ରାଜ୍ୟରେ ୪ ମାସରେ ସର୍ବାଧିକ; ଦୈନିକ କରୋନା ସଂକ୍ରମଣ ୬ ଶହ ନିକଟତର

ପୁଣି ୩ଟି ଲେଖାଏ ୟୁକେ ଷ୍ଟ୍ରେନ୍, ଡବଲ ମ୍ୟୁଟେସନ୍ ଷ୍ଟ୍ରେନ୍ ଚିହ୍ନଟ!
ରାଜ୍ୟରେ ଦୈନିକ ଟିପିଆର୍‌ ୨% ଛୁଇଁଲା

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହରିରେ ଦ୍ରୁତ ସଂକ୍ରମଣ ଆରମ୍ଭ ହୋଇଛି। ଚାହୁଁ ଚାହୁଁ ଦୈନିକ ସଂକ୍ରମଣ ୬ଶହ ନିକଟତର ହୋଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୫୭୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକି ଗତ ୪ମାସ ମଧ୍ୟରେ ସର୍ବାଧିକ ବୋଲି କୁହାଯାଉଛି। ରାଜ୍ୟରେ ଦ୍ରୁତ ସଂକ୍ରମଣ ପଛରେ କରୋନା ଭୂତାଣରୁ ଡବଲ ମ୍ୟୁଟେସନ୍ ଓ ୟୁକେ ଷ୍ଟ୍ରେନ୍ ରହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଯଦିଓ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ଘୋଷଣା ହୋଇନାହିଁ, ତଥାପି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଏହାକୁ ପ୍ରତ୍ୟାଖ୍ୟାନ କରୁ ନାହାନ୍ତି। ଯେହେତୁ ଭୂତାଣୁର ମ୍ୟୁଟେସନ୍ ଓ ଷ୍ଟ୍ରେନ୍ ସଂପର୍କରେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ବା ଏନ୍‌ସିଡିସି ଘୋଷଣା କରିବ ତେଣୁ ରାଜ୍ୟ ସରକାର ଏ ସଂପର୍କରେ ତଥ୍ୟ ଦେଇପାରିବେ ନାହିଁ ବୋଲି ଅଧିକାରୀମାନେ କହିଛନ୍ତି।

ଗତବର୍ଷ ଡିସେମ୍ବରରେ ବିଦେଶ ଫେରନ୍ତା ୩ଜଣଙ୍କଠାରେ ୟୁକେର ଷ୍ଟ୍ରେନ୍(ବି.୧.୧.୭) ଓ ଜଣଙ୍କଠାରେ ଏନ୍‌୪୪୦କେ ଡବଲ ମ୍ୟୁଟେସନ୍ ଚିହ୍ନଟ ହୋଇଥିଲା। ହେଲେ ସଂକ୍ରମିତଙ୍କୁ ପୃଥକବାସରେ ରଖାଯିବା ସହିତ କଣ୍ଟାକ୍ଟ ଟ୍ରେସିଂକୁ ଗୁରୁତ୍ବ ଦିଆଯାଇଥିବାରୁ ରାଜ୍ୟରେ ଏହି ଷ୍ଟ୍ରେନ୍‌ର ସଂକ୍ରମଣ ବଢ଼ିପାରି ନ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ହେଲେ ଗତ ମାର୍ଚ ମାସରେ ଜିନ୍ ଅନୁଶୀଳନ ହୋଇଥିବା ୩ଶହ ନମୁନା ମଧ୍ୟରୁ ପୁଣିଥରେ ୩ଟିରେ ୟୁକେ ଷ୍ଟ୍ରେନ୍ ଓ ୩ଟି ଡବଲ ମ୍ୟୁଟେସନ୍‌ରେ ଇ୪୮୪କ୍ୟୁ ଓ ଏଲ୪୫୨ଆର ଭାରିଏଣ୍ଟ ରହିଥିବା ଅତି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏହାଯୋଗୁଁ ରାଜ୍ୟରେ ଦ୍ରୁତ ସଂକ୍ରମଣ ଆରମ୍ଭ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ହେଲେ ଏନ୍‌ସିଡିସି ପକ୍ଷରୁ ଏ ସଂପର୍କରେ ଘୋଷଣା କରାଯିବା ପରେ ହିଁ ଭୂତାଣରୁ ନୂତନ ଷ୍ଟ୍ରେନ୍ ଓ ମ୍ୟୁଟେସନ୍ ସଂପର୍କରେ ସ୍ପଷ୍ଟ ହୋଇପାରିବ। ନିକଟରେ ହାଇଦ୍ରାବାଦସ୍ଥିତ ସେଣ୍ଟର ଫର ସେଲୁଲାର ଏଣ୍ଡ ମଲେକ୍ୟୁଲାର ବାଇଓଲୋଜି(ସିଏସ୍‌ଆଇଆର-ସିସିଏମ୍‌ବି) କରୋନା ଭୂତାଣରୁ ବିଭିନ୍ନ ଭାରିଏଣ୍ଟ ଓ ମ୍ୟୁଟେସନ୍ ପାଇଁ ଦେଶବ୍ୟାପୀ ସଂକ୍ରମଣ ବଢ଼ୁଥିବା କୁହାଯାଇଥିଲା। ତେଣୁ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରିବା ଉପରେ ଗୁରୁତ୍ବ ଦିଆଯିବା ଜରୁରୀ ବୋଲି ବିଶେଷଜ୍ଞମାନେ ଗୁରୁତ୍ବ ଦେଇଛନ୍ତି।

ବରିଷ୍ଠ ଚିକିତ୍ସକ ଡା.ନିରୋଜ ମିଶ୍ରଙ୍କ କହିବା କଥା, ଇ୪୮୪କ୍ୟୁ ଷ୍ଟ୍ରେନ୍ ପ୍ରଥମେ ଆ‌ନ୍ଧ୍ରରେ ଚିହ୍ନଟ ହୋଇଥିଲା, ହେଲେ ପରବର୍ତୀ ସମୟ‌ରେ ମହାରାଷ୍ଟ୍ରରେ ଦ୍ରୁତ ଗତିରେ ସଂକ୍ରମଣ କରିଥିଲା। ମୁମ୍ବାଇ ୨୦/୨୫ ପ୍ରତିଶତ ସଂକ୍ରମଣ ଏହି ଷ୍ଟ୍ରେନ୍ ଯୋଗୁଁ ହେଉଛି। ଇ୪୮୪କ୍ୟୁ ଷ୍ଟ୍ରେନ୍‌ର ଦକ୍ଷିଣ ଆଫ୍ରିକାର ଇ୪୮୪କେ ଷ୍ଟ୍ରେନ୍‌ ସହିତ ଅନେକ ସାମଞ୍ଜସ୍ୟ ରହିଛି। ଯଦି ରାଜ୍ୟରେ ଏଭଳି ଷ୍ଟ୍ରେନ୍ ଚିହ୍ନଟ ହୋଇଛନ୍ତି ତାହା ନିଶ୍ଚିତଭାବେ ଚିନ୍ତା ଜନକ। ଏସବୁ ଷ୍ଟ୍ରେନ୍ ଶରୀରର ଆଣ୍ଟିବଡିକୁ ବାଇପାସ୍‌ କରିବାର କ୍ଷମତା ରଖନ୍ତି। ଏହାସହ ଗତବର୍ଷ ରାଜ୍ୟରେ ଯେଉଁ ଆଣ୍ଟିବଡି ବିକଶିତ ହୋଇଥିଲା ତାହା ଏବେ ଧୀରେ ଧୀରେ ହ୍ରାସ ପାଇବାକୁ ଆରମ୍ଭ କରିଛି। ତେଣୁ ଅଧିକରୁ ଅଧିକ ଜିନ୍ ଅନୁଶୀଳନ କରାଯିବା ସହିତ କୋଭିଡ ନିୟମାବଳିକୁ କଡ଼ାକଡ଼ି ପାଳନ କରିବା ଜରୁରୀ ବୋଲି ଡା.ମିଶ୍ର କହିଛନ୍ତି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୨୮,୧୦୯ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୫୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର୍‌ ୨ ପ୍ରତିଶତ ଛୁଇଁଛି। ଗତ କିଛିଦିନ ଭିତରେ ଏହା ସର୍ବାଧିକ। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୯୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ସୁନ୍ଦରଗଡ଼ ୮୦, ନୂଆପଡ଼ା ୬୦, ବରଗଡ଼ ୪୩, ଝାରସୁଗୁଡ଼ା ୩୯, ଅନୁଗୁଳ ୩୨, କଟକ ୨୮, କଳାହାଣ୍ଡି ୨୪ ଓ ବଲାଙ୍ଗୀରରେ ୨୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୩ହଜାର ୨୬୮କୁ ବୃଦ୍ଧି ପାଇଛି। ଅପରପକ୍ଷରେ ରାଜ୍ୟରେ ୨୧୫ ଆକ୍ରାନ୍ତ ସୁସ୍ଥ ହେବା ଫଳରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୩୮ହଜାର ୧୫୦ରେ ପହଞ୍ଚିଛି। ରାଜ୍ୟରେ ଏବେ ୩୧୪୩ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଯାହାକି ସମୁଦାୟ ସଂକ୍ରମିତଙ୍କ ୦.୯୧ ପ୍ରତିଶତ। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୪୯୬ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର