ଭୁବନେଶ୍ବର: ଆଜି ଅପରାହ୍ଣରେ ଝାରପଡ଼ା ଜେଲ୍‌ ମଧ୍ୟରେ ଘଟିଛି ଅଭାବନୀୟ କାଣ୍ଡ। ଗ୍ୟାଙ୍ଗଷ୍ଟର୍‌ ହାଇଦର୍‌ର ପୁଅ ମୁନା ଗ୍ୟାଙ୍ଗ୍‌ ଓ ଅନ୍ୟ କଏଦୀମାନେ ଜଣେ ବିଚାରାଧୀନ କଏଦୀଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଠକେଇ ସମେତ ଅନ୍ୟ ୫ ମାମଲାରେ ବିଚାରାଧୀନ ବନ୍ଦୀ ଭାବେ ଜେଲ୍‌ରେ ଥିବା କଟକର ସୌମ୍ୟ ମହାନ୍ତି ଏହି ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ସୌମ୍ୟଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଜେଲ୍‌ କର୍ତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧା ବଢ଼ିଛି। ଜେଲ୍‌ର ସୁରକ୍ଷା ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠିଥିବା ବେଳେ ଦାୟିତ୍ବ ଖସାଇବାକୁ କର୍ତ୍ତୃପକ୍ଷ ତଳିଆ କର୍ମଚାରୀଙ୍କୁ କୈଫିୟତ ମାଗିଥିବା ଜଣାପଡ଼ିଛି। ସେହିଭଳି ଲକ୍ଷ୍ମୀସାଗର ଥାନାରେ ମଧ୍ୟ ଅଭିଯୋଗ କରାଯାଇଛି।

Advertisment

ବିଚାରାଧୀନ ବନ୍ଦୀଙ୍କୁ ପ୍ରାଣାନ୍ତକ ଆକ୍ରମଣ
ଜେଲ୍‌ ଗୁମର ଫିଟାଇବାରୁ ପ୍ରତି‌ଶୋଧ
ତଦନ୍ତ ନିର୍ଦ୍ଦେଶ ଦେଲେ ଜେଲ୍‌ ଏଡିଜି

ଏହି ଘଟଣାକୁ ନେଇ ଜେଲ୍‌ ବିଭାଗର ଉପର ସ୍ତରରେ ହଇଚଇ ସୃଷ୍ଟି ହୋଇଛି। ଜେଲ୍‌ ଏଡିଜି ଅମିତାଭ ଠାକୁର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜେଲ୍‌ ଡିଆଇଜି ଅନୁସୟା ଜେନା ଆସନ୍ତାକାଲି ଝାରପଡ଼ା ଜେଲ୍‌ ଯାଇ ତଦନ୍ତ କରିବେ ବୋଲି ସୂଚନା ମିଳିଛି।
ଆଜି ଅପରାହ୍ଣ ପ୍ରାୟ ୨ଟା ବେଳେ ହଠାତ୍ ସୌମ୍ୟ ରହୁଥିବା ସେଲ୍‌ରେ ୩୦ରୁ ୩୫ କଏଦୀ ପହଞ୍ଚିଥିଲେ। ସେମାନେ ସୌମ୍ୟଙ୍କୁ ଟାଣିନେଇ ନିର୍ଧୁମ୍‌ ମାଡ଼ ମାରିଥିଲେ। ବିଧା, ଗୋଇଠା ମାରିମାରି ଲହୁଲୁହାଣ କରିପକାଇଥିଲେ। ଏହାଦେଖି ଜେଲ୍‌ ୱାର୍ଡରମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ସେମାନେ ଯେତେ ଚେଷ୍ଟା କଲେ ବି ଆକ୍ରମଣ କରୁଥିବା କଏଦୀମାନଙ୍କୁ ଅଟକାଇ ପାରିନଥିଲେ। ମୁଣ୍ଡ ଓ ମୁହଁ ଫାଟିଯିବା ପରେ ତଳେ ଛଟପଟ ହୋଇ ସୌମ୍ୟ ବିକଳରେ ସୁରକ୍ଷା ମାଗୁଥିଲେ ବି ୱାର୍ଡରମ‌ାନେ ତାଙ୍କୁ ଉଦ୍ଧାର କରିପାରି ନଥିଲେ। ପିଟିପିଟି ମନ ଶାନ୍ତି ହେବା ପରେ ଆକ୍ରମଣକାରୀମାନେ ପଳାଇଥିଲେ। ଏହାପରେ ଜେଲ୍‌ର ସୁରକ୍ଷାକର୍ମୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ଆକ୍ରମଣକାରୀମାନେ ମାଡ଼ ମାରୁଥିବା ବେଳେ ସୌମ୍ୟଙ୍କୁ ଗାଳି ଦେଉଥିଲେ। ସେଥିରୁ ଜଣାପଡ଼ୁଥିଲା କି ସୌମ୍ୟ ଜେଲ୍‌ ଭିତରର ଗୁମର ଫିଟାଇଥିବାରୁ ସେମାନେ ପ୍ରତିଶୋଧ ପରାୟଣ ହୋଇ ଏଭଳି ଆକ୍ରମଣ କରୁଥିଲେ। ଆଗକୁ ଆଉ କେବେ ଏମିତି କହିଲେ, ତାଙ୍କୁ ଜେଲ୍‌ ଭିତରେ ହିଁ ହତ୍ୟା କରାଯିବ ବୋଲି ସେମାନେ ଧମକ ଦେଇଥିଲେ। 

ଗତକାଲି ଖୋର୍ଦ୍ଧା ଜିଲ୍ଲା‌ ଆଇନ ସେବା ପ୍ରାଧିକରଣ (ଡିଏଲ୍‌ଏସ୍‌ଏ) ସଚିବ ‌ଜେଲ୍‌ ପରିଦର୍ଶନରେ ଆସିଥିବା ବେଳେ କିଛି କଏଦୀ ଜେଲ୍‌ ଭିତରର ଗୁମର କହିଥିଲେ। କିଛି ଅପରାଧୀଙ୍କୁ ଜେଲ୍‌ କର୍ମଚାରୀ ନିଶା ଯୋଗାଉଛନ୍ତି ଏବଂ ମୋବାଇଲ୍‌ ଯୋଗାଉଛନ୍ତି ବୋଲି କହିଥିଲେ। ଜେଲ୍‌ କର୍ମଚାରୀଙ୍କ ସହଯୋଗରେ କିଛି କଏଦୀ ଏଠାରେ ଆରାମଦାୟକ ଜୀବନ ବିତାଉଛନ୍ତି ବୋଲି ଜଣାଇଥିଲେ। ଏଭଳି ଗୁମର ବାବଦରେ କହିଥିବା କଏଦୀଙ୍କ ଭିତରେ ଥିଲେ ସୌମ୍ୟ। ସେ ୨୦୧୯ ମସିହାରୁ ଏହି ଜେଲ୍‌ରେ ରହୁଛନ୍ତି। ତେଣୁ ଡିଏଲ୍‌ଏସ୍‌ଏ ସଚିବ ତାଙ୍କ କଥାକୁ ଗୁରୁତ୍ବ ଦେଇ ଖୋଳତାଡ଼ କରିଥିଲେ। ଏତିକିବେଳେ ଜଣେ ଦୁଷ୍କର୍ମ ଅଭିଯୁକ୍ତର ରୁମ୍‌ରୁ ମୋବାଇଲ୍‌ ମିଳିଥିଲା। ଏନେଇ ଡିଏଲ୍‌ଏସ୍‌ଏ ସଚିବ କ୍ଷୋଭ ପ୍ରକାଶ କରିବା ସହ ଜେଲ୍‌ କର୍ତ୍ତୃପକ୍ଷଙ୍କ ଉପରେ ବିରକ୍ତ ହୋଇଥିଲେ। ଏହି ଘଟଣା ପରେ ମୁନା‌ ଓ ତା’ର ସହଯୋଗୀମାନେ ସୌମ୍ୟକୁ ଟାର୍ଗେଟ୍‌ କରିଥିଲେ। ଏନେଇ ‌ସୌମ୍ୟ କହିଛନ୍ତି,‌ ଜେଲ୍‌ ମଧ୍ୟରେ ଚାଲିଥିବା କେଳେଙ୍କାରୀର ଫର୍ଦ୍ଦାଫାସ୍‌ କରିବାରୁ ତାଙ୍କୁ ହାଇଦର୍‌ ପୁଅ ମୁନା ଗ୍ୟାଙ୍ଗ୍‌ ପକ୍ଷରୁ ଧମକ ମିଳିଥିଲା। ଏନେଇ ସେ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। କିନ୍ତୁ ତାଙ୍କୁ ସୁରକ୍ଷା ମିଳିନଥିଲା। ଆଗକୁ ବି ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଜେଲ୍‌ ଅଧୀକ୍ଷକ ଏହି ଆକ୍ରମଣକୁ ସ୍ବୀକାର କରିଛନ୍ତି। ପ୍ରାୟ ୩୫ ଜଣ ଏଭଳି ଆକ୍ରମଣ କରିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣାକୁ ଗୁରୁତ୍ବର ସହ ନିଆଯାଇଛି ବୋଲି ସେ କହିଛନ୍ତି।