ଦୈନିକ କୋଭିଡ୍‌ ସଂକ୍ରମଣ ରାଜ୍ୟରେ ବି ୬ ହଜାର ଟପିଲା; ଦିନକରେ ବଢ଼ିଲେ ୨୭% ଆକ୍ରାନ୍ତ

ଭୁବନେଶ୍ବର : ଲଗାତାର ୨ଦିନ ଧରି ୪ହଜାର ଉପରେ ରହୁଥିବା ଦୈନିକ କୋଭିଡ୍‌ ସଂକ୍ରମଣ ହଠାତ୍ ୫ହଜାର ସଂଖ୍ୟା ଡେଇଁ ୬ହଜାର ଛୁଇଁଛି। ଗୋଟିଏ ଦିନରେ ରାଜ୍ୟରେ ୬,୧୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ୨୧ତାରିଖ ତୁଳନାରେ ୨୭ ପ୍ରତିଶତ ଅଧିକ। ଦୈନିକ ସଂକ୍ରମଣ ୬ହଜାର ଟପିବା ଗତବର୍ଷ ଓ ଚଳିତବର୍ଷର ସର୍ବାଧିକ ସଂକ୍ରମଣକୁ ପଛ‌ରେ ପକାଇ ଦେଇଛି। ରାଜ୍ୟରେ ଦ୍ରୁତ ଗତିରେ କାହିଁକି ସଂକ୍ରମଣ ବୃଦ୍ଧି ପାଉଛି, ଏହାର କାରଣ ସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ। ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ କେବଳ ଦ୍ବିତୀୟ ଲହରରେ ଦ୍ରୁତ ସଂକ୍ରମଣ ହେଉଥିବା ନେଇ କହୁଛନ୍ତି। ମାତ୍ର କରୋନା ଭୂତାଣୁର ମ୍ୟୁଟାଣ୍ଟ ଷ୍ଟ୍ରେନ୍ ଓ ନୂଆ ଭାରିଏଣ୍ଟ ଏହା ପଛର ମୁଖ୍ୟ କାରଣ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି।

ଖୋର୍ଧା ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଯିବାକୁ ବସିଲାଣି। ଗତ ୨୪ଘଣ୍ଟାରେ ଜିଲ୍ଲାରୁ ୧୧୩୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟର କୌଣସି ଜିଲ୍ଲାରୁ ଏହା ସର୍ବାଧିକ ସଂକ୍ରମଣ। ଇନଷ୍ଟିଚ୍ୟୁଟ୍ ଅଫ ମାଥମାଟିକାଲ ସାଇନ୍‌ସ ବା ଆଇଆଇଏମ୍‌ଏସ୍‌ ସୂତ୍ରରୁ ମିଳିଥିବା ସୂତନା ମୁତାବକ, ଚଳିତମାସ ୨୦ତାରିଖ ଯାଏଁ ଖୋର୍ଧା ଜିଲ୍ଲାରେ ସଂକ୍ରମଣର ‘ଆର’ ଭ୍ୟାଲୁ ୧.୭୪ ପ୍ରତିଶତ ରହିଛି। ‘ଆର’ ଭ୍ୟାଲୁ ଯଦି ୧ ପ୍ରତିଶତରୁ ଅଧିକ ରହେ ତା’ହେଲେ ସେଠାରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଥାଏ। ଏ ଦୃଷ୍ଟିରୁ ଜିଲ୍ଲାରେ ସଂକ୍ରମଣ ଆହୁରି ବଢ଼ିବା ନେଇ ଅନୁଷ୍ଠାନର ପ୍ରଫେସର ସୀତଭ୍ର ସିହ୍ନା କହିଛନ୍ତି। ଏହି ସମୟରେ ଓଡ଼ିଶାର ‘ଆର’ ଭ୍ୟାଲୁ ୧.୭୨ ପ୍ରତିଶତ ରହିଥିବା ଜଣାପଡ଼ିଛି। ବରିଷ୍ଠ ଚିକିତ୍ସକ ଡା. ନିରଜ ମିଶ୍ର କହିଛନ୍ତି, ରାଜ୍ୟରେ କୋଭିଡ୍‌ କଟକଣା ଲାଗୁ କରିବାରେ ରାଜ୍ୟ ସରକାର ସାମାନ୍ୟ ବିଳମ୍ବ କରିଛନ୍ତି। ମହାରାଷ୍ଟ୍ର, ଛତିଶଗଡ଼ର ସ୍ଥିତିକୁ ନଜରରେ ରଖି ସରକାର ପୂର୍ବରୁ ସତର୍କ ହେବାର ଥିଲା। ଏବେ ଯେଉଁଭଳି ଭାବେ ସଂକ୍ରମଣ ବଢ଼ିବାକୁ ଆରମ୍ଭ କରିଛି, ଏହା ନିକଟ ଭବିଷ୍ୟତରେ ହ୍ରାସ ପାଇବା ଆଶା କରିବା ବୃଥା। ଏପରିକି ମହାରାଷ୍ଟ୍ରରେ ଏ ପର୍ଯ୍ୟନ୍ତ ସଂକ୍ରମଣ ଶୀର୍ଷକୁ ଛୁଇଁ ନ ଥିବା ବେ‌ଳେ ଓଡ଼ିଶାରେ ଏହା କେବେ ଶୀର୍ଷକୁ ଛୁଇଁବ ତାହା ଏବେଠାରୁ କହିହେବ ନାହିଁ। ଏହାସହ ଟେଷ୍ଟ ପଜିଟିଭ୍ ରେଟ୍‌ ମଧ୍ୟ ବହୁତ ବଢ଼ି ଗଲାଣି। ଏହାକୁ ୫କୁ ଖସାଇବା ଏବେ କଷ୍ଟକର ହୋଇପଡ଼ିବ। ତେଣୁ ଲୋକମାନେ ଯଦି ସତର୍କ ନ ହେବେ ତା’ହେଲେ ଆଗକୁ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଡା. ମିଶ୍ର କହିଛନ୍ତି।

ରାଜ୍ୟରେ ଗତ ୨୪ଘଣ୍ଟାରେ ଚଳିତବର୍ଷର ସର୍ବାଧିକ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଛି। ୪୪,୯୮୩ କୋଭିଡ୍‌ ନମୁନାରେ ରାଜ୍ୟର ‌ଟିପିଆର ୧୩.୭ ପ୍ରତିଶତ ରହିଛି। ଖୋର୍ଧା ବାଦ୍ କଳାହାଣ୍ଡି ୪୫୨, ସୁନ୍ଦରଗଡ଼ ୪୨୭, ନୂଆପଡ଼ା ୪୫୯, କଟକ ୩୬୦, ଝାରସୁଗୁଡ଼ା ୩୫୫, ପୁରୀ ୨୮୬, ବରଗଡ଼ ୨୩୬, ସମ୍ବଲପୁର ୨୨୯, କେନ୍ଦୁଝର ୨୦୫, ଯାଜପୁର ୧୫୪, ଗଞ୍ଜାମ ୧୩୫ ଓ ଷ୍ଟେଟ୍‌ ପୁଲରୁ ୨୪୧ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୮୮ହଜାର ୪୭୯କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଜି ଚଳିତବର୍ଷର ସର୍ବାଧିକ କରୋନା ମୃତ୍ୟୁ ସାମ୍ନାକୁ ଆସିଛି। କରୋନାରେ ୭ଜଣ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାୟଗଡ଼ା, ଗଞ୍ଜାମରେ ୨ଜଣ ଲେଖାଏଁ, କଳାହାଣ୍ଡି, କନ୍ଧମାଳ ଓ ଖୋର୍ଧା ଜିଲ୍ଲାରେ ଜଣେ ଲେଖାଏଁ କରୋନାର ଶିକାର ହୋଇଛନ୍ତି। ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୯୬୫କୁ ବୃଦ୍ଧି ପାଇଛି। ଆଜି ୨୧୬୫ କ‌ରୋନା ସଂକ୍ରମିତ ସୁସ୍ଥ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୫୩ହଜାର ୫୫୧କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର