ଜବରଦଖଲରେ ଦଧିବାମନଜିଉଙ୍କ ଜମି

ଦେଓଗାଁ: ଘସିପୁରା ବ୍ଲକ୍ ଅନ୍ତର୍ଗତ କେଶଦୁରାପାଳ ଦଧିବାମନଜିଉଙ୍କର ପ୍ରାୟ ୧୦ ଏକରରୁ ଅଧିକ ଜମି କେତେକ ପ୍ରଭାବଶାଳୀ ବ୍ୟକ୍ତି ନିଜ ଅକ୍ତିଆରରେ ରଖିଛନ୍ତି। ସେପଟେ ଠାକୁରଙ୍କର ଏତେ ଜମି ଥାଇ ବି ଠାକୁରଙ୍କ ନିକଟରେ ଅନ୍ନ ଭୋଗ ଲାଗି ହୋଇପାରୁ ନାହିଁ। ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଠାକୁରଙ୍କ ଜମିକୁ ଜବରଦଖଲକାରୀଙ୍କ କବଳରୁ ମୁକ୍ତ କରିବା ପାଇଁ ଶତାଧିକ ଗ୍ରାମବାସୀ କେନ୍ଦୁଝର ଜିଲ୍ଲାପାଳଙ୍କଠାରେ ଲିଖିତ ଭାବରେ ଫେରାଦ ହୋଇଛନ୍ତି।

କେଶଦୁରାପାଳ ଦଧିବାମନଜିଉ ଜଗନ୍ନାଥ ମନ୍ଦିରକୁ କେନ୍ଦୁଝର ରାଜା ଧନୁର୍ଜୟ ନାରାୟଣ ଭଞ୍ଜଦେଇ ପ୍ରତିଷ୍ଠା କରିଥିଲେ। ଏହା ପ୍ରାୟ ୨୨୦ ବର୍ଷ ତଳେ ନିର୍ମାଣ କରାଯାଇଥିବା କୁହାଯାଏ। ସେତେବେଳେ ଠାକୁରଙ୍କ ନାମରେ ପ୍ରାୟ ୧୨ ଏକର ସମ୍ପତ୍ତି ଥିଲା। କିନ୍ତୁ କାଳକ୍ରମେ ପ୍ରଭାବଶାଳୀ ବ୍ୟକ୍ତିମାନେ ଠାକୁରଙ୍କ ଜମିକୁ ନିଜ ଅକ୍ତିଆର ଭିତରକୁ ନେଇଯାଇଛନ୍ତି। ଏବେ ପ୍ରାୟ ୧୦ ଏକର ଠାକୁର ଜମି ଜବରଦଖଲରେ ରହିଛି। ସେପେଟ ଜମି ନଥିବାରୁ ଦୀର୍ଘ ପ୍ରାୟ ୪୦ ବର୍ଷ ହେବ ଅନ୍ନପ୍ରସାଦ ଲାଗି ହୋଇପାରୁ ନାହିଁ।

ଦଧିବାମନଜିଉଙ୍କ ଜମିକୁ କିଛି ମାଳାକାର, ସୁପକାର ଓ ଅନ୍ୟ କେତେକ ସେବାୟତ ମାଡ଼ିବସି ନିଜ ଅକ୍ତିଆର ଭିତରେ ରଖିଛନ୍ତି। ସେପଟେ ବାଲିପାଳ ନିକଟ ଶିବ ମନ୍ଦିର ନିକଟରେ ଥିବା ଠାକୁରଙ୍କ ଜମିକୁ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲରେ ରଖି ସେଠାରେ ବେଆଇନ ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ଇଟାଭାଟି କରିଛନ୍ତି। ଏନେଇ ଗ୍ରାମବାସୀ ଆନନ୍ଦପୁର ଉପଜିଲ୍ଲାପାଳ, ଘସିପୁରା ତହସିଲଦାର, କେଶଦୁରାପାଳ ଆରଆଇଙ୍କୁ ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ମିଳିପାରି ନାହିଁ। ଏବେ ଗ୍ରାମର ଶତାଧିକ ବ୍ୟକ୍ତିଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ଦିଆଯାଇଛି। ତୁରନ୍ତ ଜବରଦଖଲକାରୀଙ୍କ କବଳରୁ ଜମିକୁ ମୁକୁଳାଇବାକୁ କାଳନ୍ଦୀଚରଣ ରଣା, ନବୀନଚନ୍ଦ୍ର ବିନ୍ଧାଣୀ, ଚଗଲି ସାହୁ, ତ୍ରିଲୋଚନ ସାହୁ, ପର୍ଶୁରାମ ମହାରଣା, ଦେବବ୍ରତ ବିନ୍ଧାଣୀ, ମହତାବ ସାହୁ, ପ୍ରସନ୍ନକୁମାର ସାହୁ, ହେମନ୍ତକୁମାର ପୋଥାଳ, ଅଛୁ ଜେନା, ପ୍ରଶାନ୍ତ ସାହୁ, କାଳନ୍ଦୀଚରଣ ପୃଷ୍ଟି, ସୁରେନ୍ଦ୍ର ସାହୁ, ବିଶ୍ବନାଥ ସାହୁ, ଅବିନାଶ ଶତପଥୀ ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି। ତୁରନ୍ତ ଠାକୁରଙ୍କ ଜମିରୁ ଜବରଦଖଲ ନହଟାଇଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର