ଖୋର୍ଦ୍ଧା: ୨୦୧୫ ଜୁନ୍ ୫ ତାରିଖରେ ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ୱରରେ ଘଟିଥିବା ଏକ ଡକାୟତି ମାମଲାରେ ଆଜି ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ସମର ବିଳାସ ବେହେରା ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଧରାପଡ଼ିଥିବା ୩ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଉଭୟ ଜେଲ୍ ଓ ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି ।
ସୂଚନାନୁସାରେ, ୫ ଜୁନ୍ ୨୦୧୫ରେ ଚଣ୍ଡେଶ୍ୱରରେ ରହୁଥିବା ବିପ୍ର ପ୍ରସାଦ କରଙ୍କ ଘରେ ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ୬ଜଣ ଦୁର୍ବୃତ୍ତ ପଶି ମରଣାନ୍ତକ ଆକ୍ରମଣ କରିବା ସହ ସୁନା ଅଳଙ୍କାର, ମୂଲ୍ୟବାନ ସାମଗ୍ରୀ ଓ ନଗଦ ୬୦ ହଜାର ଟଙ୍କା ଲୁଟି ନେଇଥିଲେ । କେବଳ ଏହାନୁହେଁ ବିପ୍ରଙ୍କ ପତ୍ନୀଙ୍କୁ ବଳାକ୍ରାର ମଧ୍ୟ କରିଥିଲେ । ଏନେଇ ବିପ୍ର ପ୍ରସାଦଙ୍କ ପତ୍ନୀ ମୋନାଲିସା ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଟାଙ୍ଗୀ ଥାନାର ଅଧିକାରୀ ଗୋବିନ୍ଦ ଗୌଡ଼ ମାମଲାର ଅନୁସନ୍ଧାନ କରି ଏଥିରେ ସେକ୍ ଆଜାଦ, ଭରତ ଭୋଇ ଓରଫ ଗେଡ଼ୁ, ବଳଭଦ୍ର ବେହେରାଙ୍କୁ ଧରିଥିଲେ । ତେବେ ଡକାୟତରେ ସମ୍ପୃକ୍ତ ଥିବା ଅନ୍ୟ ୩ଜଣ ଧରାପଡ଼ିନଥିଲେ । ସେମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୪୫୭, ୪୫୦, ୩୯୫, ୩୭୬ (ଘ), ୪୭୧, ୨୫/୨୭ ବେଆଇନ ଅସ୍ତ୍ରଶସ୍ତ୍ର ଦଫାରେ ମାମଲା ରଜୁ କରି କୋର୍ଟ ଚାଲାଣ କରିଥିଲେ ।
ଆଜି ଏହି ମାମଲାର (ସେସନ୍ସ ଟ୍ରାଇଲ୍ ନଂ ୭୭/୨୦୧୬)ର ବିଚାର କରି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ୩ଜଣ ଅଭିଯୁକ୍ତଙ୍କୁ ଦଫା ୩୯୫, ୪୭୧, ୪୫୭, ୪୫୦, ୨୫/୨୭ ବେଆଇନ ଅସ୍ତ୍ରଶସ୍ତ୍ର ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୋଷୀ ସାବ୍ୟସ୍ତ ହେବା ପରେ ୧୦ ବର୍ଷ ଜେଲ ଦଣ୍ଡ ସହ ୧୪ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ତେବେ ସେମାନଙ୍କ ବିରୋଧରେ ରୁଜୁ ହୋଇଥିବା ୩୭୬ (ଖ), ୪୬୮ ରେ ତିନିହେଁଙ୍କୁ ଖଲାସ କରିଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ରଜନୀକାନ୍ତ ପଟ୍ଟନାୟକ ପରିଚାଳନା କରିଥିଲେ ।