କଟକ, (ଶିଳ୍ପା ପ୍ରିୟଦର୍ଶିନୀ): କଟକୀ ଦହିବରାର ଚର୍ଚ୍ଚା ଆଉ ଚାହିଦା ସବୁବେଳେ ଆଗରେ। ଲକ୍ଡାଉନ୍ରେ ସବୁ ବେପାର ମାନ୍ଦା ଧରି ଥିବା ବେଳେ କଟକ ଦହିବରାର ବେପାର କିନ୍ତୁ ଉତ୍ସାହଜନକ ଭାବେ ବଢ଼ିବାରେ ଲାଗିଛି। ଦିନ ୧୧ଟା ଭିତରେ ବିଭିନ୍ନ ସାହିବସ୍ତିରେ ଦହିବରାର ବେପାର ତ ଜୋରଦାର ଚାଲିଛି, ଏହାସହ ଦହିବରାର ଅନଲାଇନ୍ ବେପାର ମଧ୍ୟ ଉତ୍ସାହଜନକ ରହିଛି। ଅନ୍ଲାଇନ୍ ସଂପର୍କରେ ଆଦୌ ଧାରଧାରଣା ନଥିବା ଦହିବରା ବ୍ୟବସାୟୀମାନେ ବି ପରିବର୍ତ୍ତିତ ସ୍ଥିତିରେ ନିଜକୁ ଖାପଖୁଆଇ, ଏହି ବେପାରରେ ଅଭ୍ୟସ୍ତ ହେବାରେ ଲାଗିଲାଣି। ଦିନକୁ ଦିନ ଅଧିକରୁ ଅଧିକ ଦହିବରା ବେପାରୀ ଅନଲାଇନ୍ରେ ଯୋଡ଼ି ହେବାରେ ଲାଗିଛନ୍ତି। ଜମାଟୋ, ସ୍ବିଗି ଭଳି ସଂସ୍ଥା ଜରିଆରେ ଲୋକଙ୍କ ପାଖରେ ଦହିବରା ପହଞ୍ଚି ଯାଉଛି।
କଟକ ଦେଉଳସାହି ଅନ୍ତର୍ଗତ ଧୋବା ସାହିର ବାସିନ୍ଦା ପ୍ରଦୀପ୍ତ କୁମାର ବେହରା (ବାବୁଲା)ଙ୍କ ଦହିବରା ପ୍ରସିଦ୍ଧ। ଦିଲ୍ଲୀରେ ଆୟୋଜିତ ଫୁଡ୍ ଫେଷ୍ଟିଭାଲ୍ରେ କଟକ ଦହିବାରକୁ ପହଞ୍ଚାଇ ସେ ସେଠାରେ ପୁରସ୍କୃତ ବି ହୋଇଥିଲେ। ହେଲେ କରୋନା ତାଙ୍କ ମୁହଁରୁ ହସ ଛଡ଼ାଇ ନେଇଥିଲା। ଗଲା ପ୍ରାୟ ଏକ ବର୍ଷ ହେଲା ବେପାର ବନ୍ଦ ହୋଇଯାଇଥିଲା। ପରିବାର ଭରଣପୋଷଣ ବି କଷ୍ଟକର ହୋଇ ପଡ଼ିଥିଲା। କିନ୍ତୁ କରୋନାର ଦ୍ୱିତୀୟ ଲହରରେ ଅନଲାଇନ ବ୍ୟବସ୍ଥାରେ ଯୋଡ଼ି ହେବା ପରେ ସବୁକିଛି ବଦଳି ଯାଇଛି। ଗଲା ପ୍ରାୟ ଏକ ମାସ ହେବ ସେ ଅନଲାଇନରେ ଦହିବରା ଯୋଗାଉଛନ୍ତି।
ପ୍ରଦୀପ୍ତ କହିବା ଅନୁଯାୟୀ, ସେ ଦିନକୁ ଅତି କମ୍ରେ ୨ ଶହ ପ୍ଲେଟ୍ ଦହିବରା ବିକ୍ରି କରି ପାରୁଛନ୍ତି। ଗୋଟିଏ ଫୁଲ୍ ପ୍ଲେଟ୍କୁ ସେ ୫୦ ଟଙ୍କା ନେଉଛନ୍ତି। ପ୍ରଥମେ ଆଶଙ୍କା ଥିଲା, ଲୋକେ ଅନଲାଇନରେ ଅର୍ଡର କରିବେ ନାହିଁ। ହେଲେ ପ୍ରଥମ ଦିନରୁ ହି ଲୋକେ ଏହାକୁ ପସନ୍ଦ କରିବା ଆରମ୍ଭ କଲେ। ଏପରିକି ସକାଳ ୧୦ ଟାରୁ ରାତି ୧୦ ଟା ଯାଏ ଅନଲାଇନ ବେପାର ପାଇଁ ସମୟ ନିର୍ଦ୍ଧାରିତ ଥିବା ବେଳେ ଅନେକ ଦିନ ଆଗୁଆ ଦହିବରା ସରି ଯାଉଛି। ଏବେ ଦିନକୁ ୪ ଶହରୁ ଅଧିକ ଲୋକଙ୍କ ପାଇଁ ଦହିବରା ପ୍ରସ୍ତୁତ କରୁଥିଲେ ବି ତାହା ସରିଯାଉଛି। ଏ ସଂପର୍କରେ ଜମାଟୋ ଡେଲିଭରି ବୟ ରଜନୀକାନ୍ତ ପ୍ରଧାନ କହିବା ଅନୁଯାୟୀ ମାସେ ହେଲାଣି ଅନଲାଇନରେ ଦହିବରା ଅର୍ଡର ବଢ଼ିବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/ctc-dahibara.jpg)