ଦାଦନ ଦୁଃଖ : ଆନ୍ଧ୍ରରେ ଝିଅକୁ ହତ୍ୟା! ଚିନ୍ତାରେ ପ୍ରାଣ ହରାଇଲେ ବାପା, ଜେଜେବାପା

ବଲାଙ୍ଗୀର : ଦାଦନ ଦୁଃଖ! ଗୋଟିଏ ପରେ ଗୋଟିଏ ସମ୍ବେଦନଶୀଳ ଘଟଣା ଏଠି ଯୋଡ଼ି ହେଉଛି। ଦାଦନ ନିର୍ଯାତନାର କାହାଣୀ ବଲାଙ୍ଗୀର ଜିଲ୍ଲାରେ ଅନେକ। ବାହାର ରାଜ୍ୟକୁ ଇଟା ଗଢ଼ିବାକୁ ଯାଉଥିବା ଶ୍ରମିକ ସେଠାକୁ ଗଲେ ନିର୍ଯାତନାର ଶିକାର ହେଉଛି। ସେଠି ମୃତ୍ୟୁବରଣ ବି କରୁଛି। ଆଉ ଏହି ଖବର ଶୁଣି ଗାଁରେ ଥିବା ପରିବାର ଲୋକ ମାନସିକ ଚିନ୍ତାରେ ଜୀବନ ହାରୁଛନ୍ତି। ଏଭଳି ଏକ ଘଟଣା ଏବେ ବଲାଙ୍ଗୀର ଜିଲ୍ଲାରେ ସାମ୍ନାକୁ ଆସିଛି। ତୁରେକେଲା ବ୍ଲକ ପଖନମୁଣ୍ଡା ଗାଁର ୨୦ ବର୍ଷୀୟା ଝିଅ ଜାମିନୀର ଏବେ ପତ୍ତା ମିଳୁନି। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସାଙ୍ଗରେ ଯାଇଥିବା ଶ୍ରମିକ ଫେରିବା ପରେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଏହାପରେ ମାନସିକ ଚିନ୍ତାରେ ଜୀବନ ହାରିଛନ୍ତି ଝିଅର ବାପା ଶୁକ୍ରୁ ମାଝୀ ଓ ଜେଜେବାପା ରେଞ୍ଜର ମାଝୀ। ଏପଟେ ଚାଳ କୁଡ଼ିଆ ଘର ଅଗଣାରେ ବାହୁନି ବାହୁନି କାନ୍ଦୁଛନ୍ତି ଦୁଇ ବିଧବା ମହିଳା।

ପଖନମୁଣ୍ଡା ଗାଁର ଶୁକ୍ରୁ ମାଝୀ ଦିନମଜୁରିଆ। ସ୍ତ୍ରୀ, ୨୦ ବର୍ଷର ଝିଅ ଜାମିନୀ ଓ ତାଙ୍କ ବୁଢ଼ା ବାପା, ମା’ଙ୍କୁ ନେଇ ତାଙ୍କ ପରିବାର ଥିଲା। ନିହାତି ଗରିବ ଶୁକ୍ରୁ ନିଜ ବୁଢ଼ା ବାପା, ମା’ଙ୍କ ଦେଖାରେଖା କରିବାକୁ ସମୟ ଦେଉଥିଲେ। ଏପଟେ ପରିବାରରେ ଦୁଇମୁଠା ଖାଇବା ଅଭାବ ହେଉଥିବାରୁ ୨୦ ବର୍ଷର ଝିଅ ଦାଦନ ସର୍ଦ୍ଦାର ବିରଞ୍ଚି ମାଝୀଠାରୁ ଅଗ୍ରିମ ଟଙ୍କା ନେଇ ଦାଦନ ଯିବାକୁ ଘରୁ ଗୋଡ଼ କାଢ଼ିଥିଲା। ନିଜ ଗାଁର ତୁଲାରାମ ପରିବାର ସହ ଦାଦନ ଯାଇଥିଲା। ଗତ କିଛିମାସ ତଳେ ତୁଲାରାମର ପରିବାର ଗାଁକୁ ଫେରିଥିଲେ। ହେଲେ ଜାମିନୀ ଆଉ ଗାଁକୁ ଫେରିନଥିଲା। ଝିଅ ସଂପର୍କରେ ପରିବାର ଲୋକ ପଚାରିବାରୁ ଦାଦନ ସର୍ଦ୍ଦାର ବିରଞ୍ଚି ଓ ତୁଲାରାମ ସେଠାରେ ତାର ମୃତ୍ୟୁ ହୋଇଥିବା କହିଥିଲେ।

ତେବେ ତାଙ୍କ ଝିଅକୁ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିବା ସନ୍ଦେହ କରି ବାପା, ଜେଜେବାପା ତୁରେକେଲା ଥାନାକୁ ଏତଲା ଦେବାକୁ ଯାଇଥିଲେ। ତୁରେକେଲା ଥାନା ପୁଲିସ ଆନ୍ଧ୍ରପ୍ରଦେଶର ଘଟଣା କହି ଏତଲା ଗ୍ରହଣ କରିନଥିଲା। ବାରମ୍ବାର ଦୌଡ଼ିଥିଲେ ବି ସେମାନେ କୌଣସି ସୁଫଳ ପାଇନଥିଲେ। ଶେଷରେ ନିରାଶ ହୋଇ ଝିଅକୁ ଝୁରିଝୁରି ବାପା, ମା’ ସହ ଜେଜେବାପା, ଜେଜେମା’ କାନ୍ଦୁଥିଲେ। କିଛିଦିନ ପରେ ମାନସିକ ଚିନ୍ତାରେ ଶୁକ୍ରୁଙ୍କର ମୃତ୍ୟୁ ହୋଇଥିବା ବେଳେ ପରେ ବୁଢ଼ା ବାପା ରେଞ୍ଜର ମଧ୍ୟ ନାତୁଣୀ ଓ ପୁଅଙ୍କ ପାଇଁ ଚିନ୍ତାରେ ମୃତ୍ୟୁବରଣ କରିଛନ୍ତି। ବର୍ତ୍ତମାନ ମୃତ ଶୁକ୍ରୁଙ୍କ ବିଧବା ସ୍ତ୍ରୀ ଚମ୍ପା ମାଝୀ, ମୃତ ରେଞ୍ଜରଙ୍କ ବିଧବା ସ୍ତ୍ରୀ ଖମେଲ ମାଝୀ ଘରେ ରହି ଦୁର୍ଦ୍ଦିନରେ କାଳ କାଟୁଛନ୍ତି।

ସମ୍ବନ୍ଧିତ ଖବର