ମୃତ୍ୟୁ-ଜୀବନ ଭିତରେ ଦାଦନର ଲଢ଼େଇ

ଉପଜିଲ୍ଲାପାଳ ଅଫିସ୍‌ ସାମ୍‌ନାରେ ମା’ର ଶବ, ସେପଟେ ଝିଅ ଦେଲା ମାଟ୍ରିକ୍‌ ପରୀକ୍ଷା

ପାଟଣାଗଡ଼/ମଣ୍ଡଳ : ଜୀବନ ଓ ମୃତ୍ୟୁକୁ ନେଇ ଦାଦନ କିଭଳି ଲଢ଼େଇ କରୁଛି, ତାହାର ଏକ ଦୁଃଖଦ ଓ ସମ୍ବେଦନଶୀଳ ଚିତ୍ର ଆଜି ସାମ୍‌ନାକୁ ଆସିଛି। ଗୋଟିଏପଟେ, ଦାଦନ ଖଟିବାକୁ ଯାଇ ଆନ୍ଧ୍ରପ୍ରଦେଶରେ ପ୍ରାଣ ହରାଇଥିବା ମାଆର ମୃତଦେହ ପାଟଣାଗଡ଼ ଉପଜିଲ୍ଲାପାଳ ଅଫିସ୍‌ ପଡ଼ିରହିଛି। ଅନ୍ୟପଟେ, ଛାତିକୁ ପଥର କରି ଝିଅ ମାଟ୍ରିକ୍‌ ପରୀକ୍ଷା ଦେଇଛି। ସାମଞ୍ଜସ୍ୟ ଥିବା ଏହି ଦୁଇଟି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ମୃତ ମହିଳା ହେଲେ, ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ୍‌ ସୁଲେକେଲା ଗ୍ରାମର ପକ୍ଷୀରାଜ ଦଲେଇଙ୍କ ପତ୍ନୀ ସ୍ନେହଶୀଳା ଦଳେଇ(୪୫ବର୍ଷ)। ୬ ମାସ ତଳେ ଉଭୟ ସ୍ବାମୀ-ସ୍ତ୍ରୀ ଦୁଇ ପୁଅଙ୍କୁ ସାଙ୍ଗରେ ନେଇ ଆନ୍ଧ୍ରପ୍ରଦେଶର ପଠାନଚୋର ଅଞ୍ଚଳର ଇଟାଭାଟିକୁ ଦାଦନ ଖଟିବାକୁ ଯାଇଥିଲେ। ଗାଁରେ ବଡ଼ ଝିଅ ରହି ଦଶମ ଶ୍ରେଣୀରେ ପାଠ ପଢ଼ୁଥିଲେ। ଦାଦନ ଯିବା ସମୟରେ ସୁଲେକେଲା ଗ୍ରାମର ସର୍ଦାର ମୁକଦମ ବୁଡ଼େକ ତାଙ୍କ ୬୭ ହଜାର ଟଙ୍କା ଅଗ୍ରିମ ଦେଇଥିଲା। ଇଟାଭାଟିରେ କାମ କରୁଥିବା ସମୟରେ ଗତ ମଙ୍ଗଳବାର ସ୍ନେହଶୀଳାଙ୍କ ଅସୁସ୍ଥ ହୋଇପଡ଼ିଲେ। ସ୍ବାମୀ ପକ୍ଷୀରାଜ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେବାକୁ ଇଟାଭାଟି ମାଲିକ ଚିରୁ ମୁଧିରାଜକୁ ନେହୁରା ହୋଇଥିଲେ। ହେଲେ ସେ ଶୁଣି ନଥିଲା। ପରେ କୌଣସିମତେ ସ୍ନେହଶୀଳାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ସ୍ନେହଶୀଳାଙ୍କ ମୃତ୍ୟୁ ଘଟିଥିଲା।
ସେଠାରୁ ଏକ ଆମ୍ବୁଲାନ୍ସ ଯୋଗେ ଶବ ନିଜ ଗ୍ରାମ ସୁଲେକେଲାକୁ ଆଣିଥିଲେ। ବୁଧବାର ରାତି ୨ଟାରେ ଶବ ଗାଁରେ ପହଞ୍ଚିଥିଲା।

ଗୁରୁବାର ସକାଳୁ ପରିବାର ବର୍ଗ ଓ ଗ୍ରାମବାସୀ ମୃତଦେହ ନେଇ ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ପହଞ୍ଚି ଘେରାଉ କରିଥିଲେ। ସେମାନେ କ୍ଷତିପୂରଣ ବାବଦକୁ ୧୦ ଲକ୍ଷ ଟଙ୍କା, ଇଟାଭାଟିରେ ନିର୍ଯାତନା ଯୋଗୁ ମୃତ୍ୟୁ ହୋଇଥିବାରୁ ଇଟାଭାଟି ମାଲିକକୁ ତୁରନ୍ତ ଗିରଫ, ମୃତା ମହିଳାଙ୍କ ୩ ସନ୍ତାନଙ୍କ ଭରଣପୋଷଣ ଓ ପଢ଼ାଖର୍ଚ୍ଚ ସରକାର ବହନ କରିବା, ସେଠାରେ ଥିବା ଅନ୍ୟ ଦାଦନ ଶ୍ରମିକମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଦାବି କରିଥିଲେ। ପାଟଣାଗଡ଼ ତହସିଲଦାର ଡା. ପୁଷ୍ପାଞ୍ଜଳି ପଣ୍ଡା, ସହକାରୀ ଜିଲ୍ଲାପାଳ ଓ ପାଟଣାଗଡ଼ ଥାନାଧିକାରୀ ଅନନ୍ତ ପଧାନ ମୃତ ମହିଳାଙ୍କ ପରିବାର ବର୍ଗ ସହ ଆଲୋଚନା କରିଥିଲେ। ବହୁ ସମୟ ଧରି ଆଲୋଚନା ପରେ ରେଡ୍‌କ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ଦିଆଯାଇଥିଲା। ଘଟଣାର ତଦନ୍ତ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ମୃତଦେହ ଉଠିଥିଲା।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଠିକ୍‌ ସେହି ସମୟରେ ଝିଅ ନିୟତି ସୁଲେକେଲା ସ୍କୁଲରେ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ। ଗୋଟିଏ ପଟେ ମ‌ାଙ୍କ ଶବ ରଖି ଆନ୍ଦୋଳନ ତ ଆଉ ଗୋଟିଏ ପଟେ ଝିଅ ପରୀକ୍ଷା ହଲ୍‌ରେ ବସି ପରୀକ୍ଷା ଦେଉଛନ୍ତି। ଯାହାକୁ ନେଇ ସ୍କୁଲ ଶିକ୍ଷକଙ୍କ ସହ ଗ୍ରାମବାସୀ ଝିଅର ଧୈର୍ଯ୍ୟକୁ ପ୍ରଶଂସା କରିଛନ୍ତି। ନିୟତିଙ୍କ କହିବା ଅନୁସାରେ, ତାଙ୍କ ମା’ ସବୁବେଳେ ତାଙ୍କୁ ପାଠପଢ଼ି ଭଲ ମଣିଷ ହେବାକୁ ପରାମର୍ଶ ଦେଇ ଆସୁଥିଲେ। ସେଥିପାଇଁ ସେ ଏତେବଡ଼ ଦୁଃଖକୁ ଛାତି ଭିତରେ ଚାପି ପରୀକ୍ଷା ଦେଇଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର