ତର୍ଗତ ଜଟା ବାଲ, ପାତ୍ରି ଓ ଡାବୁଗାଁରେ ମିଳିତ ଚଢଉ କରିଥିଲେ। ଏଥିରେ ଡାବୁଗାଁ ନୁଆଗୁଡ଼ାର ଲଳିତା କଲାର ନିକଟରୁ ୭ ଲିଟର ଦେଶୀ ମଦ ଓ ସେହି ନୁଆଗୁଡ଼ାର ବାଲୁ ବିଶୋଇ ନିକଟରୁ ୬ ଲିଟର ଦେଶୀ ମଦ ଜବତ କରାଯାଇ ଉଭୟଙ୍କୁ ଗିରଫ କରାଯାଇ ଅବକାରୀ ମାମଲା ରୁଜୁ କରାଯାଇଥିଲା।

ସେହିପରି ଡାବୁଗାଁ ଅବକାରୀ ବିଭାଗ ଅନ୍ତର୍ଗତ ଜଟା ବାଲ ନିକଟ ଏକ ଜମି ନିକଟରେ ଅବାଧରେ ଦେଶୀ ମଦ ରନ୍ଧା ଯାଉଥିଲା। ଅବକାରୀ ବିଭାଗର ଚଢ଼ାଉ ପରେ ମଦ ମାଫିଆମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିବା ବେଳେ ସେଠାରେ ୮୦୦ ଲିଟର ମହୁଲ ପୋଚ ନଷ୍ଟ କରାଯାଇଥିଲା। ଏହାପରେ ପାତ୍ରି ଗ୍ରାମରେ ମଧ୍ୟରେ ଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଅବକାରୀ ଚଢ଼ାଉରେ ନବରଙ୍ଗପୁର ଅବକାରୀ ନିରୀକ୍ଷକ ବିପ୍ରଚରଣ ମଣ୍ଡଳ , ଡାବୁଗାଁ ଅବକାରୀ ସହ ଉପ ନିରୀକ୍ଷକ ପ୍ରକାଶ କୁମାର ଦାସ, ଅବକାରୀ କର୍ମଚାରୀ ସୁବାସ ଗୌଡ,ନାରାୟଣ ମୁଦୁଲି, ସୁରେଖା ଭାତ୍ର ସହ ନବରଙ୍ଗପୁର ଅବକାରୀ କର୍ମଚାରୀ ସାମିଲ ଥିଲେ। ଗତ କିଛି ଦିନ ହେଲା ଡାବୁଗାଁ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଅବାଧ ମଦ କାରବାର କରୁଥିବା ସ୍ଥାନରେ ଚଢ଼ାଉ ପରେ ମଦ ମାଫିଆ ମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

ସମ୍ବନ୍ଧିତ ଖବର