କରୋନା କଟକଣା କୋହଳ ପରେ ଭିଟାମାଟିରୁ କର୍ମକ୍ଷେତ୍ର ମୁହାଁ ହେଲେ ଦାଦନ
ଲକଡାଉନରେ ଭିଟାମାଟି ମୁହାଁ ହୋଇଥିଲେ ୧୫ ହଜାର ଶ୍ରମିକ
ରାୟଗଡ଼ା : କରୋନା ଭୟରେ ଗାଁକୁ ଆସିଥିଲୁ। ଆଶା ଥିଲା ସରକାରଙ୍କ ପକ୍ଷରୁ କାମଧନ୍ଧା ମିଳିବ। ହେଲେ କିଛି ମିଳିଲାନି। ଚାଷ ସମୟରେ ପର ଜମିରେ ଚାଷ କରି ଯାହା ଦି ପଇସା ପାଇଥିଲୁ ତାହା ସରିଗଲାଣି। ରୁଆ, ବେଉଷଣ ପରେ ଆଉ କାମ ମିଳୁନଥିବାରୁ ଏବେ ବିଜୟୱାଡା ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିକୁ କାମ କରିବାକୁ ଯାଉଛୁ।
କୋରାପୁଟ-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନରେ ଦାଦନ ଖଟିବାକୁ ଯାଉଥିବା ମଧୁ ମାଝିଙ୍କ ସମେତ ଅନ୍ୟ ଶ୍ରମିକମାନେ ଏପରି କହିଛନ୍ତି। ବିଷମକଟକ ବ୍ଲକରେ ରହୁଥିବା ମଧୁ କରୋନା ଭୟରେ ମାର୍ଚ୍ଚ ମାସରେ ଘରକୁ ଫେରି ଆସିଥିଲେ। ପ୍ରବାସୀ ଶ୍ରମିକଙ୍କୁ କାମଧନ୍ଧା ଯୋଗାଇବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦେଶ ରହିଥିଲେ ମଧ୍ୟ ମଧୁଙ୍କୁ କିଛି କାମ ମିଳିନଥିଲା। ଫଳରେ ପରିବାର ଚଳାଇବା କଷ୍ଟକର ହୋଇ ପଡିଥିଲା। ଗାଁରେ ବିଶେଷ କାମ ନଥିବାରୁ ବାହାର ଗାଁରେ କିଛି ଦିନ କାମ କରିବା ପରେ ମଧୁ ପୂର୍ବରୁ କାମ କରୁଥିବା ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିକୁ ଯିବା ପାଇଁ ସ୍ଥିର କରିଥିଲେ। କେନ୍ଦ୍ର ସରକାର ଅନଲକ୍-୫ରେ ଯାତାୟାତ କ୍ଷେତ୍ରରେ କଟକଣା ଉଠାଇବା ପରେ ଟ୍ରେନ୍ ଯୋଗେ ମଧୁଙ୍କ ସମେତ ୯ ଜଣ ଶ୍ରମିକ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶର ବିଜୟୱାଡା ଯାଇଛନ୍ତି। ପଦ୍ମପୁର ବ୍ଲକ୍ ଖିଲାମୁଣ୍ଡାର ୫, କାଶୀପୁର ବ୍ଲକର ୨, ବିଷମକଟକ ବ୍ଲକର ୨ ଗତକାଲି ସଂଧ୍ୟାରେ ଟ୍ରେନ୍ ଯୋଗେ ବିଜୟୱାଡା ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଇଛନ୍ତି। ପ୍ରତିଦିନ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଏବେ ଶତାଧିକ ଯୁବକ ବାହାର ରାଜ୍ୟ ମୁହାଁ ହେଉଛନ୍ତି। ବସ୍, ଟ୍ରେନ୍ ସହିତ ଅନ୍ୟ ଯାନବାହନରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ, ଗୁଜୁରାଟକୁ ଦାଦନଙ୍କ ସୁଅ ଛୁଟୁଥିବା ସତ୍ତ୍ବେ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନି। ନିକଟରେ କୋଲନରା ବ୍ଲକରୁ ୪ଟି ବସ୍ ଯୋଗେ ଶ୍ରମିକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି। ସେହିପରି ମୁନିଗୁଡା, ଚନ୍ଦ୍ରପୁର, ବିଷମକଟକ, ରାମନାଗୁଡା, କାଶୀପୁର, ଗୁଡାରି, କଲ୍ୟାଣସିଂହପୁର ଅଞ୍ଚଳର ଶ୍ରମିକମାନେ ଭିଟାମାଟି ଛାଡ଼ି ଏବେ ପୂର୍ବରୁ କାମ କରୁଥିବା ଅଞ୍ଚଳକୁ ଯିବା ଆରମ୍ଭ କରିଛନ୍ତି। କୋରାପୁଟ-ଭୁବନେଶ୍ବର ଭାୟା ସମ୍ବଲପୁର ଦେଇ ଯାଉଥିବା ଟ୍ରେନରେ ମୁନିଗୁଡା, ଅମ୍ବାଦଳା ଷ୍ଟେସନରୁ ଶହ ଶହ ଶ୍ରମିକ ସମ୍ବଲପୁର ପର୍ଯ୍ୟନ୍ତ ଯାଇ ସେଠାରୁ ବିଭିନ୍ନ ଟ୍ରେନରେ ବାହାର ରାଜ୍ୟକୁ ଯାଉଛନ୍ତି।
କରୋନାର ମୁକାବିଲା ପାଇଁ ମାର୍ଚ୍ଚ ୨୨ରେ ପ୍ରଧାନମନ୍ତ୍ରୀ ସାରା ଭାରତକୁ ଲକଡାଉନ୍ ଘୋଷଣା କରିଥିଲେ। ଫଳରେ ବିଭିନ୍ନ ରାଜ୍ୟରେ ଦାଦନ ଖଟୁଥିବା ରାୟଗଡ଼ା ଜିଲ୍ଲାର ୧୫ ହଜାରରୁ ଉର୍ଧ୍ବ ଶ୍ରମିକ ଭିଟାମାଟି ମୁହାଁ ହୋଇଥିଲେ। ମାର୍ଚ୍ଚ ୨୫ରୁ ଟ୍ରେନ୍ ଚଳାଚଳ ବନ୍ଦ ହେବା ପରେ ଅକଥନୀୟ ନିର୍ଯ୍ୟାତନା ସହି ମାସ ମାସ ଧରି ଚାଲି ଚାଲି ନିଜ ଗାଁରେ ପହଞ୍ଚିଥିଲେ ଶ୍ରମିକମାନେ। ପ୍ରବାସୀ ଶ୍ରମିକଙ୍କୁ ମନରେଗା ଯୋଜନାରେ ତୁରନ୍ତ କାମ ଯୋଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଜିଲ୍ଲାପାଳଙ୍କ ଜରିଆରେ ବିଡିଓଙ୍କୁ ନିର୍ଦେଶ ଦେଇଥିଲେ। କିନ୍ତୁ ବହୁ ବ୍ଲକରେ ଶ୍ରମିକଙ୍କ ବଦଳରେ ମେସିନରେ ମନରେଗା କାମ ହେବା ଯୋଗୁ ଶ୍ରମିକମାନେ କର୍ମ ନିଯୁକ୍ତିରୁ ବଞ୍ଚିତ ହୋଇଥିଲେ। ୬ ମାସ ଘରେ ହାତ ବାନ୍ଧି ବସିବା ପରେ ଏବେ ଶ୍ରମିକମାନେ କର୍ମକ୍ଷେତ୍ର ମୁହାଁ ହୋଇଛନ୍ତି। ଟ୍ରେନ୍ ଚଳାଚଳ ସ୍ବାଭାବିକ ହେବା ପରେ ଅଧିକ ସଂଖ୍ୟାରେ ଶ୍ରମିକ ଦାଦନ ଖଟିବାକୁ ପୁଣି ରାଜ୍ୟ ବାହାରକୁ ଚାଲିଯିବେ।