ପାଟଣାଗଡ଼ରେ ପୁଣି ଡକାୟତି, ଲୁଟିନେଲେ ସାଢ଼େ ୬ ଲକ୍ଷ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ପୁଣି ଦିବାଲୋକରେ ଡକାୟତି ଘଟିଛି। ପାଟଣାଗଡ଼ ରାମପୁର ମେହେରପଡ଼ା ରାସ୍ତାରୁ ଶନିବାର ସାଢ଼େ ୬ ଲକ୍ଷ ଟଙ୍କା ଲୁଟିନେଇ ଦୁବୃତ୍ତମାନେ ଫେରାର ମାରିବାରେ ସଫଳ ହୋଇଛନ୍ତି।

ସୂଚନା ଅନୁସାରେ, ରାମପୁରର ଧର୍ମେନ୍ଦ୍ର ମେହେର ଓ ଭୀଷ୍ମ ନାଗ ସକାଳୁ ବ୍ୟାଙ୍କକୁ ଗୋଟିଏ ବାଇକ୍‌ରେ ଯାଇଥିଲେ। ଧର୍ମେନ୍ଦ୍ର ରାମଜୀଛକସ୍ଥିତ ପଞ୍ଜାବ ନେସନାଲ ବ୍ୟାଙ୍କରୁ ସାଢ଼େ ୩ଲକ୍ଷ ଟଙ୍କା ଉଠାଇଥିଲେ। ଭୀଷ୍ମ ରାମସାଗରସ୍ଥିତ ବ୍ୟାଙ୍କ ଅଫ୍‌ ବରୋଦାରୁ ୩ ଲକ୍ଷ ଟଙ୍କା ଉଠାଇଥିଲେ। ଉଭୟେ ଉଠାଇଥିବା ସାଢ଼େ ୬ ଲକ୍ଷ ଟଙ୍କାକୁ ଗୋଟିଏ ବ୍ୟାଗ୍‌ରେ ରଖି ନିଜ ଘର ଅଭିମୁଖେ ଫେରୁଥିଲେ।

ମେହେର ପଡ଼ା ରାସ୍ତା ପହଞ୍ଚିବା ବେଳେ ଏକ ଆପାଚି ବାଇକ୍‌ରେ ପିଛା କରୁଥିବା ଦୁଇଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇବା ସହ ଟଙ୍କାତକ ଲୁଟିନେଇ ଦ୍ରୁତଗତିରେ ଫେରାର ହୋଇ ଯାଇଥିଲେ। ଖବର ପାଇ ପାଟଣାଗଡ଼ ପୁଲିସ ସହରର ବିଭିନ୍ନ ରାସ୍ତାକୁ ସିଲ୍‌ କରି ଯାଞ୍ଚ କରିଥିଲା। ତେବେ ଲୁଟେରାମାନେ ପୁଲିସକୁ ଚକମା ଦେଇ ଫେରାର ମାରିଥିବା ଜଣାପଡ଼ିଛି। ପୁଲିସ ଥାନା କେସ୍‌ ନଂ ୨୧/୨୩ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ବୋଲି ଥାନାଧିକାରୀ ଅନନ୍ତ ପଧାନ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର