କଟକ: କାହା ପାଇଁ ସିଏ ପାଲଟିଯାଇଥିଲେ ଭାଇନା, କାହା ପାଇଁ ମଉସା ତ କାହା ପାଇଁ ଅଜା | ସମ୍ପର୍କର ପରିଭାଷା ଭିନ୍ନ ଥିଲା ସତ କିନ୍ତୁ ତାଙ୍କ ହାତ ତିଆରି ଦହିବରା-ଆଳୁଦମ ଥିଲା ସମସ୍ତଙ୍କର ପ୍ରିୟ | ମଉସା ଆଉ ଟିକେ ଝୋଳ ଦେଲେ..ହେଉ ବା ଦହିବରା ଖାଇବାପରେ ପେଟେ ଖଟା ଦହିପାଣି ପରସି ଦେଉଥିଲେ ଏହି ବ୍ୟକ୍ତି ଜଣକ | ୬୦ରୁ ୭୦ ବର୍ଷ ଧରି କଟକିଆଙ୍କୁ ଦହିବରା-ଆଳୁଦମର ନିଆରା ସ୍ୱାଦ ଚଖାଇ ଆସୁଥିବା ଏହି ବ୍ୟକ୍ତିଜଣକ ଥିଲେ ଭଗି ମଉସା | ଯଦିଓ ତାଙ୍କର ପୁରା ନାମ ଭଗବାନ ବେହେରା ଥିଲା, କିନ୍ତୁ କଟକିଆଙ୍କ ପାଇଁ ସିଏ ଥିଲେ 'ଭଗି ମଉସା' |
କୁହାଯାଏ, ୧୯୪୧ ମସିହା ଅର୍ଥାତ ଦେଶ ସ୍ୱାଧୀନ ହେବା ପୂର୍ବରୁ ଦହିବରା-ଆଳୁଦମ ଖୁଆଇ କଟକିଆଙ୍କ ଅତି ପ୍ରିୟ ପାଲଟିଯାଇଥିଲେ ଏହି ମଣିଷ ଜଣକ | କଟକର ମିଶନ ରୋଡ଼ରେ ଠେଲା ଧରି ପହଞ୍ଚିବା ପୂର୍ବରୁ ଦହିବରାପ୍ରେମୀଙ୍କ ଗହଳି ଲାଗିଯାଉଥିଲା | ଓଠରେ ଅଳ୍ପ ହସ ସାଙ୍ଗକୁ ପତ୍ର ଠୋଲାରେ ଭଗି ବାଢ଼ିଦେଉଥିଲେ ଦହିବରା-ଆଳୁଦମ | ଚୁନା ଚୁନା କରି କାଟିଥିବା ପିଆଜ ସାଙ୍ଗକୁ ଅଳ୍ପ ସେଓ ଆଉ ତା ଉପରେ ଅଳ୍ପ ଝୋଳ, ଏତିକିରେ ହିଁ ପାଟିରୁ ବୋହିଆସୁଥିଲା ଲାଳ | ଏହି ମଣିଷ ଜଣକ ଦୁଇଦିନ ତଳେ ଚାଲିଯାଇଛନ୍ତି | ମୃତ୍ୟୁବେଳକୁ ତାଙ୍କୁ ୯୭ ବର୍ଷ ହୋଇଥିଲା |
ଏନେଇ ଭଗିଙ୍କ ଦହିବରା ଖାଇଆସୁଥିବା ଆସୁଥିବା ସମୀରଣଙ୍କ କହିବା କଥା ଯେ ଆମ ସ୍କୁଲ ସାମ୍ନାରେ ମଉସାଙ୍କ ଠେଲା ଲାଗେ | ପିଲାଦିନରୁ ବଡ ହେବା ଯାଏଁ ସବୁବେଳେ ସକାଳ ଜଳଖିଆର ଠିକଣା ପାଲଟିଯାଇଥାଏ ଭଗି ମଉସାଙ୍କ ଠେଲା | କେବଳ ମୁଁ ନୁହେଁ ମୋ ବାପା, ଜେଜେବାପା ବି ସେଠି ଖାଇଛନ୍ତି, ଆଉ ସେମାନେ କୁହନ୍ତି ଯେ ଭଗି କୁଆଡେ ୧୯୪୦ ମସିହା ଶେଷ ଆଡକୁ ସେଠି ବେପାର ଆରମ୍ଭ କରିଥିଲେ | ସେହିପରି ଫୁଡ ବ୍ଲଗର ରୋହିତ ଶ୍ରୀବାସ୍ତବଙ୍କ କହିବା କଥା ଯେ ମିଶନ ରୋଡର ସ୍ଟୁୱାର୍ଟ ସ୍କୁଲରେ ଯିଏ ବି ପଢ଼ିଥାନ୍ତି ଦହିବରା ଖାଇବାକୁ ଗଲେ ପ୍ରଥମ ପସନ୍ଦ ଥିଲେ ଭଗି ମଉସା | ନା ବେଶୀ ତେଲ ଥାଏ, ନା ବେଶୀ ରାଗ, ଯଦି ଆପଣ ବିଳମ୍ବ କରିଦେଇଛନ୍ତି ତାହେଲେ ଭଗିଙ୍କ ହାତ ତିଆରି ଦହିବରା ଆଉ ମିଳିବ ନାହିଁ | କାରଣ ଲୋକଙ୍କର ଦହିବରା ଖାଇବାକୁ ଏତେ ଚାହିଦା ଥାଏ ଯେ, ଠେଲା ନ ଆସିବା ଆଗରୁ ଲୋକ ହାଜର ହୋଇଯାଇଥାନ୍ତି |