ଡକାୟତି ମାମଲାରେ ୩ ଜଣଙ୍କୁ ୭ ବର୍ଷ ଜେଲ୍‌

କେନ୍ଦୁଝର: ଡକାୟତି ମାମଲାର ଶୁଣାଣି କରି କେନ୍ଦୁଝର ସିଜେଏମ୍ ରଞ୍ଜୁଲତା ଲେଙ୍କା ୩ଜଣ ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା ନିର୍ଦେଶ କରିଛନ୍ତି। ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡର ଗୁରୁ ବାଲୁମୁଚୁ (୩୬), ଜେନା କେରେଇ (୩୦), ବଡ଼ବିଲର ବିଜୟ ମୁଣ୍ଡା (୨୮)। ଜରିମାନା ଅନାଦାୟ ଅଧିକ ୬ ମାସ ଜେଲ୍‌।

ପ୍ରାପ୍ତ ସୂଚନା ଅନୁସାରେ, ୨୦୧୯ ମେ ୨ ତାରିଖରେ ଅଭିଯୁକ୍ତମାନେ ବନ୍ଧୁକ ଏବଂ ବିଭିନ୍ନ ମାରଣାସ୍ତ୍ର ଧରି ହରିଚନ୍ଦନପୁରଠାରେ ଥିବା ଏଲ୍‌ ଆଣ୍ଡ ଟି ଫାଇନାନ୍ସ ସଂସ୍ଥାର କାର୍ଯ୍ୟାଳୟ‌ରେ ପଶିଥିଲେ। ମ୍ୟାନେଜର ଜିତେନ୍ଦ୍ର କୁମାର ଦାସଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଅନ୍ୟ ୪ଜଣ କର୍ମଚାରୀଙ୍କୁ ଏକ ଘରେ ବନ୍ଦ କରି ୪ ଲକ୍ଷ ୨୮ ହଜାର ଟଙ୍କା ଲୁଟି ନେଇଥିଲେ। ମ୍ୟାନେଜର ଜିତେନ୍ଦ୍ର କୁମାର ଦାସ କୌଶଳକ୍ରମେ ଡକାୟତଙ୍କ କବଳରୁ ଖସି ଆସି ବାହାର ପଟୁ କବାଟ ବନ୍ଦ କରି ସ୍ଥାନୀୟ ଲୋକଙ୍କୁ ଡାକ ପକାଇଥିଲେ। ବାହରପଟୁ କବାଟ ବନ୍ଦ ହେବା ପରେ ଦୁର୍ବୃତ୍ତମାନେ ଘରର ସ୍କାଇଲାଇଟ୍‌ ଭାଙ୍ଗି ଖସି ପଳାଇଥିଲେ। ଗାଁଲୋକ ସେମାନଙ୍କ ପିଛା କରିଥିଲେ। ରଘୁନାଥପୁର ଗ୍ରାମ ନିକଟରେ ପୁଲିସ ସହାୟତାରେ ଲୋକେ ଗୁରୁ ବାଲୁମୁଚୁ ଏବଂ ବିଜୟ ମୁଣ୍ଡାକୁ ଧରିଥିଲେ। ସେମାନଙ୍କ ନିକଟରୁ ୨ ଲକ୍ଷ ୬୦ ହଜାର ଟଙ୍କା, ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ପୁଲିସ ଜବତ କରିଥିଲା। ଫାଇନାନ୍ସ କାର୍ଯ୍ୟାଳୟ ସମ୍ମୁଖରୁ ଦୁଇଟି ନମ୍ବର ବିହୀନ ମୋଟରସାଇକଲ ଜବତ ହୋଇଥିଲା। ଏହି ଘଟଣାରେ ପୁଲିସ କେସ୍‌ ନମ୍ବର ୪୭/୨୦୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିଲା। ତିନିବର୍ଷ ଧରି ମାମଲା ବିଚାରାଧୀନ ରହିବା ପରେ ଆଜି ରାୟ ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ଅଶୋକ କୁମାର ଦାସ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର