କାଉଡୋଳା ଗାଁରେ ଡକାୟତି, ବୃଦ୍ଧ ଦମ୍ପତିଙ୍କୁ ପ୍ରାଣାନ୍ତକ ଆକ୍ରମଣ

ଲୁଟିନେଲେ ସୁନା ଗହଣା, ନଗଦ ଟଙ୍କା

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ କାଉଡୋଳା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ଡକାୟତମାନେ ବୃଦ୍ଧ ଦମ୍ପତିଙ୍କୁ ଆକ୍ରମଣ କରି ନଗଦ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି। ପୁଲିସର ସୂଚନା ଅନୁସାରେ, କାଉଡୋଳା ଗ୍ରାମର ସୁରଥ ସରାବୁ (୬୫)ଙ୍କ ଘରକୁ ଶନିବାର ରାତି ପ୍ରାୟ ୧ଟାରେ ଡକାୟତମାନେ ଝରକା ଭାଙ୍ଗି ପଶିଥିଲେ। ପ୍ରଥମେ ସେମାନେ ସିସିଟିଭି କ୍ୟାମେରା ଭାଙ୍ଗିବା ସହ ତାହାର ହାର୍ଡଡିସ୍କକୁ ଅକାମି କରିଥିଲେ। ଘର ମାଲିକ ସୁରଥ ଓ ତାଙ୍କ ପତ୍ନୀ ରେମତି ସରାବୁ(୫୫ବର୍ଷ)ଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ୭୦ ହଜାର ଟଙ୍କା ଓ ୭ ଭରି ସୁନାଗହଣା ନେଇ ଫେରାର ମାରିଥିଲେ। ଡକାୟତମାନେ ଫେରାର ହେବା ପରେ ଦମ୍ପତିଙ୍କ ଚିତ୍କାର ଶୁଣି ପରିବାର ଲୋକେ ପହଞ୍ଚିଥିଲେ।

ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କୋକସରା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣାସ୍ଥିତ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ପରେ ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରେ ଧର୍ମଗଡ଼ ଏସ୍‌ଡିପିଓ ଧିରଜ ଚୋପଦାରଙ୍କୁ ନେତୃତ୍ୱରେ ଜୁନାଗଡ଼ ଆଇଆଇସି ଉତ୍ତମ ସାହୁ, କୋକସରା ଆଇଆଇସି ପ୍ରସନ୍ନ ବେହେରା, ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କରାଯାଇଥିଲା। ପୁଲିସ ତଦନ୍ତ ସମୟରେ ସିସିଟିଭିର ଭଙ୍ଗା ଯନ୍ତ୍ରାଂଶ ବାଞ୍ଜିବାହଲ ଗାଁ ନିକଟ ଏକ ପଡ଼ିଆରୁ ମିଳିଥିଲା। ଡକାୟତଙ୍କୁ ଧରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଚାଲିଛି ଓ ଶୀଘ୍ର ସେମାନେ ଧରାପଡ଼ିବେ ବୋଲି ଏସ୍‌ଡିପିଓ ଧିରଜ ଚୋପଦାର ସୂଚନା ଦେଇଛନ୍ତି। ଏନେଇ ଆମପାଣି ଥାନା କେସ୍‌ ନଂ ୬୫/୨୨ରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର