ଦାଦନ ଦୁଃଖ: ରୋଜଗାର ପାଇଁ ଯାଉଛନ୍ତି, ଶବହୋଇ ଫେରୁଛନ୍ତି

୩ ମାସରେ ଗଲାଣି ୧୦ ଜୀବନ

ବ୍ରହ୍ମପୁର : ବାହାର ରାଜ୍ୟକୁ ‌ରୋଜଗାର ପାଇଁ ଯାଉଛନ୍ତି, ହେଲେ ଶବହୋଇ ଫେରୁଛନ୍ତି। ଏହା ହିଁ ଦାଦନର କରୁଣ ଚିତ୍ର! ଗତ ୩ମାସ ମଧ୍ୟରେ କେବଳ ଗଞ୍ଜାମ ଜିଲ୍ଲାରୁ ୧୦ଜଣ ଶ୍ରମିକଙ୍କ ମୃତ୍ୟୁ ଘଟି ସାରିଲାଣି। ରାଜ୍ୟର ଅନ୍ୟ ଦାଦନପ୍ରବଣ ଜିଲ୍ଲା ଏବଂ ଏହାପୂର୍ବରୁ ଘଟିଥିବା ଘଟଣାକୁ ହିସାବକୁ ନେଲେ, ଏହି ସଂଖ୍ୟା ଯେ କେତେ ଅଧିକ ହେବ ତାହାର କୌଣସି ବାସ୍ତବ ଚିତ୍ର ନାହିଁ।

ରାଜ୍ୟର ଦାଦନପ୍ରବଣ ଜିଲ୍ଲାଗୁଡ଼ିକ ମଧ୍ୟରୁ ଗଞ୍ଜାମ ହେଉଛି ଅନ୍ୟତମ ଓ ଆଗୁଆ ବି। ଶିଳ୍ପବିହୀନ ଏହି ଜିଲ୍ଲାର ୫ଲକ୍ଷରୁ ଅଧିକ ଲୋକ ବିଭିନ୍ନ ରାଜ୍ୟରେ ଦାଦନ ଶ୍ରମିକ ଭାବେ କାମ କରୁଛନ୍ତି। ତନ୍ମଧ୍ୟରୁ ୭୦ରୁ ୭୫ ପ୍ରତିଶତ ଲୋକ ସୁରତର ସୂତାକଳରେ କାମ କରୁଛନ୍ତି। ଗଞ୍ଜାମ ଜିଲ୍ଲାରୁ କେତେ ଦାଦନ ଶ୍ରମିକ ବାହାର ରାଜ୍ୟରେ ଖଟୁଛନ୍ତି ଏବଂ ବାହାର ରାଜ୍ୟର ଅଭାବନୀୟ ପରିସ୍ଥିତିରେ କିଭଳି ସେମାନଙ୍କର ମୃତ୍ୟୁ ଘଟୁଛି , ତା’ର ହିସାବ ଶ୍ରମ ବିଭାଗ ପାଖରେ ମଧ୍ୟ ନାହିଁ। ତେବେ ହସ୍ତଗତ ତଥ୍ୟ ଅନୁଯାୟୀ, ଗତ ପ୍ରାୟ ୩ମାସ ମଧ୍ୟରେ ଜିଲ୍ଲାର କେବଳ ସାନଖେମୁଣ୍ଡି ବ୍ଲକ୍‌ର ୬ଜଣ ଦାଦନ ଶ୍ରମିକଙ୍କର ବାହାର ରାଜ୍ୟରେ ବିଭିନ୍ନ କାରଣରୁ ମୃତ୍ୟୁ ଘଟିଛି।  ସେହିପରି ପାତ୍ରପୁର, ଛତ୍ରପୁର ଓ ଜଗନ୍ନାଥପ୍ରସାଦ ବ୍ଲକ୍‌ର ୪ଜଣ ଶ୍ରମିକଙ୍କର ମଧ୍ୟ ବାହାର ରାଜ୍ୟରେ ମୃତ୍ୟୁ ଘଟିଲାଣି।

The New Indian Express

ଗତ ଜାନୁଆରି ମାସରେ ଛତ୍ରପୁର ବ୍ଲକ୍‌ର ସୁନ୍ଦରପୁର ପଞ୍ଚାୟତ ପାଇତାରି ଗ୍ରାମର ସନ୍ତୋଷ ବେହେରାଙ୍କ ମୃତ୍ୟୁ ଘଟିଥିଲା। ସେ ଦୁବାଇରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ସଡ଼କ ଦୁର୍ଘଟଣାରେ ସନ୍ତୋଷଙ୍କ ମୃତ୍ୟୁ ଘଟିଥିବା ବେଳେ ଜାନୁଆରି ୨୮ତାରିଖରେ ତାଙ୍କର ଶବ ଭିଟାମାଟିକୁ ଫେରିଥିଲା। ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତ ଗୁଡ଼ିପଦର ଗ୍ରାମର କୃଷ୍ଣ ଶବର ତାମିଲନାଡ଼ୁର କୋଏମ୍ବାଟୁର୍‌ରେ କାମ କରୁଥିଲେ। ଫେବ୍ରୁଆରି ୨୧ତାରିଖରେ ସେଠାକାର ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା। ଜଗନ୍ନାଥପ୍ରସାଦର କଇଥପଲ୍ଲୀ ସାହିରେ ରହୁଥିବା ୩୦ବର୍ଷୀୟ ଯୁବକ ଜୟଦେବ ପ୍ରଧାନଙ୍କ ତାମିଲନାଡ଼ୁରେ ମୃତ୍ୟୁ ଘଟିଥିଲା। ପାତ୍ରପୁର ବ୍ଲକ୍‌ ଜରଡ଼ା ଥାନା ତୁରୁବୁଡ଼ି ପଞ୍ଚାୟତ ଝଗଡ଼ାପଲ୍ଲୀ ଗ୍ରାମର ଅଭି ଦଳେଇ ହାଇଦ୍ରାବାଦକୁ ଦାଦାନ ଖଟିବାକୁ ଯାଇଥିଲେ। ସେ ନାଗରପଲ୍ଲୀ ଅଞ୍ଚଳରେ ରହୁଥିବା ବେଳେ ସନ୍ଦେହଜନ ଅବସ୍ଥାରେ ମାର୍ଚ୍ଚ ମାସରେ ତାଙ୍କର ମୃତ୍ୟୁ ଘଟିଥିଲା।

 

ସାନଖେମୁଣ୍ଡି ବ୍ଲକ୍‌ ଇଲାକାର ବିଭିନ୍ନ ଗାଁର ୬ଜଣ ଦାଦନ ଶ୍ରମିକଙ୍କ ଗତ ଦୁଇ ସପ୍ତାହ ମଧ୍ୟରେ ଅକାଳ ବିୟୋଗ ଘଟିଛି। ଏଭଳି ଦୁଃଖଦ ଖବର ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି। ମାର୍ଚ୍ଚ ୧୯ତାରିଖରେ ସୁରତରେ କାମ କରୁଥିବା କଉଡ଼ିଆ ଗ୍ରାମର ଜିତେନ୍ଦ୍ର ଦଳାଇଙ୍କ ବିୟୋଗ ଘଟିଥିଲା। ପ୍ରଶାସନର ସହାୟତାରେ ତାଙ୍କର ମୃତଦେହ ଗାଁକୁ ଅଣାଯାଇଥିଲା। ସେହିପରି, ଚେନ୍ନାଇରେ କାମ କରୁଥିବା ଖଲିଙ୍ଗି ଗ୍ରାମର କୃଷ୍ଣ ଦାସଙ୍କ ମୃତଦେହ ଗତ ମାର୍ଚ୍ଚ ୨୭ତାରିଖରେ ରେଳଧାରଣା କଡ଼ରୁ ଉଦ୍ଧାର ହୋଇଥିଲା। ସୁରତରେ କାମ କରୁଥିବା ଖଲିଙ୍ଗିର ଜିତୁ ପ୍ରଧାନ ଆନ୍ଧ୍ରପ୍ରଦେଶର ଗୋଦାବରୀ ଜିଲ୍ଲା ରାଜମହେନ୍ଦ୍ରୀ ନିକଟରେ ଟ୍ରେନ୍‌ରୁ ଖସି ଗତ ୪ତାରିଖରେ ମୃତ୍ୟୁବରଣ କରିଥିଲେ। ଗତ ୧ତାରିଖରେ ଆନ୍ଧ୍ର ପ୍ରଦେଶର ଟୁନି ରେଳ ଷ୍ଟେସନ୍‌ ନିକଟରେ ଟ୍ରେନ୍‌ରରୁ ଖସି ସାହାସପୁର ଗ୍ରାମର ଏ. କୃଷ୍ଣମୂର୍ତ୍ତି ଦୋରାଙ୍କ ମୃତ୍ୟୁ ଘଟିଥିଲା। ଗତ ୬ତାରିଖରେ ହାଇଦ୍ରାବାଦରୁ ଦୁଇଜଣ ଦାଦନ ଶ୍ରମିକଙ୍କ ଶବ ଘରକୁ ଫେରିଥିଲା। ସେମାନେ ହେଲେ ବାବୁ ବରାଡ଼ ଓ ପ୍ରଦୀପ ଗୌଡ଼। ବାବୁ ହାଇଦ୍ରାବାଦରେ ଶ୍ରମିକ ଭାବେ କାମ କରୁଥିବା ବେଳେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ପ୍ରଦୀପଙ୍କ ଟ୍ରେନ୍‌ରୁ ଖସି ମୃତ୍ୟୁ ଘଟିଥିଲା।

ଏହିଭଳି ଘଟଣା ଦାଦନ ଶ୍ରମିକଙ୍କ ଜୀବନ ଓ ସୁରକ୍ଷାକୁ ନେଇ ବିରାଟ ପ୍ରଶ୍ନ ସୃଷ୍ଟି କରିଛି। ରୋଜଗାର ପାଇଁ ବାହାର ରାଜ୍ୟକୁ ଯାଇଥିବା ଭେଣ୍ଡିଆ ପୁଅ ଯେତେବେଳେ ଶବହୋଇ ଘରକୁ ଫେରୁଛନ୍ତି, ସେତେବେଳେ ରୋଜଗାରକ୍ଷମ ପୁଅକୁ ହରାଇ ପରିବାରବର୍ଗ ଭାଙ୍ଗି ପଡ଼ୁଛନ୍ତି। ଗଞ୍ଜାମ ଜିଲ୍ଲାରେ ଗତ କିଛିମାସ ହେଲା ବାରମ୍ବାର ଏଭଳି ଘଟଣା ନଜରକୁ ଆସିଛି। ଅନ୍ୟ ଦାଦନପ୍ରବଣ ଜିଲ୍ଲାମାନଙ୍କରେ ବି ସମାନ ଚିତ୍ର ରହିଛି।

ସମ୍ବନ୍ଧିତ ଖବର