ସିନ୍ଧେକେଲା/ଭାଲୁମୁଣ୍ଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ରୁ ପୁଣି ଆସିଛି ଦାଦନ ଦୁଃଖର କରୁଣ କାହାଣୀ। ଅର୍ଥାଭାବ ଯୋଗୁଁ ତାମିଲନାଡ଼ୁରୁ ଶ୍ରମିକଙ୍କ ଶବ ଭିଟାମାଟିକୁ ଫେରିପାରିନି। ଶେଷରେ ପରିବାର ଲୋକେ ସେହିଠାରେ ହିଁ ଶେଷକୃତ୍ୟ କରିଛନ୍ତି। ଅଭିଯୋଗ ଅନୁସାରେ, ବଙ୍ଗୋମୁଣ୍ଡା ବ୍ଲକ୍ କପିଳାଭଟା ପଞ୍ଚାୟତ ବରତୁଣ୍ଡା ଗାଁର ନାରାୟଣ ଜାନୀ (୩୦) ଗତ ପାଞ୍ଚ ମାସ ହେଲା ତାମିଲନାଡୁର ଇଟାଭାଟିକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ସାଙ୍ଗରେ ତାଙ୍କ ସାନଭାଇ ଓ ଅନ୍ୟ ସଂପର୍କୀୟମାନେ ମଧ୍ୟ ଥିଲେ। ସେଠାକାର ଇଟାଭାଟିରେ ସମସ୍ତେ କାମ କରୁଥିଲେ। ଇଟାଭାଟି ମାଲିକଙ୍କ ନିର୍ଯାତନା ଓ ଅଧିକ ଖଟଣି ଯୋଗୁଁ ନାରାୟଣ ଅସୁସ୍ଥ ସାଙ୍ଗକୁ ଦୁର୍ବଳ ହୋଇପଡ଼ିଥିଲେ। କିଛିଦିନ ତଳେ ସେ ରାସନ୍ ସାମଗ୍ରୀ ଆଣିବାକୁ ବଜାର ଯାଇଥିଲେ।
ସେଠାରେ ମୁଣ୍ଡ ବୁଲାଇବାରୁ ହଠାତ୍ ତଳେ ପଡ଼ିଯାଇଥିଲେ। ସାଙ୍ଗରେ ଯାଇଥିବା ସାନଭାଇ ଇଟାଭାଟିରେ ଥିବା ସମ୍ପର୍କୀୟମାନଙ୍କୁ ଅବଗତ କରିଥିଲେ। ସମସ୍ତେ ମିଶି ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଗାଁରେ ଥିବା ନାରାୟଣଙ୍କ ସ୍ତ୍ରୀ ମଞ୍ଜୁ ଜାନୀ (୨୬), ଦୁଇ ଝିଅ, ବାପା ବଘ ଜାନୀ (୭୦), ମା’ ଗୁନ ଜାନୀ (୬୫) ସମ୍ପର୍କୀୟମାନଙ୍କ ସହାୟତାରେ ତାମିଲନାଡ଼ୁରେ ପହଞ୍ଚିଥିଲେ। ସେଠାରେ ଇଟାଭାଟି ମାଲିକଙ୍କୁ ପରିବାର ବର୍ଗ ମରଶରୀରକୁ ନିଜ ଗାଁକୁ ନେବା ପାଇଁ ସହାୟତା କରିବାକୁ ନେହୁରା ହୋଇଥିଲେ। ହେଲେ ଏତେ ଟଙ୍କା ଗାଡ଼ିଭଡ଼ା ଦେବାକୁ ମାଲିକ ମନା କରିବା ସହ ସେହିଠାରେ ଶେଷକୃତ୍ୟ କରିବାକୁ ବାଧ୍ୟ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଦାଦନ ନେଇଥିବା ସର୍ଦ୍ଦାର ଓ ଇଟାଭାଟି ମାଲିକ ଉଭୟ ୫୦ ହଜାର ଟଙ୍କା ଲେଖାଏଁ ମୋଟ ଏକ ଲକ୍ଷ ଟଙ୍କା ପରିବାର ଲୋକଙ୍କୁ ଦେଇଥିବା ଜଣାପଡ଼ିଛି। ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ପୂରା ପରିବାର ଏବେ ଅସହାୟ ହୋଇପଡ଼ିଛି। ତୁରନ୍ତ ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।