ନୂଆପଡ଼ା: ରାଜ୍ୟ ବାହାରକୁ ଦାଦନ ଖଟି ଯାଉଥିବା ଶ୍ରମିକଙ୍କ ସନ୍ତାନମାନଙ୍କ ପାଇଁ ପ୍ରତିବର୍ଷ ଋତୁକାଳୀନ ଆବାସିକ କେନ୍ଦ୍ର ଖୋଲା ଯାଇଥାଏ। ମାତ୍ର ଏଥର ପ୍ରସ୍ତାବିତ ୬୨ଟି କେନ୍ଦ୍ରରୁ ନୂଆପଡ଼ା ଜିଲ୍ଲାରେ ଏ ଯାଏଁ ମାତ୍ର ତିନିଟି କେନ୍ଦ୍ର ଖୋଲାଯାଇଛି। ଫଳରେ ଦଶ ହଜାରରୁ ଅଧିକ ବାଳକ, ବାଳିକା ଚଳିତ ଦାଦନ ଋତୁରେ ବାପାମା’ଙ୍କ ସହ ରାଜ୍ୟ ବାହାରକୁ ପଳାଇ ସାରିଥିବା ଏକ ବେସରକାରୀ ଆକଳନରୁ ଜଣାପଡ଼ିଛି। ଏ ପରିସ୍ଥିତିରେ ଦାଦନ ଶ୍ରମିକଙ୍କ ପିଲାମାନଙ୍କ ପାଇଁ ସରକାରଙ୍କ ଶିକ୍ଷାଦାନ ଯୋଜନା ଚଳିତ ବର୍ଷ ବାଟବଣା ହେବାର ଆଶଙ୍କା ଦେଖାଦେଇଛି।
ସୂଚନା ଅନୁସାରେ, ଜିଲ୍ଲାରେ ଦାଦନ ଖଟି ଯାଉଥିବା ଶ୍ରମିକଙ୍କ ୬ରୁ ୧୪ ବର୍ଷ ବୟସର ପାଠପଢ଼ୁଆ ସନ୍ତାନମାନଙ୍କୁ ପ୍ରତିବର୍ଷ ୬ ମାସ ଯାଏଁ ରହିବାଖାଇବା ଓ ପାଠପଢ଼ିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଖାଲିଥିବା ହଷ୍ଟେଲରେ ଏଥିପାଇଁ ଋତୁକାଳୀନ ଆବାସିକ କେନ୍ଦ୍ରମାନ ଖୋଲାଯାଇଥାଏ। ସରକାର ଏହି ଛଅ ମାସ ପାଇଁ ପିଲା ପିଛା ୧୦ ହଜାର ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି। ପଶ୍ଚିମ ଓଡ଼ିଶାରେ ପ୍ରତିବର୍ଷ ଚାଷବାସ କାମ ସରିବା ପରେ ନୂଆଁଖାଇ ପରଠାରୁ, ସାଧାରଣତଃ ସେପ୍ଟେମ୍ବରରୁ ଦାଦନ ଋତୁ ଆରମ୍ଭ ହୋଇଯାଏ। ଏହି ଛଅମାସିଆ ଋତୁରେ ବାପାମା’ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ପଳାଇ ଯାଉଥିବାରୁ ସେମାନଙ୍କ ପିଲାମାନଙ୍କର ଯେଭଳି ପାଠପଢା ବ୍ୟାହତ ନହେବ ସେଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୨୦୦୨ ମସିହାରୁ ଏହି ଋତୁକାଳୀନ ଆବାସିକ କେନ୍ଦ୍ର ଯୋଜନା ଆରମ୍ଭ ହୋଇଛି। ପଶ୍ଚିମ ଓଡ଼ିଶାର ଦାଦନ ଶ୍ରମିକବହୁଳ ପାଂଚଟି ଜିଲ୍ଲା ନୂଆପଡ଼ା ସମେତ କଳାହାଣ୍ଡି, ବଲାଙ୍ଗୀର, ବରଗଡ଼ ଓ ସୁବର୍ଣ୍ଣପୁରରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଆସୁଛି।
ପରିସଂଖ୍ୟାନ ଅନୁସାରେ, ଆର୍ଥିକ ଅନଗ୍ରସର ନୂଆପଡ଼ା ଜିଲ୍ଲାର ମୋଟ ୭ ଲକ୍ଷ ଲୋକଙ୍କ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ଅର୍ଥାତ ୨ ଲକ୍ଷ ଗରିବ ମହିଳା, ପୁରୁଷ ପ୍ରତିବର୍ଷ ଦାଦନ ଖଟିବାକୁ ବାହାର ରାଜ୍ୟକୁ ବାହାରି ଯାଆନ୍ତି। ସଂଗରେ ସେମାନଙ୍କ ଶିଶୁ ଏବଂ ନାବାଳକ, ନାବାଳିକା ପିଲାମାନେ ବି ଯାଆନ୍ତି। ସରକାରୀ ସୁବିଧା ମିଳିବା ପରେ ପାଠପଢ଼ୁଆ ପିଲାମାନେ ବାପା-ମାଙ୍କ ସହ ଆଉ ବାହାରକୁ ନଯାଇ ଏଠାରେ ରହି ପଢ଼ାପଢ଼ି କରିଥାନ୍ତି। ୨୦୨୨-୨୩ ମସିହାରେ ନୂଆପଡ଼ା ଜିଲ୍ଲାରେ ୫୬ଟି ଋତୁକାଳୀନ ଆବାସିକ କେନ୍ଦ୍ର ଖୋଲିଥିଲା। ନୂଆପଡ଼ା ବ୍ଲକ୍ର ୧୭ଟି କେନ୍ଦ୍ରରେ ୭୦୬ ଜଣ, କୋମନାର ୧୨ଟି କେନ୍ଦ୍ରରେ ୫୪୬ , ଖଡ଼ିଆଳର ୩ଟି କେନ୍ଦ୍ରରେ ୧୨୮, ବୋଡ଼େନର ୬ଟି କେନ୍ଦ୍ରରେ ୨୭୫ ଓ ସିନାପାଲିର ୧୮ଟି କେନ୍ଦ୍ରରେ ୮୧୨ ଜଣ ଛାତ୍ରଛାତ୍ରୀ ଥିଲେ। ଅର୍ଥାତ୍ ମୋଟ୍ ୫୬ଟି କେନ୍ଦ୍ରରେ ମୋଟ୍ ୨୪୬୭ ଜଣ ଦାଦନ ଶ୍ରମିକଙ୍କ ସନ୍ତାନମାନେ ପାଠ ପଢ଼ୁଥିବା ଦର୍ଶାଯାଇଥିଲା।
ଚଳିତ ବର୍ଷ ପୁଣି ନୂଆପଡ଼ା ବ୍ଲକ୍ରେ ୧୮ଟି, କୋମନାରେ ୧୪, ଖରିଆରରେ ୨, ବୋଡ଼େନରେ ୯ ଓ ସିନାପାଲି ବ୍ଲକ୍ରେ ୧୯ଟି ମୋଟ୍ ୬୨ଟି କେନ୍ଦ୍ର ଖୋଲିବାକୁ ନୂଆପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ସଂପୃକ୍ତ ପ୍ରଧାନ ଶିକ୍ଷକମାନଙ୍କୁ ଚିଠି କରିଛନ୍ତି। ହେଲେ ଏଯାଏଁ ମାତ୍ର ୩ଟି କେନ୍ଦ୍ର ଖୋଲାଯାଇଛି। ଅନ୍ୟ ବର୍ଷ ପରି ଚଳିତ ବ​ର୍ଷ ମଧ୍ୟ ନୂଆଁଖାଇ ପରଠାରୁ ଏ ଅଞ୍ଚଳର ଶ୍ରମିକମାନେ ଦାଦନ ଗଲେଣି। ବେସରକାରୀ ତଥ୍ୟ ମୁତାବକ, ଏବେସୁଦ୍ଧା ଏକ ଲକ୍ଷରୁ ଅଧିକ ଲୋକ ଏଥର ଦାଦନ ଖଟିବା ପାଇଁ ଘର ଛାଡ଼ି ସାରିଲେଣି। ଋତୁକାଳୀନ ଆବାସିକ କେନ୍ଦ୍ର ଖୋଲିବାରେ ବିଳମ୍ବ ହେଉଥିବାରୁ ଜିଲ୍ଲାର ପ୍ରାୟ ୧୦ ହଜାର ଶିଶୁ ତଥା ବାଳକ, ବାଳିକା ସେମାନଙ୍କ ବାପାମା’ଙ୍କ ସହ ଅନ୍ୟ ରାଜ୍ୟକୁ ପଳାଇ ସାରିଥିବା ଜଣାଯାଇଛି। ତେଣୁ ପିଲା ଯୋଗାଡ଼ ଚିନ୍ତାରେ ପଡ଼ିଛି ଏବେ ଶିକ୍ଷା ବିଭାଗ। ଏ ବାବଦରେ ନୂଆପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକଣ ଭୁଏ କହିଛନ୍ତି ଯେ, ଜିଲ୍ଲାରେ ୬୨ଟି ଋତୁକାଳୀନ ଆବାସିକ କେନ୍ଦ୍ର ଖେଲିବା ପାଇଁ ଏଥର ପ୍ରଧାନଶିକ୍ଷକମାନଙ୍କୁ ଚିଠି କରାଯାଇଛି। ଖୁବ୍ ଶୀଘ୍ର କେନ୍ଦ୍ର ଆରମ୍ଭ ହେବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/fshfhfhfhf.jpg)