ସୁକିନ୍ଦା : ଯାଜପୁର ଜିଲ୍ଲାର ସୁକିନ୍ଦାରେ ରହିଛି ଅନେକ ଖଣି। ଏହାକୁ ଲାଗି ରହିଥିବା ଦାନଗଦୀ ବ୍ଲକ୍ ହେଉଛି ଶିଳ୍ପାଞ୍ଚଳ। ଆଜି ସୁକିନ୍ଦା ଅଞ୍ଚଳରୁ ତାମିଲନାଡୁକୁ ଦାଦନ ଶ୍ରମିକ ଚାଲାଣ ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଆର୍ଥିକ ଦୁରବସ୍ଥା କାରଣରୁ କେତେକ ନାବାଳକନାବାଳିକା ମଧ୍ୟ ଘର ଛାଡ଼ି ସୁଦୂର ତାମିଲନାଡୁକୁ ଯିବାକୁ ବାହାରିଥିଲେ। ଏଭଳି ୧୬ ଜଣ ବାଳଶ୍ରମିକଙ୍କୁ ଆଜି ସୁକିନ୍ଦା ପୁଲିସ ଉଦ୍ଧାର କରିବା ପରେ ସୁକିନ୍ଦା ଖଣି ଓ କଳିଙ୍ଗନଗର ଶିଳ୍ପାଞ୍ଚଳର ବିକାଶ ଯେ ଏମାନଙ୍କ ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ଆଣିପାରି ନାହିଁ, ତାହା ସ୍ପଷ୍ଟ ହୋଇଛି। ସେହିଭଳି କରୋନା ସମୟରେ ସେମାନଙ୍କୁ ପ୍ରଶାସନ ଜୀବିକା ଉପାର୍ଜନର ପନ୍ଥା ଯୋଗାଇବାରେ ମଧ୍ୟ ବିଫଳ ହୋଇଥିବା ପ୍ରମାଣିତ ହୋଇଛି।
ମିଳିଥିବା ଖବର ଅନୁସାରେ ତାମିଲନାଡୁରୁ ଆସିଥିବା ଏକ ବସ୍ (ଟିଏନ ସିକେ ୫୯ ୦୧୭୫)ରେ ଗୁରୁବାର ଦିନ ଅପରାହ୍ଣରେ ସୁୁକିନ୍ଦା ସମେତ ବିଭିନ୍ନ ସ୍ଥାନରୁ ୬୮ ଜଣଙ୍କୁ ଧରି ନିଜ ରାଜ୍ୟ ଅଭିମୁଖେ ବାହାରିଥିଲା। ଦାଦନ ଶ୍ରମିକ ଚାଲାଣ ହେଉଥିବା ସଂପର୍କରେ ସୁକିନ୍ଦା ଥାନା ଭାରପ୍ରାପ୍ତ ଅଧିକାରୀ ଶିବ ଚରଣ ବେହେରାଙ୍କୁ ଖବର ମିଳିଥିଲା। ପରେ ଏସଆଇ ଅନ୍ତର୍ଯ୍ୟାମୀ ଶ୍ରୀଚନ୍ଦନ ଚଢ଼ଉ କରି ବସ୍ଟିକୁ ଥାନାକୁ ନେଇଯାଇଥିଲେ। ସେଠାରେ ଯାଞ୍ଚ କରିବା ପରେ ରାଙ୍କିଆ ଗ୍ରାମ ସମେତ ଟମକା ଥାନା ଅନ୍ତର୍ଗତ ଫୁଲଝର, ଭଦ୍ରକ ଜିଲ୍ଲାର ଧୂଷୁରୀ ଥାନା ଅଧୀନ ପାରାଡିହ ଆଦି ଗ୍ରାମରୁ ମୋଟ ୬୮ ଜଣ ଶ୍ରମିକ ତାମିଲନାଡୁର ଏକ ସୂତାକଳକୁ କାମ କରିବା ନିମନ୍ତେ ଯାଉଥିବାର ଜଣାପଡ଼ିଥିଲା। ଏମାନଙ୍କ ମଧ୍ୟରେ ୧୬ ଜଣ ବାଳଶ୍ରମିକ ଥିଲେ। ତନ୍ମଧ୍ୟରେ ୧୪ ଜଣ ବାଳକ ଓ ୨ ଜଣ ବାଳିକା ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୨ ଜଣ ସରକାରୀ ଆବାସିକ ବିଦ୍ୟାଳୟରେ ପଢୁଥିବା ମଧ୍ୟ ସୂଚନା ମିଳିଛି। କରୋନା ସମୟରେ ପରିବାରର ଆର୍ଥିକ ଅନଟନ ଉତ୍କଟ ହେବା କାରଣରୁ ସେମାନେ ଦାଦନ ଖଟିବାକୁ ଯାଉଥିଲେ ବୋଲି କହିଛନ୍ତି।
ପୁଲିସ ପକ୍ଷରୁ ଏ ସଂପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ଜଣାଇ ଦିଆଯାଇଛି। ଉଦ୍ଧାର ନାବାଳକ ଓ ନାବାଳିକାଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର କହିଛନ୍ତି।