ଦାଦନ ଦୁଃଖ: ପୁଅକୁ ହରାଇ ଫେରିଲେ ବାପା, ମା’ ମୃତ୍ୟୁ ପରେ ଶବ ବି ଦେଲେନି

ଥାନାରେ ନେଇଗଲେ ଜବରଦସ୍ତ ଦସ୍ତଖତ, ଇଟାଭାଟିରେ ନିର୍ଯାତନା ଭୋଗୁଛନ୍ତି ଶତାଧିକ ଶ୍ରମିକ

ବଲାଙ୍ଗୀର/ପାଟଣାଗଡ଼: ‘ଆମେ କାମ କରି ଯାଇଥିଲୁଁ। ଦିନରାଏତ କାମ କରାସି। ମାଲିକ ଖାଏବାର ପିଇବାର କିଛି ଜାନେନି। ରନ୍ଧାବଢ଼ା କରିଥିଲେ ବି ଖାଇ ନାଇଁ ଦିଏ। ଛୁଟି ଦିନେ ବି କାମ କରଉଥିଲା। ଛୁଆ ଗାଡ଼ିଥି ଲାଗି କରି ମରିଗଲା। ତାର ବାପା ବଜାର ଯାଇଥିଲେ। ଛୁଆକେ କେନକେ ନେଲେ ବି ନାଇଁ ଜାନି। ରାତିରେ ଥାନାକେ ନେଲେ। ମୋର ସ୍ୱାମୀ କାହିଁ ଗଲା ବେଲକେ ପଚାରିଲି ଯେ, ଆସବା କହେଲେ। ଛୁଆ ହସପିଟାଲରୁ ଆସବା କହେଲେ। ହେଲେ ଛୁଆକେ ଦେଖେଇ ବି ଆରୁ ନି ଦେଲେ।’ ତେଲେଙ୍ଗାନାର ଇଟାଭାଟିକୁ ଦାଦନ ଖଟିବାକୁ ଯାଇ ପୁଅକୁ ହରାଇ ଲୁଚିଛପି ଫେରିବା ପରେ ବାପା, ମା’ ଏଭଳି କିଛି କାନ୍ଦି କାନ୍ଦି କହିଛନ୍ତି। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ନିକଟସ୍ଥ ସରେଇବାହାଲ ଗାଁର ହେମନ୍ତ ନାଏକ, ତାଙ୍କ ପତ୍ନୀ ଓ ୬ ବର୍ଷର ଛୁଆକୁ ନେଇ ଦାନା ପାଇଁ ଯାଇଥିଲେ ଦାଦନ। ଜାଣିନଥିଲେ ବନ୍ଧା ପଡ଼ିଯିବେ। ନିର୍ଯାତନା ଭୋଗିବେ। ହେଲେ ଇଟାଭାଟି ପହଞ୍ଚୁ ପହଞ୍ଚୁ ଦିଆଗଲା ଅକଥନୀୟ ନିର୍ଯାତନା। ଇଟାଭାଟି ମାଲିକ ମାରପିଟ କରି କାମରେ ଲଗାଇଥିଲା। ଆଉ ଘଟଣାକ୍ରମରେ ପୁଅକୁ ଦଳିଦେଲା ଟ୍ରକ। ହେଲେ ପୁଅର ଶବକୁ ବି ବାପା, ମା’ଙ୍କୁ ଦେଖାଇ ଦେଇନଥିଲା ସେଠିକାର ଇଟାଭାଟି ମାଲିକ।

ଏପରିକି ଜେସିବି ଲଗାଇ ପୁଅର ଖଣ୍ଡବିଖଣ୍ଡିତ ଶବକୁ ପୋତିଦେଇଥିଲା ଇଟାଭାଟି ମାଲିକ। ଆଉ ଥାନାକୁ ନେଇ ଜୋରଜବରଦସ୍ତ ଦସ୍ତଖତ ବି ନେଇଗଲେ। ତାପରେ ବି ଗାଁକୁ ଫେରିବାକୁ ଦେଲେନି। ବହୁ କଷ୍ଟରେ ଏବେ ୬ ବର୍ଷର ପୁଅକୁ ହରାଇ ବାପା ହେମନ୍ତ ଓ ମା’ ନିଜ ଗାଁକୁ ଫେରିଛନ୍ତି। ହେମନ୍ତ ଓ ତାଙ୍କ ସ୍ତ୍ରୀଙ୍କ ଅଭିଯୋଗରୁ ଜଣାଯାଏ ଯେ ହେମନ୍ତଙ୍କୁ ଲାଠୋରର ଦାଦନ ସର୍ଦ୍ଦାର ପଦ୍ମନାଭ ନାଏକ ତେଲେଙ୍ଗାନା ନେଇ ଏକ ଇଟାଭାଟିରେ ଛାଡ଼ିଥିଲା। ଯେଉଁଠିକୁ ନେବାକୁ କହିଥିଲା, ସେଠାରେ ନଛାଡ଼ି ଆଉ ଏକ ଇଟାଭାଟିରେ ବିକ୍ରି କରିଦେଇଥିଲା। ସେଠିକାର ଇଟାଭାଟି ମାଲିକ ନିର୍ଯାତନା ଦେଉଥିଲା। ହେମନ୍ତ ନଥିବା ସମୟରେ ତାଙ୍କ ସ୍ତ୍ରୀ ଇଟାଭାଟିରେ କାମ କରୁଥିଲେ। ଏପଟେ ୬ ବର୍ଷର ପୁଅ ଖେଳୁଥିବା ସମୟରେ ଇଟାଭାଟି ମାଲିକର ଟ୍ରକ ଦଳିଦେଇଥିଲା। କିନ୍ତୁ ପରିବାରବର୍ଗଙ୍କୁ ସହାନୁଭୂତି ସହାୟତା କରିବା ବଦଳରେ ଇଟାଭାଟି ମାଲିକ ଘଟଣା ଚପାଇବାକୁ ଶବକୁ ବି ହସ୍ତାନ୍ତର କରିନଥିବା ଅଭିଯୋଗ କରିଛନ୍ତି। ଏପରିକି ଗାଁକୁ ବି ଶୁଦ୍ଧିକ୍ରିୟା ପାଇଁ ଛାଡ଼ିନଥିଲେ। ଶେଷରେ ସେମାନେ ଲୁଚିଛପି ଫେରିଛନ୍ତି। ଏବେବି ପରିବାରବର୍ଗ ଭୟରେ ଅଛନ୍ତି। ସେମାନେ ଘଟଣା ସଂପର୍କରେ କାହାକୁ କିଛି କହୁ ନାହାନ୍ତି। କିନ୍ତୁ ଜଣେ ସାମାଜିକ କର୍ମୀ ସବୁ ଘଟଣାକୁ ନେଇ ଓଡ଼ିଶା ଓ ତେଲେଙ୍ଗାନା ପୁଲିସକୁ ଟ୍ୱିଟ କରି ଜଣାଇବା ସହ ସିଏମ୍‌ଓଙ୍କୁ ଟ୍ୱିଟରରେ ଦୃଷ୍ଟି ଆକର୍ଷଣ କରି କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି। ତେଲେଙ୍ଗାନାର ଉକ୍ତ ଇଟାଭାଟିରେ ଆହୁରି ଶହ ଶହ ଶ୍ରମିକ ବନ୍ଧାପଡ଼ି ନିର୍ଯାତିତ ହେଉଥିବା ହେମନ୍ତଙ୍କ ପତ୍ନୀ କହିଛନ୍ତି।

ସମ୍ବନ୍ଧିତ ଖବର