ରୁପ୍ରା: ନିଜ ଅଞ୍ଚଳରେ କୌଣସି କାମଧନ୍ଦା ନପାଇ ବହୁ ଯୁବକ ଅଧିକ ଅର୍ଥ ଉପାର୍ଜନ ଆଶାରେ ବାହାର ରାଜ୍ୟକୁ ଦାଦନ ଯାଉଛନ୍ତି। ସେଠାରେ ବହୁ ନିର୍ଯାତନାର ଶିକାର ହେଉଥିବା ବେଳେ ଆଉ କିଛି ବିଭିନ୍ନ କାରଣରୁ ଜୀବନ ହରାଉଛନ୍ତି। କିଛି ଶ୍ରମିକଙ୍କ ଶବ ମଧ୍ୟ ଗାଁକୁ ଆସିପାରୁ ନାହିଁ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ।
ନର୍ଲା ବ୍ଲକ୍ କର୍ମେଗାଁ ପଞ୍ଚାୟତ ଅଧିନ ଖମ୍ବପଡ଼ା ଗ୍ରାମର ଖଗେଶ୍ବର କୁମାରଙ୍କ ଏକମାତ୍ର ପୁଅ ଶଙ୍କର କୁମାର (୪୪) ମହାରାଷ୍ଟ୍ରର ଥାନେ ଜିଲ୍ଲାକୁ କାମ କରିବାକୁ ଯାଇଥିଲେ। ସେଠାରେ କାମ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ମଧ୍ୟରାତ୍ରିରେ ତାଙ୍କର ମୃତ୍ୟୁ ହୋଇଥିବା ସମ୍ପର୍କୀୟ ସୂଚନା ଦେଇଛନ୍ତି। ମୃତ ଶଙ୍କରଙ୍କ ପତ୍ନୀ ସସ୍ମିତା କୁମାର ଓ କିଛି ଓଡ଼ିଆ ଶ୍ରମିକଙ୍କ ସହଯୋଗରେ ଗୁରୁବାର ସେଠାରେ ଶବ ସତ୍କାର କରାଯାଇଥିଲା। ଗାଁରେ ଥିବା ଶଙ୍କରଙ୍କ ରୋଗଣା ବାପା ତଥା ଚାରି ଝିଅ ଧରିତ୍ରୀ, ପୂଜା, ଲିଜା ଓ ଶାଲିନୀ ତାଙ୍କ ଶେଷ ଦର୍ଶନ ମଧ୍ୟ କରିପାରିଲେ ନାହିଁ। ଶଙ୍କର ଜଣେମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବା ବେଳେ ବର୍ତ୍ତମାନ ତାଙ୍କ ମୃତ୍ୟୁ ପରେ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି। ସରକାରୀ ସହାୟତା କହିଲେ ଉକ୍ତ ପରିବାର ମାସକୁ କେବଳ ୩୫ କିଲୋ ଚାଉଳ ମିଲୁଥିବା ବେଳେ ଅନ୍ୟ କୌଣସି ସରକାରୀ ସହାୟତା ପାଉନଥିବା ଜଣାପଡିଛି। ଏଣୁ ଉକ୍ତ ପରିବାରକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।