ଏନଟିପିସି ଡୁଲିଙ୍ଗା କୋଇଲା ଖଣି କମ୍ପାନିର ଦାଦାଗିରି

କୋଇଲା ବର୍ଜ୍ୟରେ ଅଣନିଃଶ୍ବାସୀ କରି ବିସ୍ଥାପିତଙ୍କୁ ତଡ଼ିବାକୁ ମସୁଧା, ମାନବିକ ଅଧିକାର ଆୟୋଗଙ୍କ ନିର୍ଦ୍ଦେଶକୁ ବେଖାତିର 

ସୁନ୍ଦରଗଡ଼ : ମଝିରେ ଗାଁ, ଆଉ ଚାରିପଟେ କୋଇଲା ବର୍ଜ୍ୟ ଓ ମାଟିର ପା ହାଡ଼। ଟିକେ ପବନ ବହିଲେ କି ଟ୍ରକରୁ ପକାଇବା ବେଳେ ସବୁ ଧୂଳିଧୂଆଁ ଉଡ଼ି ଆସି ଘରେ ପଶୁଛି। ବାଲଟି କି ଗରାରେ ରଖିଥିବା ପାଣି, ଲୁଗାରେ ପଡ଼ି ଯାଉଛି କଳାର ଆସ୍ତରଣ। ଦିନକୁ ପାଞ୍ଚ ଥର ଝାଡ଼ୁ କଲେ ବି କଳା ଧୂଳି ଯାଉ ନାହିଁ। ଏପରି ଧୂଳିଧୂଆଁରେ ଜୀବନ କାଟୁଛନ୍ତି ହେମଗିର ବ୍ଲକ୍ ଏନଟିପିସି ଡୁଲିଙ୍ଗା କୋଇଲା ଖଣି ବିସ୍ଥାପିତ ଖପୁରିକଛାର ଗାଁର ୬୪ ପରିବାର। କମ୍ପାନି ସେମାନଙ୍କୁ ଘରବାରିର କ୍ଷତିପୂରଣ ନଦେଇ ବିନା ଥଇଥାନରେ କଳା ଧୂଳିଧୂଆଁରେ ଅଣନିଃଶ୍ବାସୀ କରି ଘରୁ ତଡ଼ିବାକୁ ମସୁଧା କରୁଥିବା ଅଭିଯୋଗ ହୋଇଛି। କ୍ଷତିପୂରଣ ମିଳି ନାହିଁ ବୋଲି ୬୪ ପରିବାର ଗାଁ ଛାଡ଼ିବାକୁ ରାଜି ନାହାନ୍ତି। ଅନ୍ୟପଟେ କମ୍ପାନି ଘର ଛାଡ଼ିଲେ କ୍ଷତିପୂରଣ ଦିଆଯିବ ବୋଲି କମ୍ପାନି କହୁଛି। ଏପରିକି ପୁନର୍ବାସ ପାଇଁ ଚିହ୍ନଟ ଜମିରେ ଘର ତିଆରି କଲେ ସରକାରୀ ଯୋଜନା ଭଳି କମ୍ପାନି ଅଗ୍ରଗତି ରିପୋର୍ଟ ଦେଖି କିସ୍ତିରେ ଟଙ୍କା ପ୍ରଦାନ କରିବ ବୋଲି କହୁଥିବା ବିସ୍ଥାପିତ ପ୍ରକାଶ କରିଛନ୍ତି।

ସବୁଠାରୁ ବଡ଼କଥା ହେଲା, ଏ ସଂକ୍ରାନ୍ତରେ ରାଜ୍ୟ ମାନବିକ ଅଧିକାର ଆୟୋଗଙ୍କ ନିର୍ଦ୍ଦେଶକୁ ବି କମ୍ପାନି ଅମାନ୍ୟ କରି ଗାଁ କଡ଼ରେ କୋଇଲା ବର୍ଜ୍ୟ ପକାଇ ଚାଲିଛି। ବିସ୍ଥାପିତ କମ୍ପାନିର ମନମାନୀ ସମ୍ପର୍କରେ ରାଜ୍ୟ ମାନବିକ ଅଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ କରିବା ପରେ ଆୟୋଗ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି। ଜୁନ ୨୩ ସୁଦ୍ଧା ରିପୋର୍ଟ ଦେବା ଏବଂ ସେହି ସମୟ ମଧ୍ୟରେ ଗାଁରେ କୌଣସି କାମ ନକରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ପ୍ରଶାସନ ମଧ୍ୟ ଆୟୋଗଙ୍କ ନିର୍ଦ୍ଦେଶର ଅନୁପାଳନ ପାଇଁ ବିଶେଷ ଧ୍ୟାନ ଦେଇ ନଥିବା ଅଭିଯୋଗ ହୋଇଛି।

ଏନଟିପିସି ଡୁଲିଙ୍ଗା କୋଇଲା ଖଣି ପ୍ରକଳ୍ପରେ ଖପୁରିକଛାର ଗାଁର ୯୬ ପରିବାର ସମ୍ପୂର୍ଣ୍ଣ ବିସ୍ଥାପିତ ହେବେ। କୋଇଲା ଉତ୍ତୋଳନ ସମୟରେ ବାହାରୁଥିବା ବର୍ଜ୍ୟ କୋଇଲା ଓ ମାଟିକୁ ଗଦା କରିବା ପାଇଁ ଗାଁର ଜମି ଅଧିଗ୍ରହଣ କରିଛି କମ୍ପାନି। କିନ୍ତୁ କେବଳ ଚାଷ ଜମିର କ୍ଷତିପୂରଣ ଦେଇ ବିସ୍ଥାପିତ ପରିବାରକୁ ଗାଁ ଛାଡ଼ିବାକୁ ବାଧ୍ୟ କରୁଛି। ଏହା ମଧ୍ୟରେ କମ୍ପାନି ଘର ଛାଡ଼ିବା ପରେ କ୍ଷତିପୂରଣ ମିଳିବ ବୋଲି କହିବାରୁ ୩୨ ପରିବାର ଘର ଛାଡ଼ି ବିସ୍ଥାପିତ କଲୋନିକୁ ଚାଲି ଯାଇଛନ୍ତି। କିନ୍ତୁ ବାକି ୬୪ ପରିବାର କଲୋନିରେ ରହିବାକୁ ମନା କରିବା ସହ ଘର, ଘରଡିହ ଓ ବାରି ବାବଦରେ କ୍ଷତିପୂରଣ ସହ ବିସ୍ଥାପନ, ଥଇଥାନ ନୀତିରେ ପୁନର୍ବାସ, ଥଇଥାନ ସୁବିଧା ଦେଲେ ଘର ଛାଡ଼ିବେ ବୋଲି କହୁଛନ୍ତି।

ଏସ୍ଥିତିରେ କମ୍ପାନି କ୍ଷତିପୂରଣ ଓ ପୁନର୍ବାସ ସୁବିଧା ଦେବା ପରିବର୍ତ୍ତେ କୁଟିଳ ବୁଦ୍ଧି ପ୍ରୟୋଗ କରି ଗାଁର ପ୍ରବେଶ ରାସ୍ତାକୁ ଛାଡ଼ି ଅନ୍ୟ ଚାରିପଟେ ଗାଁକୁ ଘେରାବନ୍ଦୀ କଲା ଭଳି କୋଇଲା ବର୍ଜ୍ୟର ପାହାଡ଼ ଠିଆ କରି ଦେଇଛି। ଯାହାକୁ ନେଇ ୬୪ ବିସ୍ଥାପିତ ପରିବାର ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଜିଲ୍ଲାପାଳ ସବୁଦିନ ପାଇଁ ନିଜ ପିତୃପୁରୁଷ ଭିଟାମାଟି, ଚାଷ ଜମି ଓ ଜୀବିକା ହରାଉଥିବା ବିସ୍ଥାପିତଙ୍କ ପ୍ରତି ସମ୍ବେଦନଶୀଳ ହୋଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର