ପାତ୍ରପୁର: ଗଞ୍ଜାମ ଜିଲ୍ଲାରେ ପୁଣି ଦାଦନ ଯନ୍ତ୍ରଣା। ଗତ ବୁଧବାର କେରଳର ଏର୍ନାକୁଲମ୍ ଜିଲ୍ଲାରେ କାମ କରୁଥିବା ସୋରଡ଼ା ବ୍ଲକ୍ର ୨ ଜଣ ଯୁବକ ଏକ ଘରର ଛାତ ଭୁଶୁଡ଼ି ପଡ଼ିବାରୁ ପ୍ରାଣ ହରାଇଥିଲେ। ଏହାର ୪୮ ଘଣ୍ଟା ପରେ ତାମିଲନାଡ଼ୁରେ ଜଣେ ଆଦିବାସୀ ଯୁବକ ପ୍ରାଣ ହରାଇବା ଘଟଣା ସାମ୍ନାକୁ ଆସିଛି । ମୃତକଜଣକ ହେଲେ, ଜରଡ଼ା ଥାନା ଓ ପାତ୍ରପୁର ବ୍ଲକ୍ ଅଧୀନ ବୁରାତାଲ୍ ପଞ୍ଚାୟତ ଆାଦିବାସୀଅଧ୍ୟୁଷିତ ଗ୍ରାମର ପରଛିଆ ଭୂୟାଁ (୩୦)।
ମିଳିଥିବା ସୂଚନାନୁସାରେ, ପରଛିଆ ତାମିଲନାଡ଼ୁର ନମାକାଲ୍ ଜିଲ୍ଲା ନାଗିଚେଟିପେଟ୍ଟିସ୍ଥିତ ‘ମହାଶକ୍ତି ଏୟାର୍ ପ୍ରୋଡକ୍ଟ୍’ ନାମକ ଏକ ଘରୋଇ କମ୍ପାନିରେ କିଛି ମାସ ହେଲା କାମ କରୁଥିଲେ। ଗତକାଲି ରାତିରେ କାମ ସାରି ଭଡ଼ାଘରକୁ ସେ ଶୋଇବାକୁ ଯାଇଥିବା ବେଳେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ଆଜି ସକାଳେ ତାଙ୍କର ଶବ ଠାବ ହୋଇଥିଲା। ସେଠାକାର ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ରିପୋର୍ଟ ଆସିଲେ ହିଁ, ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି। ପରଛିୟାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ଶୋକର ଛାୟା ଖେଳିଯାଇଛି। ଏହାସହ ତାଙ୍କ ପରିବାର ବେସାହାରା ପାଲଟିଛି। ଗାଁରେ ବାପାଙ୍କ ସମେତ ପତ୍ନୀ ଓ ଦୁଇଟି ଝିଅ ରହୁଛନ୍ତି।