ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ ପୁଲିସ ଏକ ବଡ଼ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିଛି। ୫ଜଣ ଡକାୟତଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଦୁଇହଜାର ଟଙ୍କା, ଖଣ୍ଡା, ଭୁଜାଲି, ଲୁହାପାଇପ୍‌, ଏକ ସ୍କର୍ପିଓ (ଓଆର୍‌-୦୨-ବିଏକ୍ସ-୮୨୫୩) ଏବଂ ମୋଟରସାଇକଲ ଜବତ କରାଯାଇଛି।

Advertisment

ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବଡ଼ବିଲ ଥାନା ବିର୍ସାମୁଣ୍ଡା ଛକରେ ଟ୍ରକ୍‌ ଚାଳକଙ୍କୁ ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ଡକାୟତି ଉଦ୍ୟମ କରୁଥିଲେ। ଏକ ବିଶେଷ ସୂତ୍ରରୁ ଖବର ପାଇ ବଡ଼ବିଲ ପୁଲିସ୍‌ ସେଠାରେ ପହଞ୍ଚିଯିବାରୁ ଡକାୟତ ଦଳ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଟ୍ରକ୍‌ ହେଲ୍‌ପର୍‌ କ୍ରିଷ୍ଣା ନାଗଙ୍କ ଏତଲାକ୍ରମେ ବଡ଼ବିଲ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୫ଜଣଙ୍କୁ ଗିରଫ କରିଛି।

publive-image

ଅଭିଯୁକ୍ତମାନେ ହେଲେ ବଡ଼ବିଲ ଥାନା ଦାମୁହଟିଂର ସୁନୀଲ ପାତ୍ର ଓରଫ ଟୁଟୁ, ଧୋବିହଟିଂର ପିଣ୍ଟୁ ଦାସ (୨୫), କେବଲା ସିଂ (୨୬), ଯୋଡ଼ା ଥାନା ଅନ୍ତର୍ଗତ ବାଚୁହଟିଂର ସୁନୀଲ ଚାତାର (୨୬) ଓ କମାରଯୋଡ଼ାର ସୋନୁ ନାଗ୍‌ (୩୬)। ଘଟଣାର ମୁଖ୍ୟଅଭିଯୁକ୍ତ କୁହାଯାଉଥିବା ସୁନୀଲ ନାମରେ ଯୋଡ଼ା, ବଡ଼ବିଲ ସମେତ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନା ଏବଂ ପଡ଼ୋଶୀ ଝାଡ଼ଖଣ୍ଡର ଏକାଧିକ ଥାନାରେ ୪୦ରୁ ଊର୍ଦ୍ଧ୍ବ ମାମଲା ଥିବା ପୁଲିସ କହିଛି। ଗିରଫ ହୋଇଥିବା ୫ଜଣ ଅଭିଯୁକ୍ତଙ୍କ ମଧ୍ୟରୁ କେବଲ୍ ସିଂ ଅସୁସ୍ଥ ଥିବାରୁ ତା’ର ଚିକିତ୍ସା କରାଯାଉଛି। ଅନ୍ୟ ଚାରିଜଣଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ କହିଛନ୍ତି।