ଦଶହରା ପାଇଁ ଦାଦାବଟି ଆଦାୟ, ୪ ଗିରଫ: ଖଣ୍ଡା, ଛୁରି, ବାଇକ୍‌ ଓ ଲାଠି ଜବତ

ପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତଙ୍କୁ ବାସେଳିସାହି ଥାନା ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ଏକ ବାଇକ୍‌, ଖଣ୍ଡା, ଛୁରି ଓ ଲାଠି ଜବତ କରାଯାଇଛି। ଏ ସଂକ୍ରାନ୍ତରେ ଦୁଇଟି ମାମଲା ରୁଜୁ କରି ପୁଲିସ ଆଜି ୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ବାସେଳିସାହି ଥାନା ଅନ୍ତର୍ଗତ ଗୋଖାସାହିର ରମେଶ ବେହେରାଙ୍କ ପତ୍ନୀ ହରଷ ଦେଇ ଅଭିଯୋଗ କରିଥିଲେ ଯେ ଟାଉନ ଥାନା ଅନ୍ତର୍ଗତ ବାରବାଟି ଜାଗା ପାରାନୋଳିଆସାହିର ଭବାନୀ ଶଙ୍କର ନାୟକ(୪୦) ଓ ମଣିକର୍ଣ୍ଣିକାସାହିର ଚିତ୍ତରଞ୍ଜନ ମହାନ୍ତି(୩୩) ଦୁହେଁ ଓଡି-୧୩-ପି-୩୧୮୨ ନମ୍ବର ବିଶିଷ୍ଟ ଏକ ବାଇକ୍‌ରେ ତାଙ୍କ ଘର ସମ୍ମୁଖରେ ପହଞ୍ଚିଥିଲେ। ସେମାନେ ତାଙ୍କୁ ଖଣ୍ଡା ଓ ଲାଠି ଦେଖାଇ ଦୁର୍ଗାପୂଜା ପାଇଁ ଦାଦାବଟି ମାଗିଥିଲେ।

ଯଦି ଦାଦାବଟି ନ ଦେବ, ତେବେ ଜୀବନରେ ମାରିଦିଆଯିବ ବୋଲି ଧମକ ଦେଇଥିଲେ। ତେବେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଯିବାରୁ ସେମାନେ ବାଇକ୍‌ରେ ସେଠାରୁ ଖସିପଳାଇଥିଲେ। ଏନେଇ ହରଷଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଆଜି ୬ଟି ମାମଲାରେ ଜଡ଼ିତ ଥିବା ଚିତ୍ତରଞ୍ଜନ ଓ ତା’ର ସହଯୋଗୀ ଭବାନୀ ଶଙ୍କରକୁ ଗିରଫ କରିଛି। ଅଭିଯୁକ୍ବ ଦ୍ବୟଙ୍କଠାରୁ ଖଣ୍ଡା, ଲାଠି ଓ ବାଇକ୍‌ ଜବତ କରିଛି।

ସେହିପରି ବାସେଳି ସାହି ଥାନାରେ ୨୪ଟି, ସଦର ଥାନାରେ ଦୁଇଟି ଓ ଟାଉନ ଥାନାରେ ଦୁଇଟି ମାମଲାରେ ଜଡ଼ିତ ଥିବା ଗୋଖାସାହିର ଦିବାନା ବେହେରା(୨୮)ଓ ତା’ର ସହଯୋଗୀ ମଶାଣୀଚଣ୍ଡୀ ଛକର ପପୁ ପୃଷ୍ଟି(୩୨) ମଶାଣୀଚଣ୍ଡୀ ଛକ ମାଛ ମାର୍କେଟରେ ବ୍ୟବସାୟୀମାନଙ୍କୁ ଛୁରି ଓ ଲାଠି ଦେଖାଇ ଦାଦାବଟି ମାଗୁଥିଲେ। ଖବର ପାଇ ବାସେଳିସାହି ଥାନା ପୁଲିସ ସେଠାରେ ପହଞ୍ଚି ଅଭିଯୁକ୍ତ ଦ୍ବୟଙ୍କୁ ଗରିଫ କରି ସେମାନଙ୍କଠାରୁ ଛୁରି, ଲାଠି ଓ ୨ଶହ ଟଙ୍କା ଜବତ କରିଥିଲା।

ସମ୍ବନ୍ଧିତ ଖବର