ଦୈନିକ ୧୫୦ କୁଇଣ୍ଟାଲ ରପ୍ତାନି ହେଉଥିଲା, ବନ୍ୟା ପରେ ଏବେ ନିଜ ପାଇଁ ବି ନାହିଁ ପରିବା

ଜଳେଶ୍ବର: ଜଳେଶ୍ବର କି ବାଲେଶ୍ବର କାହିଁକି ସମଗ୍ର ଉତ୍ତର ଓଡ଼ିଶାରେ ପନିପରିବା ଚାଷର ପେଣ୍ଠସ୍ଥଳୀ କହିଲେ ଜଳେଶ୍ବର ବ୍ଲକ ସେକସରାଇ, ଚାଳନ୍ତି ଓ ଏକତାଳି ଗାଁକୁ ବୁଝାଏ। ସୁବର୍ଣ୍ଣରେଖା ନଦୀତଟର ଏହି ୩ ଗାଁରେ ୨୫୦ ହେକ୍ଟରରୁ ଅଧିକ ଜମିରେ କେବଳ ପନିପରିବା ଚାଷ ହେଉଥିଲା। କହିବାକୁ ଗଲେ ଏଠାକାର ପନିପରିବା ଚାଷ କେବଳ ଏହି ୩ ଗାଁ ନୁହେଁ ଆଖପାଖ ୮/୧୦ ମୌଜା ଲୋକଙ୍କର ଅର୍ଥନୀତିକୁ ମଧ୍ୟ ସମୃଦ୍ଧ କରୁଥିଲା। ହେଲେ ସୁବର୍ଣ୍ଣରେଖା ବନ୍ୟା ଏହି ପରିବା ପେଣ୍ଠ ୩ ଗାଁକୁ ଉଜାଡ଼ି ଦେଇଛି।

ଯେଉଁଠି ମଞ୍ଚା ଉପରେ ଧାଡିକୁ ଧାଡ଼ି ଜହ୍ନି, କାଙ୍କଡ଼, ପୋଟଳ, କଲରା ଏମିତି କେତେ କଣ ପରିବା ଫଳିଥିଲା। ଏବେ ସେ ସବୁ ବନ୍ୟା ମୁହଁରେ ଗଲା ବୋଲି କହିଛନ୍ତି ଜଳେଶ୍ବର ବ୍ଲକ ମହମ୍ମଦନଗର ପାଟଣା ପଞ୍ଚାୟତ ସେକସରାଇ ଗାଁର ଚିତ୍ତରଞ୍ଜନ ତରାଇ। ଚିତ୍ତରଞ୍ଜନ ଚଳିତ ଖରିଫ ଋତୁରେ ପାଖାପାଖି ଦେଢ଼ ଏକର ଜମିରେ କାଙ୍କଡ଼ ଓ ଜହ୍ନି ଲଗାଇଥିଲେ। ଗତ ଫେବ୍ରୁଆରି ମାସରେ ସେ ଚାଷ ଆରମ୍ଭ କରିଥିବା ବେଳେ ମୂଲ, ମଜୁରି ଛାଡ଼ି ଚାଷ ପାଇଁ ପାଖାପାଖି ୮୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ମେ ମାସରୁ ଜମିରୁ ଅମଳ ଆରମ୍ଭ ହୋଇଥିଲା। ଦିନେ ଛଡ଼ା ଦିନେ ବାଡ଼ିରୁ ଦୁଇ କୁଇଣ୍ଟାଲରୁ ଊର୍ଦ୍ଧ୍ବ ଓଜନର କାଙ୍କଡ଼ ଓ ଜହ୍ନି ଅମଳ ହେଉଥିଲା। କାଙ୍କଡ଼ କିଲୋ ପିଛା ୩୦ ଟଙ୍କାରୁ ୩୫ ଟଙ୍କା ଓ ଜହ୍ନି କିଲୋ ପିଛା ୨୫ ଟଙ୍କାରେ ସେ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରୁଥିଲେ। ଏହିପରି ସେ ତାଙ୍କ ବାଡ଼ିରୁ ଆହୁରି ଅଢ଼େଇ ମାସ ରୋଜଗାର କରିଥାନ୍ତେ। ହେଲେ ଗତ ୨୧ ତାରିଖରେ ସୁବର୍ଣ୍ଣରେଖାରେ ପ୍ରଳୟଙ୍କରୀ ବନ୍ୟା ତାଙ୍କ ଜମିରୁ ସବୁଜିମା ଛଡ଼ାଇ ନେଇଛି।

ବନ୍ୟାପାଣିରେ ପଟୁ ଆସି ଗଛର ମୂଳ ସବୁ ପଚି ଯିବାକୁ ବସିଛି। ପରିବା ବାଡ଼ି ଉଜୁଡ଼ିଯିବା ପରେ ତାଙ୍କର ୪ ଜଣିଆ ପରିବାରର ପ୍ରତିପୋଷଣ କିପରି ହେବ ସେହି ଚିନ୍ତାରେ ସେ ମୁଣ୍ଡରେ ହାତଦେଇ ବସିଛନ୍ତି। ଚିତ୍ତରଞ୍ଜନଙ୍କ ବ୍ୟତୀତ ଏହି ଗାଁର ନରେନ୍ଦ୍ର ତରାଇ ମଧ୍ୟ ଅନୁରୂପ ଭାବେ ଅଢ଼େଇ ଏକର ଜମିରେ ଲକ୍ଷେ ଟଙ୍କା ଖର୍ଚ୍ଚ କରି ପୋଟଳ, କାଙ୍କଡ଼, ଜହ୍ନି ଇତ୍ୟାଦି ଚାଷ କରିଥଲେ। ତାଙ୍କର ମଧ୍ୟ ସମାନ ଅବସ୍ଥା। କେବଳ ଚିତ୍ତରଞ୍ଜନ କି ନରେନ୍ଦ୍ର ନୁହନ୍ତି ଉପରୋକ୍ତ ୩ ଟି ଗାଁର ହଜାରେରୁ ଊର୍ଦ୍ଧ୍ବ ଚାଷୀ ରହିଛନ୍ତି ଯେଉଁମାନଙ୍କ ପାଇଁ ପରିବା ଚାଷ ରୋଜଗାରର ଏକମାତ୍ର ପନ୍ଥା। କେବଳ ଚାଷୀ ନୁହେଁ, ଚାଷ ଉଜୁଡ଼ି ଯିବାରୁ ଏହା ଉପରେ ନିର୍ଭର କରୁଥିବା କୃଷି ଶ୍ରମିକ, ପରିବହନ କରୁଥିବା ଗାଡ଼ି ମାଲିକ, ବ୍ୟବସାୟୀମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। କୁହାଯାଏ ଏହି ୩ ଗାଁରୁ ଛୋଟବଡ଼ ପ୍ରାୟ ୨୦ ଟି ଗାଡ଼ିରେ ପ୍ରତିଦିନ ବାଲେଶ୍ବର, ବାରିପଦା, ଉଦଳା, କପ୍ତିପଦା, ଭଦ୍ରକ, ବାସୁଦେବପୁର, କେନ୍ଦୁଝର ସମେତ ପଶ୍ଚିମବଙ୍ଗକୁ ମଧ୍ୟ ଦେଢ଼ଶହ କୁଇଣ୍ଟାଲ ପାଖାପାଖି ପନିପରିବା ଯାଇଥାଏ।

ବନ୍ୟା ପରେ ରପ୍ତାନି ତ ଦୂରର କଥା ନିଜ ପରିବାର ପାଇଁ ମଧ୍ୟ ବାଡ଼ିରେ ପରିବା କଷିଟିଏ ନାହିଁ ବୋଲି କହିଛନ୍ତି ନବକୃଷ୍ଣ ନାୟକ, ନୃସିଂହ ବେହେରା, ଉତ୍ତମ ସାହୁ, ମନୋରଞ୍ଜନ ତରାଇ, ସୁରେଶ ବେହେରା, ଶମ୍ଭୁ ମାଇତି, ନିବାରଣ ମାଇତି, ସୀତାରାମ ଦାସ, ଭରତ ଦାସ, ଶତ୍ରୁଘ୍ନ ଦାସ, ରାଜେନ୍ଦ୍ର ଦାସ, ରାମଚନ୍ଦ୍ର ଦାସ ପ୍ରମୁଖ ଚାଷୀ।

ସମ୍ବନ୍ଧିତ ଖବର