ଅର୍ଥ ଲଗାଣକାରୀ ସଂସ୍ଥାର ଦାଦାଗିରି: ଦୃଷ୍ଟିହୀନଙ୍କ ଗାଡ଼ି ଓ ବାଦ୍ୟଯନ୍ତ୍ର ଛଡ଼ାଇନେଲା 

କୋରେଇ: ଦୃଷ୍ଟିହୀନ କଳାକାରମାନେ ଭଜନ ପରିବେଶଷ କରିବାକୁ ଏକ ଭଡ଼ା ଗାଡିରେ ଯାଉଥିବା ବେଳେ ଅଧାବାଟରୁ ସେମାନଙ୍କ ଗାଡି ଓ ବାଦ୍ୟଯନ୍ତ୍ର ଆଦି ଛଡାଇ ନେଇଥିଲେ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀ। ଏନେଇ ବିଦ୍ୟାଙ୍ଗମାନେ କୋରେଇ ଥାନାର ଦ୍ବାରସ୍ଥ ହେବା ପରେ ସେମାନଙ୍କ ସାମଗ୍ରୀ ଫେରି ପାଇଛନ୍ତି।

କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳୁ ୧୦ରୁ ଅଧିକ ଦୃଷ୍ଟିହୀନ କଳାକାର କୋରେଇ ବ୍ଲକ୍ ଅନ୍ତର୍ଗତ କାଚରାସାହି ପଂଚାୟତରେ ଏକ ଭଜନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ। ଏମାନେ ବିଭିନ୍ନ ସ୍ଥାନରେ ଭଜନ ପରିବେଷଣ କରି ଏମାନେ ପେଟ ପୋଷନ୍ତି। କାର୍ଯ୍ୟକ୍ରମ ସାରି ଘରକୁ ଫେରୁଥିବା ବେଳେ କୋରେଇ ଥାନା ରଗଡି ଛକ ଠାରେ ଫାଇନାନ୍ସ କମ୍ପାନିର କିଛି କର୍ମଚାରୀ ଗାଡିକୁ ଅଟକାଇଥିଲେ। ଗାଡିର କିସ୍ତି ବକେୟା ଥିବାରୁ କର୍ମଚାରୀମାନେ ଗାଡିକୁ ଜବତ୍ କରି ନେଇଥିଲେ। ବିଦ୍ୟାଙ୍ଗମାନେ ବହୁ ଅନୁରୋଧ କରିଥିଲେ ମଧ୍ୟ ଅଧାବାଟରୁ ସେମାନଙ୍କୁ ଓହ୍ଲାଇ ଗାଡିକୁ ନେଇ ଯାଇଥିଲେ। ଗାଡିରେ ଥିବା କଳାକାରଙ୍କ ବାଦ୍ୟଯନ୍ତ୍ର ମଧ୍ୟ ନେଇ ଯାଇଥିଲେ।

ପରେ କାଚରାସାହି ସରପଞ୍ଚ ଗୌରୀଶଙ୍କର ମହାପାତ୍ର ଖବର ପାଇ ଅନ୍ୟଏକ ଗାଡିରେ ଯିବାର ବ୍ୟବସ୍ଥା କରିଥିଲେ। ପରଦିନ ବାଦ୍ୟଯନ୍ତ୍ର ପାଇଁ ଫାଇନାନ୍ସ କମ୍ପାନି କର୍ମଚାରୀଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ଶୁଣିନଥିଲେ। ଫଳରେ କଳାକାର ପ୍ରକାଶ ସାହୁଙ୍କ ନେତୃତ୍ବରେ ରତନ ରାଉତ, ସତ୍ୟାନନ୍ଦ ମିଶ୍ର, ମିଲନ ପଣ୍ତା, ସନ୍ଧ୍ୟାରାଣୀ ସାହୁ, ସୁରମା ପ୍ରଧାନ, ମାମିନା ବାରିକ ପ୍ରମୁଖ ଏନେଇ କୋରେଇ ଥାନାରେ ଅଭିଯୋଗ କରିଥିଲେ। ବାଦ୍ୟଯନ୍ତ୍ର ନଥିବାରୁ କାର୍ଯ୍ୟକ୍ରମ ପରିବେଷଣ କରିପାରୁନଥିବାରୁ ତୁରନ୍ତ ତାହା ଫେରାଇବାକୁ ଅନୁରୋଧ କରିଥିଲେ। ଆଜି କୋରେଇ ଥାନାଧିକାରୀ ଶ୍ରବଣ କୁମାର ମହାରଣା ଉଭୟ ପକ୍ଷଙ୍କୁ ଡକାଇ ଆଲୋଚନା କରିବା ପରେ ବାଦ୍ୟଯନ୍ତ୍ର ଫେରସ୍ତ କରାଯାଇଛି।

ସମ୍ବନ୍ଧିତ ଖବର