ମ. ରାମପୁର: କଳାହାଣ୍ଡି ଜିଲ୍ଲା ମ. ରାମପୁର ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ପୁଣି ଏକ ବଡ଼ ଧରଣର ଡକାୟତି ହୋଇଛି। ଡକାୟତମାନେ ରାତିରେ ମ. ରାମପୁର ଥାନା ଅନ୍ତର୍ଗତ ମୋହନଗିରି ଦେଶୀ ମଦଭାଟିରେ ପଶି ଟଙ୍କା ଲୁଟି ନେଇଛନ୍ତି। ସେହିପରି ରାମପୁର-ରିଷିଡ଼ା ରାସ୍ତାର ରମୁଡ ଜଙ୍ଗଲ ପାଖରେ ଗୋଟିଏ କୋଇଲା ବୋଝେଇ ଟ୍ରକ୍ର ଚାଳକଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଓ ଗାଡ଼ିର ଚାବି ଲୁଟି ନେଇଛନ୍ତି। ଚାଳକଙ୍କୁ ମାଡ଼ ମଧ୍ୟ ମାରିଛନ୍ତି। ସେହିପରି ସେଠାରେ ଆଉ ୨-୩ଟି ଟ୍ରକ୍କୁ ଅଟକାଇ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ପୁଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଗତ ୧୦ ଦିନ ଭିତରେ ଏ ଅଞ୍ଚଳରେ ୩ଟି ବଡ଼ ଧରଣର ଲୁଟ୍ ହୋଇଛି। ଏନେଇ ଆଇଆଇସି ସଚିନ୍ଦ୍ର ପ୍ରଧାନଙ୍କୁ ପଚାରିବାରୁ ତିନୋଟି ଯାକ ଡକାୟତିରେ ଗୋଟିଏ ଗ୍ୟାଙ୍ଗ୍ର ହାତ ଥିବା ଅନୁମାନ କରି ସନ୍ଦିଗ୍ଧ ପାଞ୍ଚଜଣଙ୍କୁ ଅଟକ ରଖାଯାଇଛି, ଖୁବ୍ ଶୀଘ୍ର ଡକାୟତମାନଙ୍କୁ ଧରାଯିବ ବୋଲି ସେ କହିଥିଲେ।