ବଲାଙ୍ଗୀର: ଦୁର୍ଦ୍ଦାନ୍ତ ଡକାୟତ ବଣ୍ଟି ସୁନା ଗିରଫ

ବଲାଙ୍ଗୀର: କରୋନାକାଳରେ ଲଗାତାର ଲୁଟ୍ । ବନ୍ଧୁକ ଦେଖାଇ କାହାଠୁ ସୁନା ତ କାହାଠୁ ଟଙ୍କା । ଡର ଭୟ ନାହିଁ। ବାଇକରେ ଆସି ଦୋକାନମାନଙ୍କୁ ପଶି ଚଲାଇଥିଲେ ଆତଙ୍କ। ଏହାସହ ମାରପିଟ ଗୁଣ୍ଡାଗର୍ଦ୍ଦି ମାମଲା ବି ସହରରେ ବଢିଥିଲା। ଏହାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଏସପି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ।

ଅପରାଧୀଙ୍କୁ ସାବାଡ଼ କରିବାକୁ ପୁଲିସ ଆରମ୍ଭ କରିଥିଲା ଅପରେସନ୍ କ୍ଲିନ କ୍ରମିନାଲ୍ । ଗୋଟିଏ ପରେ ଗୋଟିଏ ମାମଲାରେ ସଂପୃକ୍ତ ଅପରାଧୀଙ୍କୁ ପୁଲିସ ଏବେ  ଗିରଫ କରିବା ସହ କୋର୍ଟ ଚାଲାଣ କରିବାରେ ଲାଗିଛି । ପଶ୍ଚିମ ଓଡ଼ିଶାରେ ଅନେକ ଲୁଟ ମାମଲାରେ ସାମିଲ ଥିବା ଦୁର୍ଦ୍ଦାନ୍ତ ଡକାୟତ ବଣ୍ଟି ସୁନାକୁ ପୁଲିସ୍ ଗିରଫ କରିବାରେ ସଫଳ ହୋଇଛି । ବଲାଙ୍ଗୀରର ଦୁଇଟି ଡକାୟତି ମାମଲାରେ ମାଷ୍ଟରମାଇଣ୍ଡ ଥିବା ବିଭୂତିଭୂଷଣ ସୁନା ଓରଫ ବଣ୍ଟି(୩୪)କୁ ବଲାଙ୍ଗୀର ପୁଲିସ ଗିରଫ କରିଛି । ଏହାଛଡ଼ା ଆଉ ୩ ଜଣଙ୍କୁ ମଧ୍ୟ ଗିରଫ କରିଛି। ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

କୁଖ୍ୟାତ ବଣ୍ଟି ନାଁରେ ରହିଛି ବିଭିନ୍ନ ଥାନାରେ ଡକାୟତି ମାମଲା । ଚିପିଲିମା ବ୍ୟାଙ୍କ ଡକାୟତି, କ୍ଷେତରାଜପୁର ଅଂଚଳରେ ଫାୟରିଂ, ଝାରସୁଗୁଡ଼ା ଅଂଚଳରେ ଡକାୟତି ନେଇ ଥାନାମାନଙ୍କରେ ଅନେକ ମାମଲା ରହିଛି । ସେ ବ୍ୟାଙ୍କ ଡକାୟତି ମାମଲାରେ ଜାମିନରେ ଫେରିବା ପରେ ବୌଦ୍ଧ ଜିଲ୍ଲାକୁ ଆସିଥିଲା । ବାଉଁଶୁଣି ଅଂଚଳରେ ନିଜ ନାଁ ବଣ୍ଟି ନ ରଖି ରାଧେ ରଖି ରହୁଥିଲା । ସେଠାରେ ଗଂଜେଇ ମାଫିଆଙ୍କ ସହ ସଂପର୍କରେ ଥିଲା । ଏଣୁ ବୌଦ୍ଧ ଜିଲ୍ଲାର ଅପରାଧିଙ୍କ ସହ ମିଶିଥିଲା । ବଣ୍ଟି ନାଁରେ ବିଭିନ୍ନ ଥାନାରେ ୧୫ରୁ ଉର୍ଦ୍ଧ୍ୱ ଡକାୟତି ମାମଲା ଥିବା ପୁଲିସ ସୂଚନା ଦେଇଛି ।

 

ସମ୍ବନ୍ଧିତ ଖବର