ଭଞ୍ଜନଗରରେ ୪ଶଯ୍ୟା ବିଶିଷ୍ଟ ଡ଼ାଏଲେସିସ୍ କେନ୍ଦ୍ର ଶୁଭାରମ୍ଭ ଓ ଅକ୍ସିଜେନ୍ ପ୍ଳାଣ୍ଟ୍ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭର୍ଚୁଆଲ୍ ମୋଡ଼ରେ ଶୁଭାରମ୍ଭ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଆରମ୍ଭ ହୋଇଛି  ନିଃଶୁଳ୍କ ଡ଼ାଏଲିସିସ୍ ଚିକିତ୍ସା ବ୍ୟବସ୍ଥା। ରାଜ୍ୟରେ ପ୍ରଥମ ଥର ପାଇଁ ଉପଖଣ୍ଡ ମେଡିକାଲ୍ରେ ଏହି ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ୍ ମୋଡ଼ରେ ଏହାର ଶୁଭାରମ୍ଭ କରିଛନ୍ତି। ଓଡ଼ିଶା ରାଜ୍ୟ ସ୍ବାସ୍ଥ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ‘ସହାୟ’ ଯୋଜନାରେ ଏହା ଆରମ୍ଭ କରାଯାଇଛି। ପିପିପି ମୋ୍ଡ଼ରେ ସରକାରଙ୍କ ସହ ରାହି କେୟାର ସଂସ୍ଥା ଏଠାରେ ଡାଏଲିସିସ୍ ସୁବିଧା ମାଗଣାରେ ଜନସାଧାରଣଙ୍କୁ ଯୋଗାଇବା ପାଇଁ ଚୁକ୍ତି କରିଛି।

ଏଥିପାଇଁ ମେଡିକାଲ୍ ପରିସରରେ କମ୍ପାନି ପକ୍ଷରୁ ୪ଟି ଶଯ୍ୟା ବିଶିଷ୍ଟ ଡ଼ାଏଲେସିସି୍ ବେଡ୍ ବ୍ୟବସ୍ଥା କରାଯାଇଥିବା ବେଲଳେ ୩ ଗୋଟି ଡାଏଲେସିସ୍ ମେସିନ୍ ଖଞ୍ଜା ଯାଇଛି। ଦିନକୁ ପ୍ରାୟ ୯ ଜଣ ରୋଗୀ ଏହି ଚିକିତ୍ସା ସୁବିଧା ପାଇ ପାରିବେ ବୋଲି ଜଣାପଡ଼ିଛି। ଆଜିର ପ୍ରଥମ ଦିନରେ କଇଣ୍ଡି ଗ୍ରାମର ରିତୁ ଦେବୀଙ୍କ ଡାଏଲେସିସ୍ କରାଯାଇଥିଲା। ଏଥିପୂର୍ବରୁ ସେ ଝାରୁସୁଗୁଡ଼ାରେ ଡାଏଲେସିସ୍ କରୁଥିଲେ। ଏହି କେନ୍ଦ୍ର ପାଇଁ ଡାକ୍ତର, ଷ୍ଟାଏଫ୍ ନର୍ସ, କର୍ମଚାରୀ ସଂପୃକ୍ତ କମ୍ପାନି ନିଯୁ୍କ୍ତି ଦେଇଛି। ପଞ୍ଜୀକରଣ କେନ୍ଦ୍ର ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହ ମେଡ଼ିକାଲ୍ ପରିସରରେ ନୂତନ ଅକ୍ସିଜେନ୍ ପ୍ଲାଣ୍ଟର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଚାପ ଅବଶୋଷଣ ପ୍ରଣାଳୀରେ ମେଡ଼ିକାଲ୍ ଅମ୍ଳଜାନ(୨୫୦ ଏଲ୍ପିଏମ୍) ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥାର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି। ଅକ୍ସିଜେନ୍ ପ୍ଳାଣ୍ଟ୍ ପ୍ରତିଷ୍ଠା ପରେ ଡାକ୍ତରଖାନାର ସମସ୍ତ ଶର୍ଯ୍ୟା ନିକଟକୁ ପାଇପ ଯୋଗେ ରୋଗୀଙ୍କ ନିକଟରେ ଅମ୍ଳଜାନ ପହଞ୍ଚାଇବା ବ୍ୟବସ୍ଥା କରାଯିବ ବୋ୍ଲି ମେଡିକାଲ୍ ପକ୍ଷରୁ ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମ ଭର୍ଚୁଆଲ୍ ମୋଡ଼ରେ ହୋଇଥିବା ବେିଳେ ଭଞ୍ଜନଗର ମେଡିକାଲ୍ ପରିସରରେ ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ମେଡିକାଲ୍ ସୁପରିଟେଣ୍ଡ୍ ଡା.ସୀତାଂଶୁ ଶେଖର ଶତପଥି, ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ, ସ୍ବାସ୍ଥ କର୍ମଚାରୀ ରାହି କେୟାର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର