ଶିଳ୍ପ ସଂସ୍ଥାରେ ଦୈନିକ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାମ ହେବ: ସଂଜୟ ସିଂହ

ଭୁବନେଶ୍ୱର: ଶିଳ୍ପ ସଂସ୍ଥାରେ କାର୍ଯ୍ୟକୁ ନେଇ ରାଜ୍ୟ ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଲକଡାଉନ୍ ଘୋଷଣା ହେବା ପରେ ଶିଳ୍ପାନୁଷ୍ଠାନଗୁଡ଼ିକରେ କାମ ବନ୍ଦ ରହିଛି । ଫଳରେ ଉତ୍ପାଦନ ହୋଇପାରି ନାହିଁ । ତେଣୁ ଏହି ଅସୁବିଧାକୁ ଦୃଷ୍ଟିରେ ସରକାର ଶିଳ୍ପ ସଂସ୍ଥାରେ କାର୍ଯ୍ୟ ଅବଧି ୮ ଘଣ୍ଟାରୁ ୧୨ ଘଣ୍ଟା କରି ଦେଇଛନ୍ତି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ସଚିବ ସଂଜୟ ସିଂହ ଏହି ସୂଚନା ଦେଇଛନ୍ତି ।

ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଶିଳ୍ପ ସଂସ୍ଥାରେ ଦୈନିକ ୮ ଘଣ୍ଟା ବଦଳରେ ଏଣିକ ୧୨ ଘଣ୍ଟା କାମ କରିବାକୁ ହେବ । ସେହିପରି ସପ୍ତାହକୁ ୪୮ ଘଣ୍ଟା ବଦଳରେ ଏଣିକି ୭୨ ଘଣ୍ଟା କାମ କରିବାକୁ ପଡ଼ିବ । ଦୈନିକ ୧୨ ଘଣ୍ଟାର ଏହି କାମ ୨ଟି ସିଫ୍ଟରେ କରାଯିବ । ପ୍ରଥମ ୬ ଘଣ୍ଟା ପରେ ୩୦ ମିନିଟର ବିରତି ରହିବ। କିନ୍ତୁ ଅଧିକ ୪ ଘଣ୍ଟା କାମ ପାଇଁ ଶ୍ରମିକ ବା କର୍ମୀଙ୍କୁ ଓଭର ଟାଇମ ପାଉଣା ମିଳିବ । ସପ୍ତାହକୁ ୨୪ ଘଣ୍ଟାର ଓଭର ଟାଇମ୍ ପାଉଣା ମିଳିବ ।

ଶ୍ରୀ ସିଂହ କହିଛନ୍ତି ଆଜି ୬ ହଜାର ୬୧୮ ଜଣ ପ୍ରବାସୀ ବିଭିନ୍ନ ରାଜ୍ୟରୁ ଫେରିଛନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟକୁ ୪୦ ହଜାର ୩୮୩ ଜଣ ଫେରିଛନ୍ତି । ରାଜ୍ୟରେ ୬ ହଜାର ୭୯୮ଟି ପଂଚାୟତରେ ୧୩ ହଜାର ୮୫ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି । ସେହିଭଳି ପ୍ରବାସୀ ଫେରନ୍ତାଙ୍କ ପାଇଁ ୫ ଲକ୍ଷ ୪୮ ହଜାର ୧୬୧ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ଗଂଜାମରେ କରୋନା ଭାଇରସ ଆକ୍ରାନ୍ତଙ୍କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୩ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି । ଏମାନେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ ।

ସମ୍ବନ୍ଧିତ ଖବର