ବଣାଇଗଡ଼: ବଣାଇ ଉପଖଣ୍ଡ ସରକାରୀ ଡାକ୍ତରଖାନା ଉପରେ ନିର୍ଭର କରି ଚିକିତ୍ସିତ ହେଉଥିବା ରୋଗୀ ଅନେକ ସମୟରେ ନାନାଦି ଅସୁବିଧାର ସମ୍ମୁଖୀନ ହୋଇ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଏହାର ଉଦାହରଣ ଦେଖିବାକୁ ମିଳିଛି ଏଠାରେ ଥିବା ଡାୟାଲିସିସ କେନ୍ଦ୍ରରେ। କର୍ମଚାରୀ ଅଭାବରୁ ସେଠାରେ ରୋଗୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି। ସୂଚନା ଅନୁସାରେ, ବଣାଇ ଡାକ୍ତରଖାନାରେ ଏକ ଡାୟାଲିସିସ କେନ୍ଦ୍ର ଖୋଲିବା ପାଇଁ ସ୍ଥାନୀୟଲୋକେ ଦୀର୍ଘଦିନରୁ ଦାବି କରିଆସୁଥିଲେ। ଗତ ଜାନୁଆରି ପ୍ରଥମ ସପ୍ତାହରେ ୫-ଟି ଅଧ୍ୟକ୍ଷ ବଣାଇ ଗସ୍ତ କରିଥିବାବେଳେ ବଣାଇ ସରକାରୀ ଡାକ୍ତରଖାନାରେ ସ୍ବତନ୍ତ୍ର ଡାୟାଲିସିସ କେନ୍ଦ୍ର ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ୧ କୋଟି ୮୧ ଲକ୍ଷ ଟଙ୍କା ମଞ୍ଜୁର କରିଥିବା କଥା ପ୍ରକାଶ କରିଥିଲେ।

Advertisment

ପରବର୍ତ୍ତୀ ସମୟରେ ବଣାଇ ଡାକ୍ତରଖାନା ପରିସରରେ ୪ ଗୋଟି ଡାୟାଲିସିସ ମେସିନ ଓ ଆନୁଷଙ୍ଗିକ ବ୍ୟବସ୍ଥା ସହ ଏକ କେନ୍ଦ୍ର ଖୋଲାଯାଇଥିଲା। ଯାହାକୁ ଫେବ୍ରୁୟାରି ୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ଆଦିବାସୀ ଅଧ୍ୟୁଷିତ ବଣାଇ ଅଞ୍ଚଳର ରୋଗୀମାନେ ଆଉ ରାଉରକେଲା କିଂବା ସୁନ୍ଦରଗଡ଼ ଉପରେ ନିର୍ଭର ନ କରି ବଣାଇକେନ୍ଦ୍ରରେ ଉପକୃତ ହୋଇପାରିବେ ବୋଲି ଉପସ୍ଥିତ ଅଧିକାରୀମାନେ ପ୍ରକାଶ କରିଥିଲେ। କିଛିଦିନ ପାଇଁ ଠିକ୍‌ଠାକ୍ ଭାବେ ସ୍ବାସ୍ଥ୍ୟସେବା ମିଳିବାରୁ ଲୋକେ ଖୁସି ହୋଇଥିଲେ। କିନ୍ତୁ ଗତ କିଛିଦିନ ହେବ ଅଭିଜ୍ଞ ଟେକ୍ନିସିଆନ ଅଭାବରୁ ଏହି ସେବା ପାଇବାରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ଡାୟାଲିସିସ ଚିକିତ୍ସା ସୁବିଧା ଯୋଗାଇଦେବାକୁ ଠିକାସଂସ୍ଥା ପିପିପି ମୋଡ୍‌ରେ ଡାକ୍ତର ଓ ଟେକ୍ନିସିଆନ ନିଯୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ସହିତ ଚୁକ୍ତି କରିଥିଲେ ମଧ୍ୟ ଆବଶ୍ୟକ ମୁତାବକ ଟେକ୍ନିସିଆନ ନିଯୁକ୍ତି ଦେଇନାହିଁ। ଏଠାରେ ନିୟୋଜିତ ଥିବା ଟେକ୍ନିସିଆନ ୪-୫ ଦିନ କାର୍ଯ୍ୟ କଲାପରେ ଅନ୍ୟକେନ୍ଦ୍ରକୁ ପଠାଇ ଦିଆଯାଉଥିବାରୁ ଏ ସମସ୍ୟା ସୃଷ୍ଟି ହେଉଥିବା କୁହାଯାଉଛି। ଫଳରେ ଏଠାରେ ରହୁଥିବା ଅନଭିଜ୍ଞ କର୍ମଚାରୀମାନେ ରୋଗୀଙ୍କୁ ଉତ୍ତମସେବା ଯୋଗାଇ ଦେବାରେ ବିଫଳ ହେଉଛନ୍ତି। ତେଣୁ ରୋଗୀମାନଙ୍କୁ ରାଉରକେଲା ଯାଇ ଚିକିତ୍ସିତ ହେବାକୁ ପଡ଼ୁଛି। ସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଓ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ତୁରନ୍ତ ପଦକ୍ଷେପ ନେବାକୁ ବଣାଇବାସୀ ଦାବି କରିଛନ୍ତି।ଏ ବାବଦରେ ଉପଖଣ୍ଡ ଚିକିତ୍ସାଧିକାରୀ ଡା. ମନୋଜ କୁମାର ପତିଙ୍କୁ ପଚାରିବାରୁ କେନ୍ଦ୍ରରେ କର୍ମଚାରୀ ନିଯୁକ୍ତି ପାଇଁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖିଥିବା ପ୍ରକାଶ କରିଛନ୍ତି।