ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକରେ ଝାଡ଼ାବାନ୍ତି ବୃଦ୍ଧି ପାଉଛି। ଗତ ଅଗଷ୍ଟ ମାସରେ ତୁଳସୀପଦର ଓ ଗତ ସପ୍ତାରେ ସୋରିଷପଦରରେ ଝାଡା ବାନ୍ତି ଦେଖା ଦେଇଥିଲା। ବର୍ତ୍ତମାନ ବ୍ଲକର ମାଝୀଗୁଡା ପଂଚାୟତ ଖଡ଼କା ପଦର ଗ୍ରାମରେ ଝାଡାବାନ୍ତି ବ୍ୟାପିଛି। ଝାଡା-ବାନ୍ତି ବ୍ୟାପିବାର ପ୍ରକୃତ କାରଣ ଜଣାପଡ଼ିନାହିଁ। ଗତ ୪ ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ହୋଇଛି। ମଙ୍ଗଳବାର ଜଣେ ଶିଶୁ ସାଇବ ଯାନୀ (୩) ମସୃ ଯାନୀ (୫୦) ଓ ଶୁକ୍ରୀ ଯାନୀ (୬୦) ଆକ୍ରାନ୍ତ ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କୁ ବିଳମ୍ବିତ ରାତ୍ରରୁ ଝାଡା ହେଉଥିଲା। ଅବସ୍ଥା ଗୁରୁତର ହେବାରୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ଚିକିତ୍ସା କରାଯାଉଛି।
ରବିବାର ହାରାବତୀ ଯାନୀ ଓ ଦେଶୀ ଯାନୀ ଆକ୍ରାନ୍ତ ହୋଇ ନବରଙ୍ଗପୁର ସ୍ଥାନାନ୍ତର ହୋଇଛନ୍ତି। ସୋମବାର ଜୟରାମ ଯାନୀ ଆକ୍ରାନ୍ତ ହୋଇ ପ୍ରଥମେ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି। ସେହିପରି ବାଲମତି ଯାନୀ ପ୍ରଥମେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଜୟସିଂ ଯାନୀ ଗ୍ରାମରେ ଆକ୍ରାନ୍ତ ହୋଇ ରହିଛନ୍ତି। ତେବେ ବିଷାକ୍ତ ଛତୁ ଖାଇ ଝାଡା ବାନ୍ତି ହୋଇଥିବା ସନ୍ଦେହ କରାଯାଉଛି। ଖବର ଲେଖା ଶେଷ ସୁଦ୍ଧା ଝାଡାବାନ୍ତିକୁ ନେଇ ଲୋକେ ଭୟଭୀତ ଅଛନ୍ତି। ସଚେତନତା ଅଭାବରୁ ଝାଡାବାନ୍ତି ବୃଦ୍ଧି ହେଉଥିବା ଜଣାପଡ଼ିଛି।