ସୋହେଲା: ରାତିରେ ଯାତାୟାତ କରୁଥିବା ଟ୍ରକଗୁଡିକରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ସୋହେଲା ପୁଲିସ ସୀମାନ୍ତ ଲୁହୁରାଚଟି ନିକଟରୁ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ସୋହେଲା ଥାନା ଅନ୍ତର୍ଗତ ପସ୍ତାମୁଣ୍ଡା ଗ୍ରାମର ତରଣୀ ଭୋଇ(୫୫), ଲଳିତ ପୋଢ଼ (୩୩), ଗୋରାଚାନ୍ଦ ବରିହା (୩୦) ଓ ବନମାଳି ବରିହା (୩୫) ଏବଂ ଲୁହୁରଚଟି ଗ୍ରାମର ଉମେଶ ବାଗ(୨୧), ଜମିଦାର ବରିହା(୨୪)। ସେମାନଙ୍କଠାରୁ ପୁଲିସ ୨ଟି ଛୁରି, ୨ଟି ଲୁହା ରଡ, ଗୋଟିଏ ପାକେଟ ଲଙ୍କା ଗୁଣ୍ଡ, ଗୋଟିଏ ଛୋଟ ଟର୍ଚ୍ଚ, ୬ଟି ମାସ୍କ, କିଛି ଖାଲି ମଦ ପାଉଚ ଏବଂ ଗୋଟିଏ ବାଇକ (ଓଡି ୧୫ଏଚ-୭୯୫୬) ଜବତ କରିଛି।

Advertisment

ପ୍ରାପ୍ତ ସୂଚନାନୁସାରେ ଗତ ୧୩ ତାରିଖ ରାତିରେ କିଛି ଲୋକ ଲୁହୁରାଚଟି ନିକଟରେ ରାତିରେ ଟ୍ରକଗୁଡିକରୁ ଡକାୟତି କରିବା ପାଇଁ ଯୋଜନା କରୁଥିଲେ। ଏ ସଂପର୍କରେ ସୂଚନା ପାଇ ବରଗ୍‌ ଏସ୍‌ପି ପରମାର ସ୍ମିତ ପୁରୁଷୋତ୍ତମ ସୋହେଲା ଥାନା ଆଇଆଇସି ହରିବନ୍ଧୁ ଗଡ଼ତିଆଙ୍କୁ ଚଢ଼ାଉ କରିବାକୁ ନିର୍ଦେଶ ଦେଇଥିଲେ। ଆଇଆଇସି ଶ୍ରୀ ଗଡତିଆଙ୍କ ନିର୍ଦେଶକ୍ରମେ ଏସ୍‌ଆଇ ସୁଶୀଳା ଟିଗା ଏବଂ କର୍ମଚାରୀମାନେ ସୀମାନ୍ତ ଲୁହୁରାଚଟି ନିକଟରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ କାବୁ କରିବା ସହ ଉପରୋକ୍ତ ସାମଗ୍ରୀ ଜବତ କରିଥିଲେ। ଏ ନେଇ ଥାନାରେ କେସ୍‌ ନଂ. ୨୦୨/୨୨ରେ ଆଇପିସିର ଧାରା ୩୯୯, ୪୦୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଆଇଆଇସି ଶ୍ରୀ ଗଡ଼ତିଆ ସୂଚନା ଦେଇଛନ୍ତି।