ଭବାନୀପାଟଣା: ଚଳିତ ପଞ୍ଚାୟତ ନିର୍ବାଚନରେ ଜଣେ ଦାଦନ ମହିଳା ସରପଞ୍ଚ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ବର୍ଷ ବର୍ଷ ଧରି ଅନ୍ୟ ରାଜ୍ୟରେ ଦାଦନ ଶ୍ରମିକ କାମ କରି ନିଜ ପରିବାର ଗୁଜୁରାଣ ମେଣ୍ଟାଉଥିଲେ ସେ। ହକ୍ ନମିଳିବାରୁ ସେ ପ୍ରାର୍ଥୀ ହୋଇଛନ୍ତି ଏବଂ ତାଙ୍କ ପ୍ରାର୍ଥିତ୍ବ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚା ଶୁଣିବାକୁ ମିଳୁଛି।
ଏହି ଦାଦନ ମହିଳା ହେଲେ, ନମିତା ଦୁର୍ଗା। ଘର, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ଆଟିଗାଁ ପଞ୍ଚାୟତ ମିଚାଗାଁ। ନମିତାଙ୍କ କହିବା ଅନୁସାରେ, ସେ ତାଙ୍କ ସ୍ୱାମୀ ଧର୍ମାନନ୍ଦ ଦୁର୍ଗା ଏବଂ ଏକ ଛୋଟପୁଅ ସହିତ ତାମିଲନାଡୁର ତିରୁପୁରରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଆଧାରକାର୍ଡ ଓ ଭୋଟରକାର୍ଡକୁ ବାଦ୍ ଦେଲେ ସରକାରଙ୍କ ଅନ୍ୟ ସମସ୍ତ ଯୋଜନା ତାଙ୍କ ପାଖରେ ଅପହଞ୍ଚ। ରାସନକାର୍ଡ, ଲେବରକାର୍ଡ, ଜବ୍କାର୍ଡ କିମ୍ବା ଆବାସ ଯୋଜନାରେ ଘରଟିଏ କିଛି ବି ମିଳିନାହିଁ। ନମିତା ଦଶମ ପାସ୍ କରିଛନ୍ତି। ନିଜେ ସରକାରଙ୍କ ମୌଳିକ ସୁବିଧାରୁ ବଞ୍ଚିତ ଥିବାରୁ ତାଙ୍କ ପରି ଯେମିତି କେହି ସମସ୍ୟା ନଭୋଗନ୍ତୁ; ସେଥିପାଇଁ ପ୍ରତିଦ୍ୱନ୍ଦ୍ବିତା କରୁଥିବା କହିଛନ୍ତି। ମିଚାଗାଁ, ବାଗଡୁଙ୍ଗରୀ, କାନ୍ଦୁଲଗୁଡା ଓ ଆଟିଗାଁକୁ ନେଇ ଗଠିତ ହୋଇଛି ଆଟିଗାଁ ପଞ୍ଚାୟତ। ଏହି ପଞ୍ଚାୟତର ଅନେକ ଲୋକଙ୍କ ପାଖରେ ରାସନକାର୍ଡ ନଥିବା ବେଳେ ଅନେକ ଲୋକ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଏବେ ବି ଅନେକ ପରିବାର ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟରେ ମଜୁରି କରୁଛନ୍ତି। ବର୍ତ୍ତମାନର ନିର୍ବାଚନରେ ପ୍ରାର୍ଥୀମାନେ ଅର୍ଥବଳ ଏବଂ ବାହୁବଳର ପ୍ରୟୋଗ କରି ନିର୍ବାଚନ ଜିତୁଛନ୍ତି। ପରେ ଭୋଟରମାନଙ୍କୁ ଭୁଲି ଯାଉଛନ୍ତି। ତେଣୁ ବିଭିନ୍ନ ସମସ୍ୟାର ପ୍ରତିକାର କରିବେ ପ୍ରତିଶ୍ରୁତି ଦେଇ ନମିତା ଲୋକଙ୍କୁ ଭେଟୁଥିବା ଦେଖିବାକୁ ମିଳୁଛି। ମୋଟାମୋଟି ଭାବେ , ଜଣେ ଦାଦନ ମହିଳା ନିର୍ବାଚନରେ ସରପଞ୍ଚ ଭାବେ ପ୍ରାର୍ଥୀ ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।