ଶବର ସତ ସାମ୍ନାକୁ ଆସିଲା: ଦିନକୁ ୧୦ ସତ୍କାର ହେଉଥିବା ସ୍ବୀକାର କଲେ ଅଧିକାରୀ

୩୫ ଦିନରେ ସୁନ୍ଦରଗଡ଼ ମଶାଣିରେ ପୋଡ଼ିଛି ୧୮୪ ଶବ 

 

ସୁନ୍ଦରଗଡ଼: ଦ୍ବିତୀୟ ଲହରରେ ମହାମାରୀ କରୋନା ଆକ୍ରାମକ ରୂପ ଧାରଣ କରିଛି। ପ୍ରତିଦିନ ଶହ ଶହ ଲୋକ ସଂକ୍ରମିତ ହେଉଛନ୍ତି। ଅନେକ ଗୃହ ସଂଗରୋଧରେ ରହୁଥିବା ବେଳେ ସଂଖ୍ୟାଧିକ ଲୋକ ହସ୍ପିଟାଲ ଶଯ୍ୟାରେ ମୃତ୍ୟୁର ଶଙ୍କା ଭିତରେ ପଡ଼ି ରହୁଛନ୍ତି। ଭୀତିପ୍ରଦସ୍ଥିତି ମଧ୍ୟରେ ପ୍ରତିଦିନ ସଂଖ୍ୟାଧିକ ମୁଣ୍ଡ ମଧ୍ୟ ନେଉଛି କରୋନା। ଦ୍ବିତୀୟ ଲହର ଆରମ୍ଭରୁ ରାଜ୍ୟର ଦ୍ବିତୀୟ ସର୍ବାଧିକ ସଂକ୍ରମିତ ଜିଲ୍ଲାର ସ୍ଥାନ ନେଇଥିବା ସୁନ୍ଦରଗଡ଼ର ଚିତ୍ର ଆହୁରି ସଂଗୀନ।

ଏଠାରେ ସରକାରୀ ରିପୋର୍ଟ ର ମୃତ୍ୟୁ ସଂଖ୍ୟା ଠାରୁ ମଶାଣିକୁ ଆସୁଥିବା ଶବ ର ସଂଖ୍ୟା ଅଧିକ। ରାଜ୍ୟ ସରକାରଙ୍କ ରିପୋର୍ଟରେ ପ୍ରତିଦିନ କରୋନା ମୃତ୍ୟୁ ୧ରୁ ୨ ମଧ୍ୟରେ ସୀମିତ ରହୁଛି। କିନ୍ତୁ ମଶାଣିରେ ଏ ସଂଖ୍ୟା ଏହାର ବହୁ ଗୁଣ। କେବଳ ସୁନ୍ଦରଗଡ଼ ରାଣୀବଗିଚା ମଶାଣିକୁ ଦାହ ସଂସ୍କାର ପାଇଁ ଆସୁଥିବା ଦୈନିକ ଶବ ସଂଖ୍ୟାକୁ ଦେଖିଲେ ଛାତି ଥରି ଉଠିବ। ମଶାଣିରେ ଆଉ ଜୁଇ ଲିଭୁ ନାହିଁ। ସକାଳୁ ମଧ୍ୟ ରାତ୍ରି ଯାଏ ଶ୍ମଶାନବନ୍ଧୁ (ସ୍ବେଚ୍ଛାସେବୀ)ମାନେ ଶବ ପୋଡ଼ୁଛନ୍ତି।

କେବଳ ଏନଟିପିସି କୋଭିଡ୍ କେନ୍ଦ୍ରରୁ ଗତ ଅପ୍ରେଲ ୧୪ରୁ ମେ’ ୧୯ ତାରିଖ ମଧ୍ୟରେ ୧୮୪ଟି ମୃତ ଦେହ ରାଣୀବଗିଚା ମଶାଣିରେ ଦାହ ସଂସ୍କାର ହୋଇଛି। ପ୍ରତିଦିନ ଏଠାରେ ୧୦ରୁ ଅଧିକ ଶବ ସତ୍କାର କରାଯାଉଥିବା କହିଛନ୍ତି ଶ୍ମଶାନବନ୍ଧୁ ସିଦ୍ଧାନ୍ତ କୁମାର ପଣ୍ଡା । ଆଉ ବିଳମ୍ବରେ ହେଲେ ମଧ୍ୟ ଆଜି ଏହାକୁ ସ୍ବୀକାର କରିଛି ସୁନ୍ଦରଗଡ଼ ପ୍ରଶାସନ। ପ୍ରତ୍ୟହ ସୁନ୍ଦରଗଡ଼ ଏନଟିପିସି କୋଭିଡ୍ କେନ୍ଦ୍ର ଓ ବିଭିନ୍ନ ଗାଁର ଗୃହ ସଂଗରୋଧରୁ ଆସୁଥିବା ୮ରୁ ୧୦ ଶବ ଏଠାରେ ସତ୍କାର କରାଯାଉଥିବା ପ୍ରକାଶ କରିଛନ୍ତି ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା।

ଶ୍ମଶାନବନ୍ଧୁଙ୍କ ସୂଚନା ଅନୁସାରେ, ଦ୍ବିତୀୟ ଲହରର ପ୍ରଥମ ଶବ ସୁନ୍ଦରଗଡ଼ ମଶାଣିକୁ ଆସିଥିଲା ଅପ୍ରେଲ ୧୪ରେ। ସେଦିନ ମାତ୍ର ଗୋଟିଏ ଶବ ଦାହ କରିଥିଲେ ସେମାନେ। ଏହା ପରେ ୧୫, ୧୬, ୧୭ ଓ ୧୮ ତାରିଖରେ ୨ଟି ଲେଖାଏଁ ଶବ ସତ୍କାର କରିଥିଲେ। ସେହିପରି ୧୯, ୨୦ ଓ ୨୧ରେ ପୁଣି ଗୋଟିଏ ଲେଖାଏଁ ମୃତଦେହ ଆସିଥିଲା। ୨୨ରେ ତାହା ୩କୁ ଛୁଇଁଥିଲା। ୨୩ରେ ୫, ୨୪ରେ ପୁଣି ୩, ୨୫ରେ ୬, ୨୬ରେ ୩ ଓ ୨୭ରେ ୪ଟି, ୨୮ରେ ୭, ୨୯ରେ ୬, ୩୦ରେ ୮ଟି ମୃତଦେହ ସତ୍କାର କରାଯାଇଥିଲା। ମେ’ ୧ରେ ୫ଟି ଶବ ପୋଡ଼ିଥିବା ଶ୍ମଶାନବନ୍ଧୁ ୨ ଓ ୩ ତାରିଖ ଦୁଇ ଦିନରେ ୨୪ଟି ଶବ ପୋଡ଼ି ବିଚଳିତ ହୋଇଯାଇଥିଲେ।

ସେହିପରି ୪ ତାରିଖରେ ୧୦ଟି, ୫ ଓ ୬ ତାରିଖରେ ୭ଟି ଲେଖାଏଁ, ୭ରେ ୫ଟି, ୮ରେ ପୁଣି ୭ଟି, ୯ରେ ୪ଟି, ୧୦ରେ ୬ଟି, ୧୧ରେ ୭ଟି, ୧୨ରେ ୮ଟି, ୧୩ରେ ୭ଟି, ୧୪ରେ ୧୦ଟି, ୧୫ ଓ ୧୬ରେ ୨୪ଟି ଲେଖାଏଁ, ୧୭ରେ ୮ଟି, ୧୮ରେ ୬ଟି, ୧୯ ମଧ୍ୟାହ୍ନ ସୁଦ୍ଧା ୨ ମୃତ ଦେହ ସତ୍କାର କରିଥିବା ସୂଚନା ମିଳିଛି।

ୟେ ତ ଗଲା ସୁନ୍ଦରଗଡ଼ ରାଣୀବଗିଚା ମଶାଣିର ଚିତ୍ର। ରାଉରକେଲା ବେଦବ୍ୟାସରେ କେତେ କରୋନା ସଂକ୍ରମିତ ମୃତଦେହ ଦାହ ସଂସ୍କାର କରାଯାଇଛି, ସେ ସମ୍ପର୍କିତ କୌଣସି ସୂଚନା ନାହିଁ। ମୃତ୍ୟୁ ସଂଖ୍ୟା ନଦେବାକୁ ରାଉରକେଲା ପ୍ରଶାସନ କୁଆଡ଼େ ଶବ ସତ୍କାର କରୁଥିବା ଟିମ୍କୁ କଡ଼ା ନିର୍ଦ୍ଦେଶ ଦେଇଛି। ତେବେ ସୁନ୍ଦରଗଡ଼ ସଦରମହକୁମାର ଗୋଟିଏ ଏନଟିପିସି କୋଭିଡ୍ କେନ୍ଦ୍ର ଓ ଅନ୍ୟ ସଂଗରୋଧରୁ ଯଦି ୩୫ ଦିନରେ ୧୮୪ ଶବ ପୋଡ଼ିଛି, ରାଉରକେଲା ୪ଟି କୋଭିଡ୍ ହସ୍ପିଟାଲରୁ ମଶାଣିକୁ ଆସୁଥିବା ମୃତଦେହର ସଂଖ୍ୟା କେତେ ହୋଇଥିବ ଅନୁମାନ କରାଯାଇପାରେ। ଏବେ ସରକାର, ପ୍ରଶାସନ ଠାରୁ ସାଧାରଣଲୋକ ଯାଏ ସମସ୍ତେ ମିଶି କରୋନା ବିରୋଧରେ ଲଢ଼ିବାର ବେଳ। ଏ ସମୟରେ ସରକାର ମୃତ୍ୟୁ ସଂଖ୍ୟାକୁ ସାର୍ବଜନୀନ କରି ଲୋକଙ୍କୁ ସତର୍କ ଓ ସଚେତନ କରିବା ଜରୁରୀ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର