ପୁରୀ : ଦାଦାବଟିର ପେଣ୍ଠ ପାଲଟିଛି ପୁରୀ ସହର। ପ୍ରତିଟି ଗଳିକନ୍ଦିରେ ଦାଦାବଟି ମାଫିଆଙ୍କ ଗୁଣ୍ଡାରାଜ ଶାନ୍ତିରେ ରହିବାକୁ ଦେଉନାହିଁ। ବିଶେଷକରି ଶ୍ରୀକ୍ଷେତ୍ରକୁ ଆସୁଥିବା ପର୍ଯ୍ୟଟକମାନେ କୁଜି ଗୁଣ୍ଡାମାନଙ୍କର ଟାର୍ଗେଟ୍‌ ପାଲଟିଛନ୍ତି। ରିକ୍ସା ଚାଳକଙ୍କଠୁ ନେଇ ଅଟୋଚାଳକ, ପୁଣି ପାନ ଦୋକାନଠୁ ନେଇ ହୋଟେଲ୍‌ ମାଲିକଙ୍କ ଯାଏ, କେହି ବି ଦାଦାବଟି ମାଫିଆଙ୍କ ଦୌରାତ୍ମ୍ୟରୁ ବାଦ ପଡ଼ୁନାହାନ୍ତି। ବିଡ଼ମ୍ବନା ଏହି ଯେ ପ୍ରତିମାଦ ୭୦ରୁ ୯୦ ଜଣ ଦାଦାବଟି ଆଦାୟ ଅଭିଯୋଗରେ ପୁଲିସ୍‌ ଦ୍ବାରା ଗିରଫ ହେଉଛନ୍ତି। ତଥାପି ଏଥିରେ ରୋକ୍‌ ଲାଗୁନାହିଁ।

Advertisment

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଦାଦାବଟି ଆଦାୟ ଭଳି ଅପରାଧରେ ସାମିଲ୍‌ ହେଉଥିବା ଅପରାଧୀମାନେ ପ୍ରାୟତଃ ଯୁବକ ଏବଂ ନିଶାଗ୍ରସ୍ତ ବ୍ୟକ୍ତି। ନିଶା ସେବନ ଭଳି ବ୍ୟାଧିର ଚକ୍ରବ୍ୟୁହରେ ପଡ଼ି ଏଭଳି କାଣ୍ଡ ଭିଆଇ ଚାଲିଛନ୍ତି। ପୁଲିସ ଦ୍ବାରା ଗିରଫ ହୋଇ କୋର୍ଟଚାଲାଣ ହେଉଛନ୍ତି। ବଡ଼ ଅପରାଧୀମାନେ ସେମାନଙ୍କୁ ହାତ ବାରିସି କରି କେବଳ ସାହସ ଦେଉନାହାନ୍ତି, ବରଂ ଜାମିନ ମଧ୍ୟ କରାଇ ଆଣୁଛନ୍ତି। ଜେଲ୍‌ରୁ ବାହାରିବା ପରେ ସେମାନେ ପୁଣି ଛୁରି ଦେଖାଇ ଭୟଭୀତ କରି ଦାଦାବଟି ଆଦାୟ କିମ୍ବା ଚୋରି କରୁଛନ୍ତି। ଗତ ୬ ମାସ ମଧ୍ୟରେ୪ ଶହରୁ ଅପରାଧୀଙ୍କୁ ପୁଲିସ ଦାଦାବଟି ଆଦାୟ ଅପରାଧରେ ଗିରଫ କରିଛି। କିନ୍ତୁ ସେମାନେ ପୁଲିସ୍‌କୁ ଚ୍ୟାଲେଞ୍ଜ୍‌ ଦେଇ ବଟି ଆଦାୟ କରୁଛନ୍ତି। ଚୋର ପୁଲିସ୍‌ର ଏହି ଧରପଗଡ଼ ଭିତରେ ମାନସିକ ଓ ଆର୍ଥିକ ଯନ୍ତ୍ରଣା ଭୋଗୁଛନ୍ତି ସାଧାରଣ ଜନତା।
ଦାଦାବଟି ଆଦାୟ କରୁଥିବା ଅପରାଧୀମାନେ ମୁଖ୍ୟତଃ ଶ୍ରୀକ୍ଷେତ୍ରର ପ୍ରବେଶ ପଥ ନିକଟରେ ପର୍ଯ୍ୟଟକଙ୍କୁ ଟାର୍ଗେଟ୍‌ କରୁଛନ୍ତି।

publive-image Tripadvisor

ଏହାବ୍ୟତୀତ କିଛି ଅପରାଧୀ ଖୁଲାମଖୁଲା ବେଳାଭୂମି ସଂଲଗ୍ନ ବ୍ୟବସାୟ କ୍ଷେତ୍ରକୁ ଟାର୍ଗେଟ୍‌ କରୁଛନ୍ତି। ବହୁ ହୋଟେଲ ବ୍ୟବସାୟୀ ପ୍ରତି ସପ୍ତାହରେ ଦାଦାବଟି ଦେଉଛନ୍ତି। କିନ୍ତୁ ମାମଲା ହେଉନାହିଁ। ନିକଟରେ ଲୋକନାଥ ରୋଡ୍‌ରେ ଜଣେ ବ୍ୟକ୍ତି ଏକ ହୋଟେଲ୍‌ରେ ପଶି ସୁରକ୍ଷାକର୍ମୀଙ୍କୁ ଧମକାଇବା ସହ ଦାଦାବଟି ଦେବାକୁ ଧମକ ଦେଇଥିଲା। ଏନେଇ ଅଭିଯୋଗ ହୋଇଥିଲା। ତେବେ ଅଧିକାଂଶ ହୋଟେଲ ବ୍ୟବସାୟୀ ବଟି ଦେଉଥିଲେ ବି କେବେ ପୁଲିସ୍‌ ନିକଟରେ ଅଭିଯୋଗ କରୁନାହାନ୍ତି। ବାସ୍ତବରେ କୋହଳ ଦଣ୍ଡ ବିଧାନ ଅପରାଧୀଙ୍କୁ ସୁହାଉଛି। ଯେଉଁମାନେ ଗିରଫ ହୋଇ ଜେଲ୍‌ ଯାଉଛନ୍ତି, ପୁଣି ମାସେ କି ଦୁଇ ମାସ ଅନ୍ତରରେ ଜାମିନରେ ଆସି ପୁଣି ଦାଦାବଟି ଆଦାୟ କରୁଛନ୍ତି। ତେଣୁ ଛୋଟମୋଟ ବ୍ୟବସାୟୀମାନେ ଭୟରେ ସେମାନଙ୍କୁ ଦାଦାବଟି ଦେଉଛନ୍ତି। ଯେଉଁମାନେ ପୁଲିସ୍‌କୁ ସୂଚନା ଦେଉଛନ୍ତି ସେମାନେ ଅପରାଧୀଙ୍କର ଟାର୍ଗେଟ୍‌ ହେଉଛନ୍ତି। କେବଳ ବ୍ୟବସାୟ ସ୍ଥଳ କି ପର୍ଯ୍ୟଟନ ସ୍ଥଳ ନୁହେଁ, ବିଭିନ୍ନ ସ୍ଥାନରେ ନୂଆ ଘର ନିର୍ମାଣ ହେଉଥିବା ସ୍ଥାନରେ ମଧ୍ୟ ଦାଦାବଟି ଆଦାୟ କରିବାକୁ ଅପରାଧୀମାନେ ପହଞ୍ଚିଯାଉଛନ୍ତି। ଲକ୍ଷାଧିକ ଟଙ୍କା ବଟି ଆକାରରେ ମାଗୁଛନ୍ତି।

ଏନେଇ ପୁରୀର ଅତିରିକ୍ତ ଏସ୍‌ପି ମିହିର ପ୍ରସାଦ ପଣ୍ଡା କହିଛନ୍ତି, ଶ୍ରୀକ୍ଷେତ୍ରକୁ ପ୍ରତିଦିନ ପର୍ଯ୍ୟଟକ ଆସୁଛନ୍ତି। ବ୍ୟବସାୟିକ କ୍ଷେତ୍ରରେ ଟଙ୍କାର ଆଦାନ ପ୍ରଦାନ ଅହରହ ଚାଲିଛି। ତେଣୁ ଅପରାଧୀମାନେ ମାରଣାସ୍ତ୍ର ଦେଖାଇ ଧମକାଇ ବଟି ଆଦାୟ କରୁଥିବା ସାମ୍ନାକୁ ଆସୁଛି। ଦାଦାବଟି ଆଦାୟ ମାମଲାରେ ପ୍ରାୟ ୮୦ ପ୍ରତିଶତ ପୁଲିସ ପକ୍ଷରୁ ମାମଲା ହେଉଛି। ଯେଉଁମାନେ ଏଭଳି ସମସ୍ୟାର ସାମ୍ନା କରୁଛନ୍ତି ତୁରନ୍ତ ପୁଲିସ୍‌କୁ ଖବର ଦେବା ପାଇଁ ଟୋଲ ଫ୍ରି ନମ୍ବର ୧୧୨ ଓ ହ୍ବାଟ୍‌ସ ଆପ୍‌ ନମ୍ବର ୭୭୩୫୮୪୮୮୬୭ ଜାରି ହୋଇଛି। ଯେଉଁମାନେ ନିଜ ନାମ ଗୋପନ ରଖି ଖବର ଦେବାକୁ ଚାହୁଁଛନ୍ତି ସେଥିପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ଯେଉଁମାନେ ଦାଦାବଟି ମାମଲାରେ ଗିରଫ ହେଉଛନ୍ତି ସେମାନେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାର ବ୍ୟବସ୍ଥା ଆଇନରେ ରହିଛି। ତେବେ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ସେମାନଙ୍କୁ କିଭଳି ଦଣ୍ଡ ବିଧାନ କରାଯାଉଛି ତା ଉପରେ ସବୁକିଛି ନିର୍ଭର କରୁଛି ବୋଲି ସେ କହିଛନ୍ତି।