ସିନ୍ଧେକେଲା: ପେଟପାଟଣା ପାଇଁ ସୁଦୂର ମୁମ୍ବାଇକୁ କାମ କରିବାକୁ ଯାଇଥିଲେ। ହେଲେ ସେଠାରୁ ଶବ ହୋଇ ଫେରିଛନ୍ତି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ଦେଢ଼ଗାଁ ପଞ୍ଚାୟତ ଡେଙ୍ଗପଦର ପଡ଼ାର ଯୁବକ ଲମ୍ବୋଦର ପୁଞ୍ଜି (୧୯)। ଲକ୍ଡାଉନ ଆଗରୁ ଲମ୍ବୋଦର କାମ କରିବାକୁ ଯାଇଥିଲେ ହେଁ ଲକ୍ଡାଉନ୍ ବେଳେ ଗାଁ’କୁ ଫେରି ଆସିଥିଲେ। ପରେ ପୁଣି ଥରେ ୨-୩ ମାସ ତଳେ ମୁମ୍ବାଇକୁ କାମ କରିବାକୁ ଯାଇଥିଲେ। ସେଠାରେ ତାଙ୍କ ଦୁଇ ବଡ଼ ଭାଇ ଫକିର ଓ ଚକ୍ରଙ୍କ ସହ ରହି ଘର ନିର୍ମାଣରେ ଶ୍ରମିକ ଭାବେ କାମ କରୁଥିଲେ।
ମୁମ୍ବାଇର ତିଲକନଗରରେ ସେମାନେ ରହିବା ସହ ପ୍ରତ୍ୟହ ଟ୍ରେନ୍ ଯୋଗେ ଅନ୍ୟତ୍ର କାମ କରିବାକୁ ଯାଉଥିଲେ। ଗୁରୁବାର ସନ୍ଧ୍ୟାରେ କାମ ସାରି ଟ୍ରେନରେ ଘରକୁ ଫେରୁଥିବା ବେଳେ କୌଣସି କାରଣରୁ ଟ୍ରେନରେ କଟିଯାଇ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍ ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରାଇବା ପରେ ସାଥୀରେ ରହୁଥିବା ଭାଇ ଫକିର ପୁଞ୍ଜି ଶବ ନେଇ ଗାଁ’କୁ ଫେରିଥିଲେ। ଶନିବାର ବିଳମ୍ବିତ ରାତିରେ ମୃତଦେହ ଗାଁ’ରେ ପହଞ୍ଚିବା ପରେ ଶୋକକୁଳ ପରିବେଶରେ ଅନ୍ତିମ ସତ୍କାର କରାଯାଇଥିଲା। ଲମ୍ବୋଦରଙ୍କୁ ହରାଇ ଏବେ ପରିବାର ଲୋକେ ଅସହାୟ ହୋଇ ପଡ଼ିଛନ୍ତି। ତେଣୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।