ଧର୍ମଗଡ଼/ଗୋଲାମୁଣ୍ଡା: ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ପଞ୍ଜିଆ ଗାଁରେ ରବିବାର ରାତିରେ ଏକ ବଡ଼ଧରଣର ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ୧୦ ଜଣ ଡକାୟତ ଗାଁର କିଷାନ ମେହେରଙ୍କ ଘରୁ ଲକ୍ଷାଧିକ ଟଙ୍କା, ସୁନା, ରୂପା ଆଦି ଚୋରି କରିଛନ୍ତି। ଏନେଇ ପୁଲିସ୍ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ବେଳେ ଏଯାଏ କିଛି ସୁରାକ୍ ପାଇନଥିବା ଜଣାପଡ଼ିଛି।
ସୂଚନାମତେ, ରବିବାର ବିଳମ୍ବିତ ରାତିରେ କିଷାନ ମେହେରଙ୍କ ଘରର ଝରକା ଭାଙ୍ଗି ପ୍ରାୟ ୧୦ ଜଣ ମୁଖାପିନ୍ଧା ଡକାୟତ ଘରକୁ ପଶିଥିଲେ। ଘରେ ଶୋଇଥିବା ବୃଦ୍ଧା ଦମ୍ପତିଙ୍କୁ ଆକ୍ରମଣ କରି ନଗଦ ୫ ଲକ୍ଷ ୩୫ ହଜାର ଟଙ୍କା, ୫ ଭରି ସୁନା, ୩୪ ଭରି ରୁପା ଆଦି ଚୋରି କରିନେଇଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ବାଡ୍ ସହ ଘଟଣାସ୍ଥଳକୁ ଆସି ତଦନ୍ତ କରିଛି। ଧର୍ମଗଡ଼ ଉପଖଣ୍ଡ ପୁଲିସ୍ ଅଧିକାରୀ ଧୀରଜ ଚୋପଦାର, ଗୋଲାମୁଣ୍ଡା ଥାନା ଅଧିକାରୀ ଯୁଗଳ ଶବର, ଦଶପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ପ୍ରମୁଖ ଘଟଣାର ସର୍ଜମିନ ତଦନ୍ତ କରିଛନ୍ତି।
ସୂଚନା ଯୋଗ୍ୟ ଯେ, କିଛି ମାସ ତଳେ ଗୋଲାମୁଣ୍ଡା ଥାନା ଖମାର ହଳଦି ଗ୍ରାମର ଜଣେ ଲୋକଙ୍କ ଘରର କାନ୍ଥ ଫାଡ଼ି ଏକ ବଡ଼ ଧରଣର ଡକାୟତି ହୋଇଥିଲା। ଅଞ୍ଚଳରେ ଚୋରି ଡକାୟତି ବଢ଼ିବାରେ ଲାଗିଥିବାରୁ ଭୟର ବାତାବରଣ ସୃଷ୍ଟି ହୋଇଛି। ଏନେଇ ପୁଲିସ୍ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ପଦକ୍ଷେପ ନେବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/1-23.jpg)