ଶୋଭା ସୂରିନ
ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲାର ବଗପାଟିଆ ହେଉଛି ଦେଶର ପ୍ରଥମ ଗ୍ରାମ ଯେଉଁଠି ଉପକୂଳ କ୍ଷୟ କାରଣରୁ ବସତି ହରାଇଥିବା ଲୋକମାନଙ୍କୁ ଥଇଥାନ କରାଯାଇଛି। ୨୦୧୮ ମସିହାରୁ ଏହି ଗ୍ରାମରେ ପ୍ରାୟ ୫୭୧ ପରିବାର ବାସ କରୁଛନ୍ତି। ହେଲେ ଥଇଥାନ ପରେ ଜୀବିକା ଉପାର୍ଜନର ସବୁରାସ୍ତା ବନ୍ଦ ହୋଇଯାଇଥିବାରୁ ଲୋକେ ଏବେ ବି ସାତଭାୟାକୁ ଝୁରୁଛନ୍ତି। ବଙ୍ଗୋପସାଗରରେ ସାତଭାୟା ଲୀନ ହେବା ପରେ ସେହି ଗ୍ରାମର ଲୋକଙ୍କୁ ପ୍ରଶାସନ ବଗପାଟିଆରେ ବାସସ୍ଥାନ ଯୋଗାଇ ଥିଲା। ପ୍ରତି ପରିବାରକୁ ୧୦ ଡିସିମିଲ୍ ଜାଗା ଏବଂ ପରିବାର ପିଛା ମାସିକ ୨୦ କିଗ୍ରା ଚାଉଳ ଯୋଗାଇ ଦିଆଯାଉଛି। କିନ୍ତୁ ବଡ଼ ପରିବାର ପାଇଁ ଏହି ଚାଉଳ ଯଥେଷ୍ଟ ନୁହେଁ। ସାତଭାୟାରେ ୫୦ ବର୍ଷରୁ ଅଧିକ ସମୟ ବିତାଇଥିବା ବ୍ୟକ୍ତିମାନେ ଏବେ ବି ମୂଳ ଗ୍ରାମକୁ ଝୁରି ଭାଗ୍ୟକୁ ନିନ୍ଦୁଛନ୍ତି। ୭ଟି ଗ୍ରାମର ସମାହାର ସାତଭାୟା ବଙ୍ଗୋପସାଗର କୂଳରେ ୮୭୫ ଏକରରୁ ଅଧିକ ଅଞ୍ଚଳରେ ପରିବ୍ୟାପ୍ତ ଥିଲା। ଲୋକେ ଚାଷଠାରୁ ଆରମ୍ଭ କରି ମାଛ ଧରିବା ଏବଂ ଜଙ୍ଗଲରୁ କାଠ କାଟି ଗୁଜରାଣ ମେଣ୍ଟାଉଥିଲେ। ଏହି ଅଞ୍ଚଳ ସମୁଦ୍ର ଆଁରେ ପଶିଯିବା ପରେ ଲୋକଙ୍କ ଭାଗ୍ୟ ବି ବଦଳି ଯାଇଛି। ସରକାର ସେମାନଙ୍କୁ ବଗପାଟିଆରେ ଥଇଥାନ କରିଛନ୍ତି କିନ୍ତୁ ଏଠାକାର ଲୋକଙ୍କୁ ଜୀବିକା ଚିନ୍ତା ଘାରୁଛି। ତେଣୁ କାମଧନ୍ଦା ଅଭାବରୁ ଅନେକ ଲୋକ କେରଳ, କର୍ଣ୍ଣାଟକ ଓ ଗୁଜରାଟ ଭଳି ରାଜ୍ୟକୁ ପଳାଇ ଦାଦନ ଖଟୁଛନ୍ତି। ଯୁବବର୍ଗ ବାହାରକୁ ପଳାଇବା ପରେ ଗ୍ରାମରେ କେବଳ ବୟସ୍କ ଏବଂ ଛୋଟ ପିଲାମାନେ ରହିଛନ୍ତି। ଏକ ଆକଳନରୁ ଜଣାଯାଇଛି ଯେ ଏଠାକାର ୮୦ ପ୍ରତିଶତ ପୁରୁଷ ବାହାର ରାଜ୍ୟକୁ ପଳାଇଛନ୍ତି। ଏହି କାରଣରୁ ଛୋଟ ପିଲାମାନଙ୍କ ପାଠପଢ଼ା ଓ ଦେଖାଶୁଣା ଦାୟିତ୍ବ ବୟସ୍କ ଲୋକଙ୍କ ଉପରେ ରହିଛି। ତେଣୁ ବୟସ୍କା ମହିଳାମାନେ ମାନସିକ ଚାପରେ ରହୁଛନ୍ତି। ପୂର୍ବରୁ ସାତଭାୟାରେ ଏହି ସମସ୍ୟା ନଥିଲା। ସେମାନଙ୍କ ଏଭଳି କ୍ଷତିକୁ ବୁଝିବ କିଏ ଏବଂ ମାପିବ କିଏ ବୋଲି ପ୍ରଶ୍ନ ଉଠୁଛି। ଜଣେ ବୟସ୍କା ମହିଳା କହିଛନ୍ତି ସେ ସାତଭାୟାରେ ବଢ଼ିଥିଲେ। ଚାଷବାସ, ମାଛ ଧରିବା ଏବଂ ଜଙ୍ଗଲରୁ କାଠ କାଟିବାରେ ଦିନ ବିତୁଥିଲା। ସେଠାରେ ଆନନ୍ଦ ମିଳୁଥିଲା। ଗୋଟିଏ ଘରେ ସପରିବାର ବାସ କରୁଥିଲୁ। କିନ୍ତୁ ବଗପାଟିଆରେ ପରିବାର ଛିନ୍ନବିଚ୍ଛିନ୍ନ ହୋଇଯାଇଛି। ସାତଭାୟାର ପରିବେଶକୁ ହରାଇ ଗଭୀର ଯନ୍ତ୍ରଣା ଅନୁଭବ କରୁଛି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଜଳବାୟୁ ପରିବର୍ତ୍ତନ କାରଣରୁ ସାତଭାୟାରୁ ବଗପାଟିଆକୁ ସ୍ଥାନାନ୍ତରିତ ହୋଇଥିବା ପ୍ରାୟତଃ ଅଧିକାଂଶ ବ୍ୟକ୍ତିଙ୍କର ଏହି ସମାନ ମତ।
ବିକ୍ଷିପ୍ତ ହୋଇଯାଇଛି ପରିବାର
ଅଣଆର୍ଥିକ କ୍ଷତି ମାପିବ କିଏ?
ବଗପାଟିଆବାସୀ ଯେଉଁ କ୍ଷତି କଥା କହୁଛନ୍ତି ତାହାକୁ ୟୁଏନ୍ସିସିସି (ଜାତିସଂଘ ଫ୍ରେମ୍ୱର୍କ କନଭେନସନ୍ ଅନ୍ କ୍ଲାଇମେଟ୍ ଚେଞ୍ଜ) ଅଣଆର୍ଥିକ କ୍ଷତି ଭାବେ ବର୍ଣ୍ଣନା କରିଛି। ଅଣଆର୍ଥିକ କ୍ଷତିଗୁଡ଼ିକୁ ସହଜରେ ଆର୍ଥିକ ଶବ୍ଦରେ ମପାଯାଇ ପାରିବ ନାହିଁ। କିନ୍ତୁ ଏହା ଲୋକଙ୍କୁ ଗଭୀର ଭାବେ କ୍ଷତି ପହଞ୍ଚାଇଥାଏ। ଅଣଆର୍ଥିକ କ୍ଷତିର ପ୍ରଭାବ ମୁଖ୍ୟତଃ ସଂସ୍କୃତି, ପରିସଂସ୍ଥାନ ଏବଂ ବିସ୍ଥାପନ ଭଳି କ୍ଷତିରୁ ଜଣାଯାଇଥାଏ। ଜଳବାୟୁ ପରିବର୍ତ୍ତନ ଜନିତ ବିପର୍ଯ୍ୟୟରେ ପ୍ରଭାବିତ ଲୋକମାନଙ୍କ ଭିତରେ ହତାଶା, ଦୁଃଖ, ବ୍ୟଗ୍ରତା, କ୍ଳାନ୍ତି, ବିରକ୍ତି, କ୍ରୋଧ, ଯନ୍ତ୍ରଣା ସହ ଶୋଇବାରେ ସମସ୍ୟା ଆଦି ଦେଖିବାକୁ ମିଳିଥାଏ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ଅନୁଧ୍ୟାନରୁ ଜଣାଯାଇଛି। ବଗପାଟିଆବାସୀଙ୍କ କହିବାନୁଯାୟୀ, ଏହା ସେମାନଙ୍କ ପାଇଁ ଏକ ବିଦେଶୀ ସ୍ଥାନ। ଘର ଚଳାଇବା ପାଇଁ ଖର୍ଚ୍ଚ ବଢ଼ିଯିବା ଫଳରେ ସେମାନଙ୍କୁ ମହାଜନଙ୍କ ପାଖରେ ହାତ ପତାଇବାକୁ ପଡ଼ୁଛି। ସୁଧ ହାର ଅଧିକ ହୋଇଥିଲେ ମଧ୍ୟ ବ୍ୟାଙ୍କ ବଦଳରେ ମହାଜନଙ୍କ ଠାରୁ ଅର୍ଥ ପାଇବା ସେମାନଙ୍କ ପାଇଁ ସହଜ ହେଉଛି।
ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ଥିବା ୫୭୪.୭ କିମି ଉପକୂଳ ମଧ୍ୟରୁ ପ୍ରାୟ ୨୮ ପ୍ରତିଶତ ଅଞ୍ଚଳ ୧୯୯୦ରୁ ୨୦୧୬ ମଧ୍ୟରେ ସମୁଦ୍ର ଦ୍ବାରା ପ୍ରଭାବିତ ବୋଲି ଚେନ୍ନାଇସ୍ଥିତ ନ୍ୟାସନାଲ ସେଣ୍ଟର ଫର୍ କୋଷ୍ଟାଲ ରିସର୍ଚ୍ଚ ପକ୍ଷରୁ କରାଯାଇଥିବା ଅନୁଧ୍ୟାନରୁ ଜଣାଯାଇଛି। ଭାରତର ଯେକୌଣସି ରାଜ୍ୟ ତୁଳନାରେ ଏହା ଅଧିକ। ଜଳବାୟୁ ପରିବର୍ତ୍ତନ ସାତଭାୟାର ମୂଳ ବାସିନ୍ଦାଙ୍କ ଜୀବନକୁ କିଭଳି ପ୍ରଭାବିତ କରିଛି ତାହା ଅନୁଭବ କରୁଛନ୍ତି କିନ୍ତୁ ବିଶ୍ବସ୍ତରରେ ଅଣଆର୍ଥିକ କ୍ଷତି ସଂପର୍କରେ ଆଲୋଚନା ହେଉଛି କି ନାହିଁ ସେ ବିଷୟରେ ଆଦୌ ଅବଗତ ନାହାନ୍ତି। ଜଣେ ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞଙ୍କ କହିବାନୁଯାୟୀ, ବଗପାଟିଆ ଅଞ୍ଚଳବାସୀଙ୍କ ମନରେ ଯଦି ଭୟ, ଉଦ୍ବିଗ୍ନ ଆଦି ଅଧିକ ଦିନ ଲାଗି ରହେ ତା’ହେଲେ ତାହା ମାନସିକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ। ତେଣୁ ମାନସିକ ସ୍ବାସ୍ଥ୍ୟ ଠିକ୍ ରଖିବା ପାଇଁ ପରାମର୍ଶ ଓ ଚିକିତ୍ସାର ଆବଶ୍ୟକତା ରହିଛି। ଜାତିସଂଘର ବାର୍ଷିକ ଜଳବାୟୁ ସମ୍ମିଳନୀ, କନଫରେନ୍ସ ଅଫ୍ ଦି ପାର୍ଟିଜ୍ ୨୦୨୨ ନଭେମ୍ବରରେ ଜଳବାୟୁ ପରିବର୍ତ୍ତନ ଜନିତ କ୍ଷତିର ଭରଣା ପାଇଁ ଏକ ପାଣ୍ଠି ଗଠନ ପ୍ରସ୍ତାବ ଗ୍ରହଣ କରିଥିଲା। କିନ୍ତୁ ସଂସ୍କୃତି, ଐତିହ୍ୟ ଓ ପରମ୍ପରା ଆଦିରେ ହେଉଥିବା କ୍ଷତିକୁ କିଭଳି ମପାଯିବ ସେନେଇ ନୀତି ପ୍ରଣେତାମାନେ ସ୍ପଷ୍ଟ ହୋଇପାରି ନାହାନ୍ତି। ଯଦି ଏସବୁ କ୍ଷତିକୁ ମୂଲ୍ୟରେ ମପାଯାଇ ପାରନ୍ତା ତା’ହେଲେ ବଗପାଟିଆବାସୀଙ୍କ ସହ ଅନ୍ୟମାନେ କିଛି ସହାୟତା ପାଇପାରନ୍ତେ। ଯଦି ସାଂସ୍କୃତିକ, ସାମାଜିକ ଓ ପରିସଂସ୍ଥାନଗତ କ୍ଷତିକୁ ବୁଝି ନ ପାରିବା ତା’ହେଲେ ଲୋକଙ୍କ ପାଇଁ ଏକ ସବୁଦିନିଆ ଏବଂ ସମନ୍ବିତ ଥଇଥାନ ନୀତି କାର୍ଯ୍ୟକାରୀ କରିହେବ ନାହିଁ ବୋଲି ବିଶେଷଜ୍ଞମାନେ କୁହନ୍ତି। (ଏହି ଖବରଟି ‘ଇଣ୍ଟର ନ୍ୟୁଜ୍ ଆର୍ଥ ଜର୍ଣ୍ଣାଲିଜମ୍’ ସହଯୋଗରେ ପ୍ରସ୍ତୁତ ହୋଇଛି। ସ୍କ୍ରଲ୍ ଡଟ୍ ଇନ୍ରେ ଇଂରାଜୀ ଭାଷାରେ ପ୍ରକାଶିତ ଖବରର ଏହା ଓଡ଼ିଆ ଅନୁବାଦ।)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/16/dagdggdzvvzcvcv-2025-10-16-03-51-47.jpg)