ଭିଜିଲାନସ୍‌ ଜାଲରେ ଲାଞ୍ଚୁଆ ତହସିଲଦାର , ଟ୍ରାକ୍ଟର୍ ମୁକୁଳାଇବାକୁ ନେଉଥିଲେ ୪୦ ହଜାର

ଫୁଲବାଣୀ/ରାଇକିଆ : ଜବତ ଟ୍ରାକ୍ଟର୍ ମୁକୁଳାଇବାକୁ ୪୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ୍ ଜାଲରେ ପଡ଼ିଛନ୍ତି କନ୍ଧମାଳ ଜିଲ୍ଲା ରାଇକିଆ ତହସିଲଦାର ଚକ୍ରଧର ପାଢ଼ୀ। ଅଭିଯୋଗକାରୀ ତଥା ମଣ୍ଡାକିଆ ଗ୍ରାମର ସେନାପତି ପ୍ରଧାନଙ୍କ ଠାରୁ ନିଜ ସରକାରୀ ବାସଭବନରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ୍ ଅଧିକାରୀ ମାନେ ଚକ୍ରଧରଙ୍କୁ କାବୁ କରି ନେଇଥିଲେ। ତାଙ୍କୁ ଗିରଫ କରା ଯାଇଥିବାବେଳେ ରାଇକିଆସ୍ଥିତ ସରକାରୀ ବାସଭବନ ଓ ଯାଜପୁରସ୍ଥିତ ପୈତୃକ ଘରେ ମଧ୍ୟ ଚଢ଼ଉ କରାଯାଇଛି। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ୍ ଡିଭିଜନ୍‌ରେ କେସ୍ ନମ୍ବର ୯ ଅନୁସାରେ ମାମଲା ରୁଜୁ ହୋଇଥିବା ଏସ୍‌.ପି.ଶାନ୍ତନୁ କୁମାର ପାଢ଼ୀ ସୂଚନା ଦେଇଛନ୍ତି।

ସୂଚନାନୁସାରେ, କିଛିମାସ ତଳେ ମନରେଗା କାର୍ଯ୍ୟରେ ନିୟୋଜିତ ଥିବା ସେନାପତିଙ୍କ ବେଆଇନ୍ ପଥର ବୋଝେଇ ଟ୍ରାକ୍ଟର୍‌ (ଓଡ଼ି-୧୨ସି-୪୧୦୬)କୁ ତହସିଲଦାର ଚକ୍ରଧର ଜବତ କରିଥିଲେ। ତେବେ ଟ୍ରାକ୍ଟର୍‌କୁ ମୁକୁଳାଇବାକୁ ସେ ସେନାପତିଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ହେଲେ ସେନାପତି ୫୦ ହଜାର ଟଙ୍କା ଦେବାକୁ ରାଜି ହେବାପରେ ଡିଲ୍ ଚୂଡ଼ାନ୍ତ ହୋଇଥିଲା। ସଂଗେ ସଂଗେ ଏ ନେଇ ସେନାପତି ଭିଜିଲାନ୍ସ୍‌ର ଦ୍ବାରସ୍ଥ ହୋଇଥିଲେ। ଗତକାଲି ଚକ୍ରଧର ୧୦ ହଜାର ଟଙ୍କା ନେଇ ସାରିଥିଲେ। ଆଜି ସରକାରୀ ବାସଭବନରେ ସେ ସେନାପତିଙ୍କ ଠାରୁ ବାକି ୪୦ ହଜାର ଟଙ୍କା ନେଉଥିବା ସମୟରେ ବ୍ରହ୍ମପୁର, ବୌଦ୍ଧ ଓ ଫୁଲବାଣୀର ଅଧିକାରୀଙ୍କୁ ନେଇ ଭିଜିଲାନ୍‌ସର ଏକ ଟିମ୍ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲେ।

ଅନ୍ୟପକ୍ଷରେ ସେ ଟ୍ରାକ୍ଟର୍ ମାଲିକଙ୍କ ଠାରୁ ଏହି ଅର୍ଥ ‌ଜରିମାନା ବାବଦରେ ନେଉଥିଲେ ଏବଂ ପରେ ରସିଦ୍‌ ପ୍ରଦାନ କରିଥାନ୍ତେ ବୋଲି ଗିରଫ ପ‌ରେ ତହସିଲଦାର ଚକ୍ରଧର ସଫେଇ ଦେଇଛନ୍ତି।

ସମ୍ବନ୍ଧିତ ଖବର